ମୃତ୍ୟୁପରେ ବି ଡ୍ୟୁଟି କରୁଛି ସୈନିକର ଆତ୍ମା

ଅଧିକାଂଶ ଲୋକ ଆତ୍ମାର ଅସ୍ଥିତ୍ବ ଉପରେ ବିଶ୍ବାସ କରନ୍ତି ନାହିଁ୤ କିନ୍ତୁ ଏହା ଏକ ଏମିତି ଭାରତୀୟ ମୃତ ସୈନିକର କାହାଣୀ, ଯାହାର ଆତ୍ମା ଆଜି ମଧ୍ୟ ଦେଶର ସୀମାକୁ ସୁରକ୍ଷା ଦେଇ ଆସୁଛି୤ ଏହି ସୈନିକର ଆତ୍ମାର ଅସ୍ଥିତ୍ବକୁ ଭାରତୀୟ ସେନାବାହିନୀ ମଧ୍ୟ ସ୍ବୀକାର କରି ଆସୁଛନ୍ତି୤ ବର୍ଷ ଥିଲା ୧୯୬୮, ଭାରତ ଓ ଚୀନ ସୀମାରେ କର୍ତ୍ତବ୍ୟରତ ଥିବା ଏହି ସୈନିକ ଯୁଦ୍ଧରେ ପ୍ରାଣ ହରାଇଥିଲା୤ ହେଲେ ସୈନିକର ହୃଦୟରେ ଭାରତମାତାଙ୍କ ପ୍ରତି ଶ୍ରଦ୍ଧା ଏତେ ମାତ୍ରାରେ ଥିଲା ଯେ ସେ ମରିବା ପରେ ମଧ୍ୟ ଦେଶର ସେବା କରିବା ଛାଡ଼ିନଥିଲା୤ ଶୁଣାଯାଏ ଯେ ଆଜିମଧ୍ୟ ଏହି ସୈନିକର ଆତ୍ମା ଭାରତ-ଚୀନ ସୀମାରେ ନିଜର ଦାୟିତ୍ବ ସୂଚାରୁରୂପେ କରି ଆସୁଛି୤ ଭାରତୀୟ ସେନାବାହିନୀ ଏହି ସୈନିକର ଆତ୍ମାକୁ ସବୁ ସମ୍ମାନ ଓ ସୁବିଧା ପ୍ରଦାନ କରି ଆସୁଛନ୍ତି ଯାହା ଜଣେ ସୈନିକର ଅଧିକାର୤ ଏହି କାହାଣୀ ବୀର ସୈନିକ ହରଭଜନ ସିଂହଙ୍କର, ଯିଏ ବାବା ହରଭଜନ ସିଂହ ନାମରେ ମଧ୍ୟ ଜଣାଯାଆନ୍ତି୤

ହରଭଜନ ସିଂଙ୍କ ଜନ୍ମ ୧୯୪୬ ମସିହା ଅଗଷ୍ଟ ମାସ ୩୦ ତାରିଖରେ ସ୍ବାଧୀନତା ପୂର୍ବବର୍ତ୍ତୀ ତତ୍କାଳୀନ ପାକିସ୍ତାନସ୍ଥିତ ସରଦାନା ଗ୍ରାମରେ ହୋଇଥିଲା୤ ବର୍ତ୍ତମାନ ଏହି ଗାଁ ପାକିସ୍ତାନରେ ଅଛି୤ ୧୯୬୬ ମସିହାରେ ମାତ୍ର ୨୦ ବର୍ଷ ବୟସରେ ହରଭଜନ ସିଂ ଭାରତୀୟ ସେନାର ପଞ୍ଜାବ ରେଜିମେଣ୍ଟର ୨୪ ବଟାଲିୟନରେ ସିପାହୀ ଭାବରେ ଯୋଗ ଦେଇଥିଲେ୤ ଏହାପରେ ତାଙ୍କର ପୋଷ୍ଟିଂ ସିକିମ୍ ରାଜ୍ୟର ଭାରତ-ଚୀନ ସୀମାବର୍ତ୍ତି ନାଥୁଲା ପାସ୍ ଠାରେ ହୋଇଥିଲା୤ ଏହି ଅଞ୍ଚଳ ସମୁଦ୍ର ତଳଠାରୁ ପ୍ରାୟ ୧୩୨୦୦ ଫୁଟ୍ ଉଚ୍ଚରେ ସ୍ଥିତ୤ ବର୍ଷର ଅଧିକାଂଶ ସମୟ ଏହି ଅଞ୍ଚଳ ବରଫର ମୋଟା ଚାଦରରେ ଘୋଡ଼େଇ ହୋଇ ଥାଏ୤

୪ ଅକ୍ଟୋବର ୧୯୬୮ ଦିନ ହରଭଜନ ସିଂ ଘୋଡ଼ା ମାନଙ୍କ ଉପରେ ଆବଶ୍ୟକ ସାମଗ୍ରୀ ଲଦି ଡୋଂଗଚୁଇଲା ଅଞ୍ଚଳରୁ ନିଜ ପୋଷ୍ଟ୍ ଆଡ଼କୁ ଆସୁଥିଲେ୤ ଚାରି ଆଡ଼େ ବରଫ ଏବଂ ଥଣ୍ଡା ପାଣିପାଗ ଥିଲା୤ ହଠାତ୍ ଏହି ବରଫାବୃତ୍ତ ରାସ୍ତାରେ ସେ ନିଜର ଭାରସାମ୍ୟ ହରାଇ ଘୋଡ଼ା ସହିତ ଘାଟି ତଳେ ବହୁଥିବା ନଦୀରେ ଯାଇ ପଡ଼ିଯାଆନ୍ତି୤ ବହୁତ ଉଚ୍ଚରୁ ପଡ଼ିବା ପରେ ସେ ନିଜ ପ୍ରାଣ ହରାନ୍ତି୤ ଏବଂ ନଦୀର ଜଳରେ ତାଙ୍କ ମୃତଶରୀର ବହିଯାଇ ପ୍ରାୟ ଦୁଇ କିଲୋମିଟର ଦୂରରେ ପହଞ୍ଚିଯାଏ୤

ହରଭଜନ ନିଜ ପୋଷ୍ଟରେ ପହଞ୍ଚିବାରେ ବିଳମ୍ବ ହେବାପରେ ତାଙ୍କ ସାଥୀ ଓ ଅଧିକାରୀମାନେ ତାଙ୍କୁ ଖୋଜିବାକୁ ବାହାରନ୍ତି୤ ହେଲେ ହରଭଜନଙ୍କ ଚିହ୍ନବର୍ଣ୍ଣ କେଉଁଠି ଦେଖିବାକୁ ମିଳେନାହିଁ୤ ଏହାପରେ ସମସ୍ତେ ବିଶ୍ବାସ କରନ୍ତି ଯେ ବୋଧହୁଏ ଏହି ଅତି କଷ୍ଟଦାୟକ ଦାୟିତ୍ବରୁ ମୁକ୍ତି ପାଇବା ପାଇଁ ସେ ନିଜ କର୍ତ୍ତବ୍ୟ ତ୍ୟାଗ କରି ଫେରାର ହୋଇ ଯାଇଛନ୍ତି୤ ତେଣୁ ତାଙ୍କୁ ଭାରତୀୟ ସେନା ଦ୍ବାରା ପଳାତକ ବୋଲି ଘୋଷଣା କରି ଦିଆଯାଏ୤ ହେଲେ ଏଇ ଘଟଣାର କିଛି ଦିନପରେ ହରଭଜନଙ୍କ ଜଣେ ସାଥୀଙ୍କୁ ସ୍ବପ୍ନରେ ହରଭଜନ ଦେଖାଦିଅନ୍ତି ଆଉ କୁହନ୍ତି ଯେ ସେ ଏବେ ମୃତ ଏବଂ ତାଙ୍କର ଶରୀର ଅମୁକ ସ୍ଥାନରେ ଅଟକି ରହିଛି୤ ଏହି କଥା ସକାଳୁ ସକାଳୁ ସମସ୍ତେ ଶୁଣିବା ପରେ ଏହାର ସତ୍ୟତା ଜାଣିବା ପାଇଁ ହରଭଜନ ଦେଇଥିବା ସୂଚନା ଅନୁଯାୟୀ ସେହି ସ୍ଥାନକୁ ଗଲାପରେ ସେଠାରେ ତାଙ୍କର ଶବ ମିଳିଥିଲା୤ ଶବ ନିକଟରୁ ତାଙ୍କର ପିସ୍ତଲ ମଧ୍ୟ ମିଳିଥିଲା୤

ଶବ ମିଳିବା ପରେ ସେନାବାହିନୀ ତରଫରୁ ହୋଇଥିବା ପଳାତକ ଘୋଷଣାକୁ ପ୍ରତ୍ୟାହୃତ କରାଯିବା ସହ ହରଭଜନଙ୍କୁ ସମ୍ପୂର୍ଣ୍ଣ ରାଜକୀୟ ମର୍ଯ୍ୟାଦା ସହ ଶବସତ୍କାର କରାଯାଏ୤ ମୃତ୍ୟୁ ସମୟରେ ହରଭଜନଙ୍କ ବୟସ ମାତ୍ର ବାଇଶି ବର୍ଷ ଥିଲା୤

କିଛି ଦିନପରେ ହରଭଜନଙ୍କ ଆତ୍ମା ପୁଣିଥରେ ସାଥୀ ସୈନିକଙ୍କ ସ୍ବପ୍ନରେ ଆସି କହିଲା ଯେ ମୋର କେବଳ ଶରୀର ଯାଇଛି, ହେଲେ ମୋ ଆତ୍ମା ଏହି ସୀମାରେ ସବୁବେଳେ ସଚେତ ରହିବ ଆଉ ମୁଁ ମୋ ଦାୟିତ୍ବ ସବୁବେଳେ ତୁଲାଇବି୤ ଏହିଭଳି ସ୍ବପ୍ନ ଉଚ୍ଚ ପାହାଡ଼ ଅଞ୍ଚଳରେ ଯେଉଁଠି ଅମ୍ଲଜାନ କମ ଥାଏ, ତାହା ହୋଇପାରେ୤ ଅମ୍ଲଜାନ ଅଭାବ ହେଲେ କିଛି ଲୋକ ବାଉଳି ହୁଅନ୍ତି, କିଛି ଲୋକ ଚେତା ହରେଇ ପଡ଼ନ୍ତି ଆଉ କିଛି ଲୋକଙ୍କୁ ଅଦ୍ଭୂତ ସ୍ବ୍ପ୍ନ ସବୁ ଆସେ୤ ଏମିତି କିଛି ହୋଇଥିବ ଭାବି ସାଥୀ ସୈନିକ ସ୍ବପ୍ନ କଥା କାହାକୁ କହନ୍ତି ନାହିଁ୤ ହେଲେ ଏହି ଘଟଣାପରେ ସେଠାରେ କିଛି ଏମିତି ଘଟଣା ସବୁ ହୁଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ୤ ଯଦି କୌଣସି ସୈନିକ ସହ କିଛି ଅଘଟଣ ଘଟିବାର ଥାଏ, କିମ୍ବା କିଛି ଦୁର୍ଘଟଣା ଘଟିବାରେ ଥାଏ, ତାହେଲେ ହରଭଜନଙ୍କ ଆତ୍ମା ସ୍ବପ୍ନରେ ଆସି ସଚେତ କରିଦେଇ ଯାଏ, ଏବଂ ଘଟଣା ସତରେ ସେମିତି ହିଁ ହୋଇଥାଏ୤ ଏହାପରେ ବଟାଲିୟନର ସମସ୍ତ ସୈନିକଙ୍କୁ ଆଉ ସନ୍ଦେହ ରହିଲା ନାହିଁ, ଯେ ଜଣେ ଅଦୃଶ୍ୟ ସୈନିକ ସେମାନଙ୍କ ସହ ମିଶି ଭାରତ ସୀମାକୁ ସୁରକ୍ଷା ପ୍ରଦାନ କରୁଛି୤ ସେଇ ସବୁ ଘଟଣା ପରେ ହରଭଜନ ସିଂଙ୍କୁ ସମ୍ମାନ ଜଣାଇ ବାବା ହରଭଜନ ସିଂ ବୋଲି ଘୋଷଣା କରିଦିଆଗଲା୤

ଏହି କଥା ଯେତେବେଳେ ସେନା ମୁଖ୍ୟାଳୟରେ ପହଞ୍ଚିଲା ତ ସେନାର ଅନେକ ଅଧିକାରୀ ଏହି ଘଟଣାର ସତ୍ୟତା ପରୀକ୍ଷା କରିବା ପରେ ଏହା ସତ୍ୟ ବୋଲି ଜାଣି ଆଶ୍ଚର୍ଯ୍ୟ ହୋଇଗଲେ୤ ବାବା ହରଭଜନ ସିଂଙ୍କ ଆତ୍ମା ଚୀନ ତରଫରୁ ହେଉଥିବା ଯେକୌଣସି ସୈନିକ କାର୍ଯ୍ୟବାହୀଙ୍କୁ ୭୨ ଘଣ୍ଟା ପୂର୍ବରୁ ଭାରତୀୟ ସେନାକୁ ଜଣାଇ ଦେଉଥିଲେ୤ ଯଦି ଚୀନର କୌଣସି କାର୍ଯ୍ୟକଳାପ ଭାରତୀୟ ସେନାବାହିନୀଙ୍କୁ ପସନ୍ଦ ହେଉନଥିଲା, ସେ ବିଷୟ ସେ ଚୀନର ସେନାବାହିନୀଙ୍କୁ ମଧ୍ୟ ଜଣାଇ ଦେଉଥିଲେ୤ ଅନେକ ସମୟରେ ଚୀନର ସୀମାବାହିନୀ ଭାରତୀୟ ସେନାକୁ ଅଭିଯୋଗ କରି କହୁଥିଲେ ଯେ ଆପଣଙ୍କ ପକ୍ଷର କୌଣସି ଜଣେ ସୈନିକ ରାତିରେ ଘୋଡ଼ା ଉପରେ ବସି ସୀମାରେ ଅତି ନିକଟରେ ପହରା ଦେଉଛି୤ ସେ ଥିଲେ ବାବା ହରଭଜନ ସିଂ ଯେ କି ରାତ୍ରୀର ଅନ୍ଧକାରରେ ବି ଚୀନ ସୀମାରେ ପହରା ଦେଉଥିଲେ୤ ଏହି ସବୁ ଘଟଣାକୁ ଦେଖି ଚୀନ ସେନାବାହିନୀ ମଧ୍ୟ ବାବା ହରଭଜନ ସିଂଙ୍କ ଆତ୍ମାର ଅସ୍ଥିତ୍ବକୁ ସ୍ବୀକାର କରୁଥିଲେ୤

ଏହାପରେ ସେନା ବାହିନୀ ତରଫରୁ ହରଭଜନ ସିଂଙ୍କ ଆତ୍ମାକୁ କର୍ତବ୍ୟରତ ସୈନିକର ପଦବୀ ଦିଆଗଲା ଏବଂ ସବୁ ସୁବିଧା ପ୍ରଦାନ କରାଗଲା ଯାହା ଜଣେ ସୈନିକକୁ ଦିଆଯାଏ୤ ତାଙ୍କ ବଙ୍କରକୁ ଏକ ମନ୍ଦିରର ରୂପ ଦିଆଗଲା୤ ସେଠାରେ ତାଙ୍କର ସୈନିକବସ୍ତ୍ର, ଶଯ୍ୟା, ପୋଷାକପତ୍ର, ଜୋତା, ସାମାନ ଆଦି ରଖାଇ ଦିଆଗଲା୤ ସାଧାରଣ ସୈନିକଙ୍କ ଭଳି ବାବା ହରଭଜନ ସିଂଙ୍କୁ ଦରମା, ବୋନସ୍, ପ୍ରମୋଶନ୍, ଛୁଟି, ଭୋଜନ ଭଳି ସବୁ ସୁବିଧା ଦିଆଗଲା୤ ଭାରତ ଚୀନ ସୀମାରେ ହେଉଥିବା ସବୁ ଫ୍ଲାଗ୍ ମିଟିଂରେ ମଧ୍ୟ ତାଙ୍କୁ ଅଂଶଗ୍ରହଣ କରିବା ସୁଯୋଗ ମିଳିଲା୤ ପ୍ରତ୍ୟେକ ମିଟିଂରେ ହରଭଜନଙ୍କ ନାମରେ ଏକ ଖାଲି ଚୌକି ରଖାଯାଉଥିଲା୤ ପ୍ରତ୍ୟେକ ସୈନିକଙ୍କୁ ବର୍ଷରେ ଦୁଇମାସ ଛୁଟି ମିଳେ, ଠିକ୍ ସେମିତି ହରଭଜନ ସିଂଙ୍କୁ ବର୍ଷରେ ଦୁଇମାସ ଛୁଟି ଦିଆଯାଉଥିଲା୤ ତାଙ୍କ ନାମରେ ଟ୍ରେନ ଟିକେଟ୍ କଟାଯାଉଥିଲା, ଆଉ ସେନାର ଦୁଇଜଣ ସୈନିକ ତାଙ୍କ ସାମାନ ସାଥିରେ ନେଇ ତାଙ୍କ ଗାଁରେ ଛାଡ଼ିଦେଇ ଆସୁଥିଲେ ଏବଂ ଛୁଟି ସମାପନ ହେଲେ ସାମାନକୁ ପୁଣିଥରେ ଅଣାଯାଉଥିଲା୤ ଏହି ଦୁଇ ମାସ ସେନାବାହିନୀ ଅତ୍ୟଧିକ ସତର୍କତା ଅବଲମ୍ବନ କରୁଥିଲେ୤ କାରଣ ଏହି ଦୁଇମାସରେ ହରଭଜନ ସିଂଙ୍କ ଠାରୁ କୌଣସି ସହାୟତା ମିଳୁନଥିଲା୤ ବାବା ହରଭଜନ ସିଂଙ୍କୁ ସେନାର ନିୟମାନୁସାରେ ସମୟ ସମୟରେ ପ୍ରମୋଶନ ବି ଦିଆଯାଇଛି୤ ଜଣେ ସାମାନ୍ୟ ସୈନିକରୁ ସେ କ୍ୟାପଟେନ୍ ରୟାଙ୍କ୍ ପାଇଥିଲେ୤

ପ୍ରତ୍ୟେକ ସୈନିକ ସମୟ ଆସିଲେ ଅବସର ଗ୍ରହଣ କରିଥାଏ, ସେହିଭଳି କ୍ୟାପଟେନ୍ ହରଭଜନ ସିଂଙ୍କୁ ବର୍ଷ ୨୦୦୫ରେ ଅବସର ଦିଆଯିବାର ଥିଲା, କିନ୍ତୁ ତାଙ୍କର କର୍ତ୍ତବ୍ୟନିଷ୍ଠାକୁ ଆଖି ଆଗରେ ରଖି ତାଙ୍କୁ ବର୍ଷେ କାଳ ଅଧିକ ଦାୟିତ୍ବ ଦିଆଗଲା୤ ଏହିଭଳି ବର୍ଷ ୨୦୦୬ରେ ବାବା ହରଭଜନ ସିଂ ନିଜ ଦାୟିତ୍ବରୁ ଅବସର ଗ୍ରହଣ କରିଥିଲେ୤ ଅବସର ଗ୍ରହଣ ପରେ ହରଭଜନ ସିଂଙ୍କ ମାଆ ଯେତେଦିନ ପର୍ଯ୍ୟନ୍ତ ଜୀବିତ ଥିଲେ ତାଙ୍କୁ ହରଭଜନ ସିଂଙ୍କ ନାମରେ ପେନସନ୍ ବି ମିଳିଥିଲା୤

ଏହାପରେ ଭାରତୀୟ ସେନାବାହିନୀ ତାଙ୍କ ନାମରେ ଏକ ବିଶାଳ ଭବ୍ୟ ମନ୍ଦିର ନିର୍ମାଣ କରାଇଥିଲେ ଏବଂ ସେଠାରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ୤ ଏହି ମନ୍ଦିରରେ ବାବାଙ୍କ ଅଫିସ୍ ଓ ଶୟନଗାର ନିର୍ମାଣ କରାଯାଇଛି୤ ଅବସର ପରେ ବାବା ଏବେ ସବୁବେଳେ ସେହି ମନ୍ଦିରରେ ହିଁ ରହୁଛନ୍ତି୤ ଭାରତୀୟ ସେନା ଏହି ଦୁଇ ମନ୍ଦିରର ଦେଖାଶୁଣା କରନ୍ତି୤ ବାବାଙ୍କ କକ୍ଷକୁ ଦିନରେ ଦୁଇଥର ସଫା କରାଯାଏ୤ ସଠିକ୍ ସମୟରେ ତାଙ୍କୁ ଚା, ଜଳଖିଆ ଓ ଖାଦ୍ୟ ଦିଆଯାଏ୤ ବାବା ହରଭଜନ ସିଂ ଆଜିମଧ୍ୟ ସୀମା ସୁରକ୍ଷାରେ ବ୍ରତୀ ଅଛନ୍ତି୤ ପ୍ରତିଦିନ ସକାଳୁ ତାଙ୍କ କକ୍ଷକୁ ସଫା କରିବା ସମୟରେ ତାଙ୍କ ଜୋତା ଉପରେ ଧୁଳି ଓ ମଇଳା ଲାଗିଥିବା ଦେଖିବାକୁ ମିଳେ ଏବଂ ଶଯ୍ୟା ମଧ୍ୟ ଅସ୍ତବ୍ୟସ୍ତ ଥିବା ପରି ଦେଖାଯାଏ, ସତେ ଯେମିତି କେହି ସେଠାରେ ଶୋଇକି ଉଠିଛନ୍ତି୤ ସେହି ଅଞ୍ଚଳରେ ଯେବେ ବି କେହି ନୂଆ ସୈନିକ ନିଜ ଡ୍ୟୁଟିରେ ଯୋଗ ଦିଅନ୍ତି, ପ୍ରଥମେ ବାବା ହରଭଜନ ସିଂଙ୍କ ଶରଣରେ ଯାଆନ୍ତି୤

ବାବା ହରଭଜନ ସିଂହଙ୍କ ଉପରେ ତାଙ୍କ ଭକ୍ତମାନଙ୍କର ଗଭୀର ଆସ୍ଥା ରହିଛି ସେଇଥିପାଇଁ ବାବାଙ୍କ ମନ୍ଦିରରେ ବହୁତ ଭିଡ଼ ଦେଖିବାକୁ ମିଳେ୤ ଭକ୍ତମାନଙ୍କ ଦେଖାଶୁଣା ଓ ସୁବିଧା ତଥା ଅନ୍ୟାନ୍ୟ ବ୍ୟବସ୍ଥା ଦାୟିତ୍ବ ଭାରତୀୟ ସେନାବାହିନୀ ତୁଲାଇଥାଏ୤ ବାବାଙ୍କ ଦର୍ଶନରେ ଆସିଥିବା ଭକ୍ତ ନିଜ ମନୋସ୍କାମନା ଧଳାକାଗଜରେ ଲେଖି ଦେଇ ଯାଆନ୍ତି୤ ମାନ୍ୟତା ରହିଛି ଯେ ବାବା ନିଜ ଡ୍ୟୁଟି ସାରି ଫେରିବା ପରେ ସେହି ସବୁ ସମସ୍ୟାକୁ ପଢ଼ନ୍ତି ଓ ସମାଧାନର ଉପାୟ କରନ୍ତି୤ ଏହି ମନ୍ଦିରରେ ଭକ୍ତମାନେ କେବଳ ପାଣି ବୋତଲ ହିଁ ପ୍ରସାଦ ଭାବରେ ଚଢ଼ାଇ ପାରିବେ ବୋଲି ନିୟମ ରହିଛି୤

ଅବିଶ୍ବାସ ହେଉଥିଲେ ବି ସତ, ଏହିଭଳି କିଛି ଘଟଣା ଆମକୁ ପୁଣି ଥରେ ଚିନ୍ତା କରିବାକୁ ବାଧ୍ୟ କରେ, ଯେ କଣ ସତରେ ଆତ୍ମା ବୋଲି କିଛି ଅଛି? ସତରେ କଣ ମୃତ୍ୟୁପରେ କେହି ଫେରି ଆସିପାରେ? ବିଜ୍ଞାନକୁ ଆମେ ଯେତେ ଜାଣି ଜାଣି ଯାଉଛେ, ଆମର ଏହି ପକ୍ଷ ଦୁର୍ବଳ ହୋଇ ଯାଉଛି୤ କିନ୍ତୁ ଯେଉଁମାନେ ଏହି ସବୁ ଘଟଣା ଅଙ୍ଗେ ନିଭେଇଛନ୍ତି ସେମାନେ ଜଣେ ବା ଦୁଇଜଣ ହୋଇଥିଲେ ହୁଏତ ଆମେ କହି ଦେଇଥାନ୍ତେ ଯେ ସେମାନେ ଲୋକଙ୍କୁ ଠକୁଛନ୍ତି, କିନ୍ତୁ ଯେଉଁଠି ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା ଏହି ବିଷୟକୁ ଗୁରୁତର ସହ ସ୍ବୀକାର କରେ, ସେଇଠି ଆମ ଧାରଣା ଧୁଳିସାତ୍ ହେବାପରି ମନେ ହୁଏ୤

ଆପଣ କଣ ଭାବୁଛନ୍ତି ଏହି ବିଷୟରେ କମେଣ୍ଟ୍ କରି ନିଶ୍ଚୟ୍ ଜଣାଇବେ୤

Subscribe to Our channel : https://www.youtube.com/@drjyotiprasad


 

Comments