ଡିଶ୍ ଆଣ୍ଟେନାର ଭୂତ | Odia Horror Podcast । Odia Horror Podcast

 

ବର୍ଷ ୨୦୨୦ରେ କରୋନା ଭୂତାଣୁ ସମଗ୍ର ବିଶ୍ବକୁ ଆତଙ୍କିତ କରି ରଖିଥିବା ସମୟରେ ମୋ ସହ ଏମିତି କିଛି ଘଟଣା ଘଟିଗଲା ଯାହା ଏବେ ବି ମନେ ପକାଇଲେ ମୋ ରୋମ ଠିଆ ହୋଇଯାଏ୤ ଲକଡାଉନ୍ ସମୟର ଏହି ଘଟଣା ମୋ ଜୀବନରେ ଅନେକ ପରିବର୍ତ୍ତନ ନେଇ ଆସିଥିଲା୤

ଲକଡାଉନ ସମୟରେ ଘରୁ ବାହାରିବାକୁ ମନା କରି ଦିଆଯାଇଥିଲା, ତେଣୁ ଅଧିକାଂଶ ସମୟ ଘରେ ହିଁ ବିତୁଥିଲା୤ ସନ୍ଧ୍ୟାବେଳେ ମୁଁ ଆମ ଆପାର୍ଟମେଣ୍ଟ୍ ଉପର ଛାତରେ ଇଭିନିଂ ୱାକ୍ କରେ୤ ସେଦିନ ବି ମୁଁ ସନ୍ଧ୍ୟାରେ ଛାତ ଉପରକୁ ଯାଇଥିଲି୤ ଅନେକ ଲୋକ ଥାଆନ୍ତି ବୋଲି ମୁଁ ଟିକେ ବିଳମ୍ବରେ ଯାଏ୤ ଯେତେବେଳେ କେହି ନଥିବେ୤ ସେଦିନ ବି ଅନ୍ଧାର ହୋଇ ସାରିଥିଲା୤ ମୁଁ ଛାତ ଉପରେ ୱାକ୍ କରୁଥିବା ସମୟରେ ଛାତ ଉପର ଅନ୍ୟ ପାଖରୁ ଖଡଖଡ ଶବ୍ଦ ଶୁଭିଲା୤ ଛାତ ଉପରେ ମୋ ବ୍ୟତୀତ ଆଉ କେହି ଥିବା ଭଳି ଲାଗୁନଥିଲା ତେଣୁ ଏହି ଶବ୍ଦ କେଉଁଠୁ ଆସୁଛି ଦେଖିବା ପାଇଁ ମୁଁ ସେଇ ଆଡ଼କୁ ଚାଲିଲି୤ ସେ ପାଖରେ ଛାତ ଉପରେ ଡିଶ୍ ଆଣ୍ଟେନା ସବୁ ଲାଗିଥାଏ୤ ମନେ ହେଉଥିଲା ବୋଧହୁଏ ବିଲେଇ କିମ୍ବା ମୁଷା କିଛି ସେଇ ଢିଲା ଲାଗିଥିବା ଆଣ୍ଟେନା ଉପର ଦେଇ ଚାଲି ଯାଇଥିବ ତେଣୁ ଏଭଳି ଶବ୍ଦ ହେଉଥିଲା୤ ମୁଁ ଆଉ ସେ ଆଡ଼େ ବିଶେଷ ଧ୍ୟାନ ଦେଲି ନାହିଁ୤

କିଛି ସମୟ ପରେ ପୁଣିଥରେ ସେଇ ଶବ୍ଦ ଶୁଭିଲା୤ ପୁଣି ଶବ୍ଦ ବହୁତ ଅଧିକ ଥିଲା୤ ଲାଗୁଥିବା କେହି ଜଣେ ଲୁହା ଚେୟାରକୁ ଘସି ଘସି ଛାତ ଉପରେ ନେଇ ଯାଉଛି୤ ମୁଁ ପୁଣିଥରେ ସେଇ ଆଡ଼େ ଦେଖିଲି, ଅନ୍ଧାରରେ କିଛି ଦିଶୁନଥିଲା, ତେଣୁ ସେଇ ଆଡ଼କୂ ଯାଇ ଦେଖିବାକୁ ନିଷ୍ପତ୍ତି ନେଲି୤ ସେ ପାଖକୁ ଯାଇ ଦେଖେ ତ, ଡିଶ୍ ଆଣ୍ଟେନା କାନ୍ଥରୁ ବାହାରି ପଡିଛି ଆଉ ଖାଲି ବାହାରି ନାହିଁ, ଲାଗିଥିବା ସ୍ଥାନରୁ ପାଞ୍ଚ ଫୁଟ୍ ଦୂରରେ ପଡ଼ିଛି୤ ସେଦିନ ଏତେ ପବନ ବି ହେଉନଥିଲା୤ ତାହେଲେ ଡିଶ୍ ଆଣ୍ଟେନା ଏତେ ଦୂରକୁ ଆସିଲା କେମିତି? ଡିଶ୍ ଆଣ୍ଟେନା ସେମିତିରେ ବି ଭାରି ଥାଏ, ଏହାକୁ ବିରାଡ଼ି କିମ୍ବା ମୂଷା ଟାଣି ଟାଣି ଏତେ ଦୂରକୁ ଆଣିବା ସମ୍ଭବ ନୁହେଁ୤

ମୁଁ ମନେ ମନେ ଚିନ୍ତା କରୁଥିଲି, ଏହା କେମିତି ସମ୍ଭବ? ଏଇ ସମୟରେ ସେ ଡିଶ୍ ଆଣ୍ଟେନା ପୁଣିଥରେ ହଲିବାକୁ ଲାଗିଲା ଆଉ ଦେଖୁ ଦେଖୁ ପାଖାପାଖି ଦୁଇଫୁଟ୍ ଉଚ୍ଚକୁ ଉଠି ତଳେ ପଡ଼ିଲା୤ ଏହା ଦେଖିବା ପରେ ମୋତେ ଭୟ ଲାଗିଲା୤ ସାଙ୍ଗେ ସାଙ୍ଗେ ଗେଟ୍ କିପରକୁ ଫୋନ୍ କରି ଯେଉଁ ଫ୍ଲାଟର ସେ ଡିଶ୍ ଲାଗିଥିଲା ସେଇ ଫ୍ଲାଟ୍ ମାଲିକଙ୍କୁ ଛାତ ଉପରକୁ ଆସିବାକୁ କହିଲି୤ ସେ ଆସିବା ପରେ ସବୁ କଥା କହିଲି୤

ମୋ କଥା ଶୁଣି ସେ ବିଶ୍ବାସ କରିଲେ ନାହିଁ୤ କାରଣ ପବନ ହେଉନଥିଲା ଆଉ ଡିଶ୍ ଆଣ୍ଟେନା ଆପେ ଆପେ ଉପରକୁ ଉଠିବ କେମିତି? ଆପଣ ଅନ୍ଧାରରେ ଭୁଲ ଦେଖିଥିବେ ବୋଲି ସେ କହୁଥିବା ସମୟରେ ସେଇ ଡିଶ୍ ପୁଣିଥରେ ଆମ ଦୁଇଜଣଙ୍କ ସମ୍ମୁଖରେ ହିଁ ଉପରକୁ ଉଠି ତଳେ ପଡ଼ିଲା୤ ଏହା ଦେଖିବା ପରେ ସେ ବି ଡରିଗଲେ ଆଊ ଅଳ୍ପ ସମୟ ପରେ ଛାତ ଉପରେ ଗହଳି ହୋଇଗଲା୤ ଲୋକଙ୍କୁ ଲାଗୁଥିଲା ନିଶ୍ଚୟ ଏହା କୌଣସି ଭୌତିକ କାଣ୍ଡ୤

ସମସ୍ତଙ୍କ ସମ୍ମୁଖରେ ବି ସେଇ ଡିଶ୍ ସେମିତି ହଲୁଥିଲା ଆଉ ଉଠୁଥିଲା ପଡୁଥିଲା୤ ପିଲାମାନେ ଡରିବେ କହି, ବୟସ୍କ ମାନେ ମିଶି ସେଇ ଡିଶକୁ ଦଉଡ଼ିରେ ବାନ୍ଧିଦେଲୁ୤ ଅନ୍ଧାର ହୋଇ ରାତି ହେବାକୁ ଆସୁଥିଲା, ତେଣୁ ସକାଳୁ ହିଁ ଏହି ବିଷୟରେ କିଛି ନିଷ୍ପତ୍ତି ନିଆଯିବ ବୋଲି କହି ସମସ୍ତେ ଛାତ ଉପରୁ ତଳକୁ ଆସିଗଲେ୤

ରାତିରେ ପ୍ରାୟ ଦେଢ଼ଟା ବେଳକୁ ଆପାର୍ଟମେଣ୍ଟରେ ସମସ୍ତେ ଶୋଇଥିଲେ୤ ଆମ ଫ୍ଲାଟ୍ ଉପର ଫ୍ଲୋରରେ ଥିଲା୤ ରାତିରେ ହଠାତ ଶବ୍ଦ ହେଲା ସତେ ଯେମିତି ଛାତ ଉପରେ କେହି ଚାଲୁଛି୤ ସେମିତିରେ ତ କେହି ଚଲାବୁଲା କଲେ ଶବ୍ଦ ତଳକୁ ଆସେନାହିଁ, କିନ୍ତୁ ଏବେ ଏତେ ଜୋରରେ ଶବ୍ଦ ହେଉଥିଲା ଯେ ଲାଗୁଥିଲା ସତେ ଯେମିତି କେହି ଜଣେ ଭାରି ଲୋକ ଚାଲୁଥିଲା୤

ଆମ ଘରେ ସମସ୍ତଙ୍କ ନିଦ ଭାଙ୍ଗିଗଲା୤ ସେଇ ରାତିରେ ହିଁ ଆମେ ସାହାସ କରି ଛାତ ଉପରକୁ ଗଲୁ, ଦେଖିବା ପାଇଁ ଯେ ଛାତ ଉପରେ କିଏ ଅଛି! ହେଲେ ଉପରେ କେହିନଥିଲା୤ କିନ୍ତୁ ଶବ୍ଦ ତ ହୋଇଥିଲା୤ ପୁଣି ସେ ଶବ୍ଦ ସମସ୍ତେ ଶୁଣିଥିଲେ୤ ଛାତ ଉପରେ ଗୋଟିଏ ସ୍ଥାନରେ ଚୁନ ରଖାହୋଇଥିଲା ଆଉ ଯିଏ ବି ସେ ରାତିରେ ସେଇ ଛାତ ଉପରେ ଚାଲିଥିଲା ତା ପାଦଚିହ୍ନ ଛାତ ଉପରେ ପଡ଼ିଥିଲା୤

ସେଇ ବିଶାଳ ପାଦଚିହ୍ନ ମନୁଷ୍ୟମାନଙ୍କର ଭଳି ଲାଗୁନଥିଲା୤ ସନ୍ଧ୍ୟାର ଘଟଣା ମନେ ପକାଇ ଆମେ ସେଇ ଡିଶ୍ ବନ୍ଧା ହୋଇଥିବା ସ୍ଥାନକୁ ଗଲା ବେଳକୁ ସେଇଠି ଡିଶ୍ ଆଣ୍ଟେନା ନଥିଲା୤ ଆମେ ଭାବିଲୁ ବୋଧହୁଏ କେହି ଅନ୍ୟ ଫ୍ଲାଟ୍ ମାଲିକ ସେଇ ଡିଶ୍ ଆଣ୍ଟେନାକୁ ତଳକୁ ଫୋପାଡ଼ି ଦେଇଥିବେ୤

ହେଲେ ପାଦଚିହ୍ନ ଆମକୁ ଡରାଇବା ପାଇଁ ଯଥେଷ୍ଟ ଥିଲା୤ ଏତେ ବଡ଼ ବଡ଼ ପାଦ ଆମେ କେବେ ଦେଖିନଥିଲୁ୤

ରାତି ଅନେକ ହୋଇ ସାରିଥିଲା, ତେଣୁ ଯାହା ବି ହେବ, ସକାଳୁ ହିଁ ସମ୍ଭବ ବୋଲି ମନେ କରି ଆମେ ନିଜ ଫ୍ଲାଟକୁ ଫେରି ଆସିଲୁ୤ ହେଲେ ମୋତେ ନିଦ ଆଦୌ ଲାଗୁନଥାଏ୤ ମନେ ମନେ ଭୟ ବି ଲାଗୁଥିଲା ଯେ ଆମ ଏଇ ଆପାର୍ଟମେଣ୍ଟର ଛାତ ଉପରେ କୌଣସି ଭୂତପ୍ରେତର ଆତ୍ମା ବୁଲୁନାହିଁ ତ? ଆମର ଫ୍ଲାଟ୍ ସବୁଠୁ ଉପର ଫ୍ଲୋରରେ ଥିଲା, ତେଣୁ ଭୟ ଅଧିକ ଲାଗୁଥିଲା୤ ଏମିତି ଚିନ୍ତା କରୁ କରୁ ନିଦ ହୋଇଗଲା୤

ପରଦିନ ସକାଳୁ ସକାଳୁ ଆପାର୍ଟମେଣ୍ଟର ଅନେକ ଲୋକ ଛାତ ଉପରକୁ ଏକାଠି ହୋଇ ଗଲୁ୤ ଦେଖିବା ବେଳକୁ ରାତିରେ ବନ୍ଧାହୋଇ ରଖାଯାଇଥିବା ଡିଶ୍ ଆଣ୍ଟେନା ନିଜ ସ୍ଥାନରେ ହିଁ ପଡିଥିଲା୤ ଆଶ୍ଚର୍ଯ୍ୟ ରାତିରେ ତ ନଥିଲା୤ ମୁଁ ଆମ ପରିବାରର ଅନୁଭୂତି ବିଷୟରେ କହିବା ପରେ ସମସ୍ତେ ନିଷ୍ପତ୍ତି ନେଲେ ଯେ ବୋଧହୁଏ ସେଇ ଡିଶ୍ ଆଣ୍ଟେନାଟି ଅଭିଶପ୍ତ ହୋଇ ସାରିଛି୤ ତେଣୁ ତାହାକୁ ନଷ୍ଟ କରିଦେବା ହିଁ ଏକମାତ୍ର ଉପାୟ୤ ପରେ କୌଣସି ବିପଦ ଆସିବା ଅପେକ୍ଷା ଏହାକୁ ନଷ୍ଟ କରିଦେଲେ ସବୁ ସମାଧାନ ହୋଇଯିବ ବୋଲି ଅନେକ ମତ ଦେଇଥିଲେ୤

ଆପାର୍ଟମେଣ୍ଟର ଜଗୁଆଳି ହାତୁଡ଼ି ନେଇ ଆସି ଡିଶକୁ ବାଡ଼େଇବାକୁ ଲାଗିଲା, ଏଇ ସମୟରେ କେଉଁଠୁ କେଜାଣି କଳାକଳା ରଙ୍ଗର କିଛି ପଦାର୍ଥ ଛିଟିକା ମାରି ବାହାରିଲା ଆଉ ସେଥିରୁ ଉତ୍କଟ ଗନ୍ଧ ବି ହେଉଥିଲା୤ ସେ ଯାହେଉ, ଦୁଇଜଣ ଜଗୁଆଳି ସାହାସ କରି ସେ ଡିଶକୁ ହାତୁଡ଼ି ମାରି ମାରି ଭାଙ୍ଗିଦେବାପରେ ଆମ ଆପାର୍ଟମେଣ୍ଟରୁ ଦୂରକୁ ନେଇ ଖୋଲା ପଡ଼ିଆରେ ଥୋଇଦେଇ ପେଟ୍ରୋଲ୍ ପକାଇ ନିଆଁ ଲଗାଇଦେଲେ୤

ତଥାପି ଲୋକଙ୍କ ମନରେ ଭୟ ରହିଗଲା ତେଣୁ କେହି ଛାତ ଉପରକୁ ଅନେକ ଦିନ ପର୍ଯ୍ୟନ୍ତ ଗଲେ ନାହିଁ୤ ଅବଶ୍ୟ ସେଇ ଦିନ ପରେ ଆଉ ଛାତ ଉପରେ କୌଣସି ଶବ୍ଦ ଶୁଣିବାକୁ ମିଳିନାହିଁ୤ ଲୋକମାନେ ବି ଉପରକୁ ଯାଉଛନ୍ତି୤

Subscribe to Our channel : https://www.youtube.com/@drjyotiprasad 


Comments