ଋଷର ନିଦ୍ରାହୀନତା ଗବେଷଣା | Odia Horror Podcast


ଋଷିଆର ନିଦ୍ରାହୀନତା ଉପରେ ଗବେଷଣା

ଏହି କାହାଣୀ ଅନେକ ଦୃଷ୍ଟିରୁ ଅତ୍ୟନ୍ତ ଭୟଙ୍କର ଏବଂ ଅବିଶ୍ବାସଜନକ ଅଟେ୤ ଏଥିରେ ଏଭଳି କିଛି କଥା ବର୍ଣ୍ଣନା ହୋଇଛି ଯାହା ସାଧାରଣ ମାନବର ମାନସିକ ସ୍ବାସ୍ଥ୍ୟ ଓ ସାମାଜିକ ସ୍ବାସ୍ଥ୍ୟ ସହ ଜଡ଼ିତ, ତେଣୁ ଏହାର ସତ୍ୟତା ପ୍ରମାଣିତ କରିବା ଯେତେ ଜରୂରୀ ହୁଏନାହିଁ, ତାଠାରୁ ଢେର ଅଧିକ ଜରୂରୀ ହୋଇପଡ଼େ ଏଥିରେ ଦିଆଯାଇଥିବା ତଥ୍ୟକୁ ନେଇ ଅଧିକ ଗବେଷଣା କରାଯିବା୤

ଯେଉଁମାନେ ଏହି ବିଷୟରେ ଆଦୌ ଜାଣିନାହାନ୍ତି, ସେମାନଙ୍କୁ ଅତି ସ୍ବଳ୍ପରେ ବୁଝାଇବାକୁ ହେଲେ ଏତିକି କୁହାଯାଇ ପାରିବ ଯେ ଦ୍ବିତୀୟ ବିଶ୍ବଯୁଦ୍ଧପରେ ଋଷିଆ ଦ୍ବାରା ବନ୍ଦୀ ହୋଇଥିବା କିଛି ସୈନିକଙ୍କୁ ନେଇ ଏକ ଅଦ୍ବିତୀୟ ଗବେଷଣା କରାଯାଇଥିଲା୤ ଏହି ଗବେଷଣା ମନୁଷ୍ୟକୁ ନିଦ୍ରାର ଅଭାବ ହେଲେ କେଉଁଭଳି ପ୍ରତିକ୍ରିୟା ସୃଷ୍ଟି ହୁଏ ସେ ବିଷୟରେ ଜାଣିବା ସହ ଏଭଳି ଏକ ବାଷ୍ପର ପରୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଥିଲା, ଯାହା ମନୁଷ୍ୟକୁ ଅନେକ ଦିନ ଥରେ ଆଦୌ ଶୁଆଇ ଦେବନାହିଁ୤ ଏଥିରେ ଯେଉଁ ବ୍ୟକ୍ତିମାନଙ୍କୁ ସାମିଲ କରାଯାଇଥିଲା, ସେମାନଙ୍କୁ ଟେଷ୍ଟ୍ ସବଜେକ୍ଟସ୍ ବୋଲି କୁହାଯାଇଥିଲା୤ ଏହି ପରୀକ୍ଷା ପରେ ଯେଉଁ ସବୁ ଭୟଙ୍କର ପରିଣାମ ସୃଷ୍ଟି ହେଲା ଏବଂ ରାକ୍ଷସ ଭଳି ମନୁଷ୍ୟର ପରିବର୍ତ୍ତନ ହେଲା ସେ ସବୁର ଛବି ସାଧାରଣତଃ ଏହି କାହାଣୀ ସହ ଦେଖିବାକୁ ମିଳିଥାଏ୤ ହେଲେ ଏ ସବୁ ଯେ ଏକ ଭ୍ରାନ୍ତ ଧାରଣା ତାହା ବିଶ୍ବାସ କରିବା ସମ୍ଭବପର ନୁହେଁ୤

ତା ହେଲେ କଣ ଥିଲା ଏହି ପରୀକ୍ଷଣ

୧୯୪୦ ଦଶକରେ ଋଷିଆର ବୈଜ୍ଞାନିକ ମାନେ ଏକ ନୂତନଭାବେ ଆବିଷ୍କୃତ ବାଷ୍ପକୁ ବ୍ୟବହାର କରି ପାଞ୍ଚଜଣ ବ୍ୟକ୍ତିଙ୍କୁ ପନ୍ଦର ଦିନ ପର୍ଯ୍ୟନ୍ତ ଜାଗ୍ରତ କରି ରଖିଥିଲେ୤ ଅର୍ଥାତ ସେମାନେ ପନ୍ଦର ଦିନ ପର୍ଯ୍ୟନ୍ତ ଆଦୌ ଶୋଇନଥିଲେ୤ ସେମାନଙ୍କ ଶାରୀରିକ ଓ ମାନସିକ ପରିବର୍ତ୍ତନକୁ ଲକ୍ଷ୍ୟ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଏକ ନିୟନ୍ତ୍ରିତ ଗବେଷଣା କକ୍ଷରେ ରଖାଯାଇଥିଲା୤ ବଞ୍ଚିବା ପାଇଁ ଆବଶ୍ୟକ ଅମ୍ଲଜାନ ସେ ଭିତରେ ସେମାନଙ୍କୁ ଦିଆଯାଉଥିଲା୤ କାରଣ ଗବେଷଣା କରାଯାଉଥିବା ବାଷ୍ପ ଅଧିକ ମାତ୍ରାରେ ଗ୍ରହଣ କରିଲେ ତାହାର ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି ହେବାର ସମ୍ଭାବନା ଥାଏ୤ ସେମାନଙ୍କ ସହ ଯୋଗାଯୋଗ କରିବା ପାଇଁ କକ୍ଷ ଭିତରେ ମାଇକ୍ରୋଫୋନ୍ ଲଗାଯାଇଥିଲା ଏବଂ କକ୍ଷକୁ ବାହାରୁ ଦେଖିବା ପାଇଁ ପାଞ୍ଚଇଞ୍ଚ ମୋଟା କାଚର ଝରକା ଥିଲା୤ କକ୍ଷ ଭିତରେ ପଢ଼ିବା ପାଇଁ ଅନେକ ପୁସ୍ତକ ରଖାଯାଇଥିଲା୤ ଶୋଇବା ପାଇଁ ଖଟ ବି ଥିଲା, ଅବଶ୍ୟ ସେ ଖଟ ଉପରେ ଶେଯ ନଥିଲା୤ ସ୍ନାନ ଶୌଚ ପାଇଁ ଜଳର ବ୍ୟବସ୍ଥା ଥିଲା ଏବଂ ସେ ପାଞ୍ଚଜଣ ମାସାଧିକ କାଳ ବଞ୍ଚିବା ସକାଶେ ଆବଶ୍ୟକ ଶୁଖିଲା ଖାଦ୍ୟ ରଖାଯାଇଥିଲା୤

ଯେଉଁ ପାଞ୍ଚଜଣ ବ୍ୟକ୍ତି ଏହି ଗବେଷଣାରେ ଅଂଶ ଗ୍ରହଣ କରିଥିଲେ ସେମାନେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଶତ୍ରୁପକ୍ଷରୁ ବନ୍ଦୀ ହୋଇଥିଲେ୤ ସେମାନଙ୍କୁ କଥା ଦିଆଯାଇଥିଲା ଯେ ୩୦ ଦିନର ଏହି ଗବେଷଣା ସମାପନ ପରେ ସେମାନଙ୍କୁ ନିଜ ଦେଶକୁ ଛାଡ଼ି ଦିଆଯିବ୤

ଗବେଷଣାର ପ୍ରଥମ ପାଞ୍ଚଦିନ ସୁରୁଖୁରୁରେ ବିତିଗଲା୤ କେହି ବି କୌଣସି ପ୍ରକାରର ଅଭିଯୋଗ ବା ଅସୁବିଧା କଥା କହିନଥିଲେ୤ ସେହି କକ୍ଷରେ ବନ୍ଦଥିବା ଏହି ବ୍ୟକ୍ତିମାନେ ପରସ୍ପର ସହ ତାଙ୍କ ଅତୀତ ଜୀବନର ଦୁଃଖଦ ଅନୁଭୂତି ସବୁ ବର୍ଣ୍ଣନା କରିବାକୁ ଲାଗିଲେ୤ ଚାରିଦିନ ବିତିଗଲା ପରେ ଅତି ଭୟଙ୍କର ଓ ଦୁଃଖର କଥାବାର୍ତ୍ତା ସବୁ ହେବାକୁ ଲାଗିଲା୤ ପାଞ୍ଚ ଦିନ ପରେ ସେମାନେ ନିଜର ବର୍ତ୍ତମାନର ସ୍ଥିତିପାଇଁ ନିଜ ଦେଶର ସରକାର ଓ ସେନାବାହିନୀକୁ ଗାଳି ଦେବାକୁ ଲାଗିଲେ ଏବଂ ମାନସିକ ଅସ୍ଥିରତାର ଲକ୍ଷଣ ସବୁ ଦେଖାଗଲା୤ ଧିରେ ଧିରେ ସେମାନେ ପରସ୍ପର ଆଉ କଥା ହେଲେ ନାହିଁ୤ ସେମାନେ ଏବେ ମାଇକ୍ରୋଫୋନ୍ ପାଖକୁ ଆସି ଧିରେ ଧିରେ ଫିସ୍ ଫିସ୍ ହୋଇ କଥା ହେବାକୁ ଲାଗିଲେ୤ ସେମାନେ ବୋଧହୁଏ ଭାବୁଥିଲେ ଯେ ସେମାନେ ଏଭଳି କରି ଗବେଷଣା କରୁଥିବା ବୈଜ୍ଞାନିକ ମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିବେ ଏବଂ ଅନ୍ୟମାନଙ୍କ ଅପେକ୍ଷା ସେମାନଙ୍କୁ ଶୀଘ୍ର ମୁକ୍ତି ମିଳିଯିବ୤ ଏଣେ ଗବେଷକ ମାନେ ଭାବୁଥିଲେ ଏହିଭଳି ପ୍ରତିକ୍ରିୟା ବୋଧହୁଏ ସେହି ବାଷ୍ପ ଯୋଗୁଁ ହୋଇ ଥାଇପାରେ୤

ନଅଦିନ ପରେ ସେହି ବନ୍ଦୀମାନଙ୍କ ମଧ୍ୟରେ ଜଣେ ଜୋର ଜୋରରେ ଚିତ୍କାର କରିବାକୁ ଲାଗିଲା୤ ସେ ଅତି ଉଚ୍ଚସ୍ବରରେ ଚିତ୍କାର କରି କରି ସେଇ ଗବେଷଣା କକ୍ଷରେ ଏପାଖରୁ ସେପାଖ ଧାଇଁବାକୁ ଲାଗିଲା୤ ସେ ଏଭଳି ପାଖାପାଖି ତିନିଘଣ୍ଟା କାଳ କରିଥିଲା୤ ଶେଷରେ ସେ ଆଦୌ ଚିତ୍କାର କରି ପାରିଲା ନାହିଁ ଏବଂ ତା ଗଳାରୁ ସ୍ବର ବାହାରୁନଥିଲା୤ ଗବେଷକ ମାନଙ୍କୁ ଲାଗୁଥିଲା ଯେ ସେହି ଚିତ୍କାର କରି କରି ସେ ନିଜ ଗଳାର ସ୍ବରଗ୍ରନ୍ଥିକୁ ନିଜେ ହିଁ ନଷ୍ଟ କରି ଦେଇଥିଲେ୤ ହେଲେ ଆଶ୍ଚର୍ଯ୍ୟର କଥା ଥିଲା ସେଇ ବ୍ୟକ୍ତି ଜଣକ ଏଭଳି ବ୍ୟବହାର କରୁଥିବା ସମୟରେ ଅନ୍ୟମାନେ କିନ୍ତୁ ଶାନ୍ତ ଥିଲେ୤ ଅନ୍ୟମାନେ ମାଇକ୍ରୋଫୋନରେ ଧିର ସ୍ବରରେ କଥା କହୁଥିଲେ୤ ପ୍ରଥମ ବ୍ୟକ୍ତିଙ୍କ ଚିତ୍କାର ସରିବାର କିଛି ସମୟ ପରେ ଦ୍ବିତୀୟ ବ୍ୟକ୍ତିଜଣେ ସେହିଭଳି ବିକାର ଦେଖାଇବାକୁ ଆରମ୍ଭ କରିଦେଲେ୤ ସେ କିନ୍ତୁ କେବଳ ଚିତ୍କାର କରୁନଥିଲେ ବରଂ ଥାକରେ ରଖାଯାଇଥିବା ବହି ସବୁକୁ ଚିରି ପକାଇ ନିଜ ମୁହଁରେ ଲଗାଇବା ସହ କାଚ ଝରକାରେ ଲଗାଇ ଦେଇଥିଲେ୤ ହେଲେ କିଛି ସମୟ ପରେ ଚିତ୍କାର ବନ୍ଦ ହୋଇ ଯାଇଥିଲା୤ ଆଉ ମାଇକ୍ରୋଫୋନରେ ଶୁଣାଯାଉଥିବା ଧିର ସ୍ବର ସବୁ ମଧ୍ୟ ବନ୍ଦ ହୋଇଗଲା୤

ଏହାପରେ ଆଉ ତିନିଦିନ ବିତିଗଲା, ସବୁକିଛି ଠିକ୍ ଭାବରେ କାମ କରୁଛି କି ନାହିଁ ଜାଣିବା ପାଇଁ ଗବେଷକମାନେ ବାରମ୍ବାର ମାଇକ୍ରୋଫୋନ୍ ସବୁକୁ ଘଣ୍ଟାକୁ ଥରେ ପରୀକ୍ଷା କରୁଥାନ୍ତି୤ କାରଣ ହଠାତ କକ୍ଷରୁ କୌଣସି ଶୋରଶବ୍ଦ ଶୁଣାଗଲାନାହିଁ୤ ପାଞ୍ଚଜଣ ବ୍ୟକ୍ତି ଥାଉ ଥାଉ କିଛି ବି ଶବ୍ଦ ନ ଶୁଣାଯିବା ସମ୍ଭବ ମନେ ହେଉନଥିଲା୤ କିନ୍ତୁ କକ୍ଷରେ ବ୍ୟବହୃତ ଅମ୍ଲଜାନରୁ ଜଣାପଡୁଥିଲା ସେମାନେ ବଞ୍ଚିଛନ୍ତି୤ ଚଉଦ ଦିନ ସକାଳୁ ଗବେଷକ ମାନେ ଭିତରେ ରହୁଥିବା ବ୍ୟକ୍ତିମାନଙ୍କ ପ୍ରତିକ୍ରିୟା ଜାଣିବାକୁ ଉତ୍ସୁକ ହୋଇଗଲେ୤ କାରଣ ଭିତରୁ କୌଣସି ଶବ୍ଦ ଶୁଣାଯାଉନଥିଲା୤ ସେମାନେ ସନ୍ଦେହ କରୁଥିଲେ, କାଳେ ସେମାନେ ସବୁ ମୃତ କିମ୍ବା ସ୍ଥାଣୁ ପାଲଟି ଯାଇଛନ୍ତି୤ କକ୍ଷରେ ଲାଗିଥିବା ଇଣ୍ଟରକମ୍ ଦ୍ବାରା ସେମାନେ ଘୋଷଣା କରିଦେଲେ, “କକ୍ଷରେ ଲାଗିଥିବା ମାଇକ୍ରୋଫୋନ୍ ସବୁକୁ ପରୀକ୍ଷା କରିବାପାଇଁ କକ୍ଷର କବାଟ କିଛି ସମୟ ପାଇଁ ଖୋଲାଯିବ୤  ତୁମେ ସମସ୍ତେ କବାଟ ଠାରୁ ଦୂରକୁ ଚାଲିଯାଅ ଏବଂ ତଳମୁହଁ ହୋଇ ତଳେ ଶୋଇରହ୤ ଯଦି ଏଭଳି କରିବ ନାହିଁ, ତ ତୁମକୁ ଗୁଳି କରି ମାରି ଦିଆଯିବ୤”

ଆଶ୍ଚର୍ଯ୍ୟଜନକ ଭାବରେ ଭିତରୁ କେବଳ ଜଣକର ସ୍ବର ଶୁଭିଲା ଆଉ ସେ କହୁଥିଲେ, “ଆମକୁ ମୁକ୍ତି ଆବଶ୍ୟକ ନାହିଁ୤”

ଏହାପରେ ଗବେଷକ ଏବଂ ସେନାବାହିନୀ ମଧ୍ୟରେ ଆଲୋଚନା କରାଗଲା୤ ଭିତରୁ ଆଉ କୌଣସି ପ୍ରକାର ପ୍ରତିକ୍ରିୟା ନ ମିଳିବା ପରେ ନିଷ୍ପତ୍ତି ନିଆଗଲା ଯେ ପନ୍ଦରତମ ଦିନର ମଧ୍ୟରାତ୍ରୀରେ କକ୍ଷର ମୁଖ୍ୟ ଦ୍ବାର ଖୋଲାଯିବ୤

କକ୍ଷରୁ ଗବେଷଣା ବାଷ୍ପକୁ ପ୍ରତ୍ୟାହାର କରି ନିଆଯାଇ ଅମ୍ଲଜାନ ଭରି ଦିଆଗଲା୤ ହେଲେ ଭିତରୁ ମାଇକ୍ରୋଫୋନ ଦ୍ବାରା ଏହି ପଦକ୍ଷେପର ବିରୋଧ କରାଗଲା୤ ତିନିଜଣ ଭିକ୍ଷା ମାଗୁଥିବା ଭଳି କହୁଥିଲେ ଆମକୁ ସେଇ ବାଷ୍ପ ହିଁ ଦେଇଦିଅ୤ ଦ୍ବାର ଖୋଲାଗଲା ପରେ ସୈନିକ ମାନେ ଭିତରେ ପ୍ରବେଶ କରିଲେ, ହେଲେ ଭିତରେ ଥିବା ବ୍ୟକ୍ତିମାନେ ଆହୁରି ଅଧିକ ଚିତ୍କାର କରିବାକୁ ଲାଗିଲେ୤ ହେଲେ ଭିତରର ଦୃଶ୍ୟ ଦେଖି ସୈନିକମାନେ ମଧ୍ୟ ବିଚଳିତ ହୋଇ ଚିତ୍କାର କରିବାକୁ ଲାଗିଲେ୤ ପାଞ୍ଚଜଣ ମଧ୍ୟରୁ ଚାରିଜଣ ବଞ୍ଚିଥିଲେ୤ କିନ୍ତୁ କେହି ବି ସାଧାରଣ ମନୁଷ୍ୟଭଳି ମନେ ହେଉନଥିଲେ୤

ପାଞ୍ଚଦିନ ପରେ ସେମାନେ କୌଣସି ଖାଦ୍ୟ ଛୁଇଁ ନଥିଲେ୤ ମୃତ ବ୍ୟକ୍ତିଙ୍କ ଛାତି ଓ ଜଙ୍ଘର ମାଂସକୁ ଝୁଣି ସେମାନେ କକ୍ଷରେ ବେସିନ ତଳେ ଥିବା ପାଇପକୁ ବନ୍ଦ କରିଦେବାଫଳରେ କୋଠରୀ ଭିତରେ ଚାରି ଇଞ୍ଚ ଉଚ୍ଚ ପାଣି ଭର୍ତ୍ତି ହୋଇଯାଇଥିଲା୤ ସେଥିରେ ରକ୍ତ କେତେ ଥିଲା ତାହା କହିବା ସମ୍ଭବ ନଥିଲା୤ ଯେଉଁ ମାନେ ବଞ୍ଚିଥିଲେ ସେମାନଙ୍କ ଶରୀରର ଚମଡ଼ା ଓ ମାଂସପେଶୀ ସବୁ ଛିଡ଼ାଯାଇଥିଲା୤ ସେମାନଙ୍କ ଆଙ୍ଗୁଠିରୁ ମାଂସ ଛିଡ଼ିଯାଇଥିବା ଦେଖି ଅନୁମାନ କରାଯାଉଥିଲା ଯେ ସେମାନେ ନିଜେ ହିଁ ନିଜ ହାତରେ ମାଂସ ସବୁକୁ ଛିଡ଼ାଇଛନ୍ତି୤ ଏବଂ ସେହି ସବୁ କଟାଅଂଶ ଦେଖି ଜଣାପଡୁଥିଲା ଯେ ପ୍ରତ୍ୟେକେ ନିଜେ ହିଁ ନିଜକୁ ଏଭଳି କରିଥିଲେ୤

ଛାତିର ପଞ୍ଜରା ତଳେ ପେଟରେ ଥିବା ଅନ୍ତବୁଜୁଳା ସବୁ ବାହାରକୁ ବାହାରିଥିଲା୤ ପଞ୍ଜରା ଭିତରେ ହୃତପିଣ୍ଡ, ଫୁସଫୁସ୍ ଆଦି ସଠିକ ସ୍ଥାନରେ ଥିବା ବେଳେ, କିନ୍ତୁ ପଞ୍ଜରା ହାଡ଼ରେ ଲାଗିଥିବା ମାଂସପେଶୀ ସବୁ ଛିଣ୍ଡି ଯାଇଥିଲା୤ ସବୁ ରକ୍ତନଳୀ ଓ ଅଙ୍ଗପ୍ରତ୍ୟଙ୍ଗ ଠିକ୍ ଥିଲା, କେବଳ୍ ସେ ସବୁକୁ ବାହାରକୁ ବାହାର କରାଯାଇ ଚଟାଣ ଉପରେ ଚାରି ଆଡ଼େ ବିଛେଇ ପକାଇ ଦିଆଯାଇଥିଲା୤ ଶରୀରର ଅଧିକାଂଶ ଅଙ୍ଗ ଶରୀର ସହ ଲାଗିକରି ହିଁ ଥିଲା, ତେଣୁ ପାକତନ୍ତ୍ର ସଠିକ୍ କାମ କରୁଥିବା ଅନୁମାନ କରାଗଲା୤ ଭଲଭାବରେ ଦେଖିବା ପରେ ଜଣାପଡ଼ିଥିଲା ଯେ ସେହି ବ୍ୟକ୍ତିମାନେ ଅନେକ ଦିନଧରି ନିଜ ଶରୀରର ମାଂସକୁ ଛିଡାଇ ନିଜେ ହିଁ ଖାଇଛନ୍ତି୤

କୋଠରୀର ନିରୀକ୍ଷଣ ପାଇଁ ଯାଇଥିବା ସୈନିକ ସବୁ ଋଷିଆର ସ୍ପେଶାଲ୍ ଫୋର୍ସରୁ ଥିଲେ ସୁଦ୍ଧା ସେମାନେ ଏହି ଗବେଷଣା କରାଯାଉଥିବା ବ୍ୟକ୍ତିମାନଙ୍କୁ ବାହାରକୁ ଆଣିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ୤ ସେପାଖେ ଅର୍ଦ୍ଧମୃତ ସେହି ଗବେଷଣାର ବନ୍ଦୀମାନେ ଚିତ୍କାର କରି ପୁଣିଥରେ ସେହି ବାଷ୍ପ ଚଳାଇବାକୁ ଅନୁରୋଧ କରୁଥିଲେ୤

ସେମାନଙ୍କୁ ଗବେଷଣା କୋଠରୀରୁ ବାହାରକୁ ଆଣିବା କାଠିକର ପାଠ ହୋଇଗଲା୤ ସେମାନେ ବାହାରକୁ ଆସିବାକୁ ଆଦୌ ଚାହୁଁନଥିଲେ୤ ଏହି ଠେଲାପେଲା ଭିତରେ ଜଣେ ସୈନିକର ଗଳାକୁ ଧରି ଟାଣିବା ପରେ ସେ ସେଠାରେ ମୃତ୍ୟୁବରଣ କରିଥିଲା୤ ଅନ୍ୟ ଜଣେ ସୈନିକର ଅଣ୍ଡକୋଷକୁ ଭିଡ଼ିବା ଦ୍ବାରା ସେ ଗୁରୁତର ଭାବରେ ଆହତ ହୋଇଥିଲେ୤ ସେହି ସୈନିକର ଗୋଡ଼କୁ କାମୁଡ଼ିଦେବା ଦ୍ବାରା ରକ୍ତନଳୀ କଟି ଯାଇ ରକ୍ତକ୍ଷରଣ ହେବାକୁ ଲାଗିଥିଲା୤ ଏହି ଘଟଣାରେ ଆହୁରି ପାଞ୍ଚଜଣ ସୈନିକ ମୃତ୍ୟୁବରଣ କରିଥିଲେ ଏବଂ ସେଥିରୁ ଜଣେ ଆତ୍ମହତ୍ୟା କରିଥିଲେ୤

ଗବେଷଣା କୋଠରୀରେ ଟଣାଟଣି ଚାଲିଥିବା ବେଳେ ଜଣେ ଗବେଷଣା ବ୍ୟକ୍ତିର ପ୍ଲୀହା ଫାଟିଯାଇ ରକ୍ତ ଝରିବାକୁ ଲାଗିଲା, ତାକୁ ନିଶ୍ଚେତକ ଦେଇ ବଞ୍ଚାଇବାର ପ୍ରଚେଷ୍ଟା ବିଫଳ ହେଉଥିଲା୤ ସାଧାରଣ ଠାରୁ ଦଶଗୁଣ ଅଧିକ ଶକ୍ତିଶାଳୀ ଇଞ୍ଜେକ୍ସନ ଦେବା ସତ୍ତ୍ବେ ସେ ଚେତା ହରେଇନଥିଲା ଏବଂ ହିଂସ୍ରପଶୁ ଭଳି ଡାକ୍ତରଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ପଞ୍ଜରା ହାଡ଼ ଓ ହାତ ଭାଙ୍ଗିଗଲା୤

ସେହି ବ୍ୟକ୍ତିଜଣକ ଶରୀରରୁ ସମସ୍ତ ରକ୍ତ ବହିଗଲା ପରେ ସୁଦ୍ଧା ପ୍ରାୟ ତିନିମିନିଟ୍ ପର୍ଯ୍ୟନ୍ତ ସେ ଚିତ୍କାର କରିଥିଲେ ଏବଂ ଧିରେ ଧିରେ ନିଜର ଶକ୍ତି ହରାଇବା ପରେ ପ୍ରାଣବାୟୁ ଉଡ଼ି ଯାଇଥିଲା୤

ବାକି ବଞ୍ଚିଥିବା ତିନିଜଣ ବ୍ୟକ୍ତିଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା୤ ସେମାନେ କିନ୍ତୁ ବାରମ୍ବାର ସେହି ବାଷ୍ପ ଦିଆଯିବା ପାଇଁ ଅନୁରୋଧ କରୁଥିଲେ୤

ତିନିଜଣଙ୍କ ମଧ୍ୟରେ ଯେଉଁ ବ୍ୟକ୍ତିଙ୍କୁ ସବୁଠାରୁ ଅଧିକ କ୍ଷତ ହୋଇଥିଲା ତାଙ୍କୁ ଅସ୍ତ୍ରୋପଚାର ପାଇଁ ନିଆଗଲା ହେଲେ ନିଶ୍ଚେତକ କାମ କରିନଥିଲା୤ ସେ ବହୁତ ଭୟଙ୍କର ଭାବରେ ଲଢେଇ କରିଥିଲା ଏବଂ ବହୁତ କଷ୍ଟରେ ତାଙ୍କୁ ନିଶା ଇଞ୍ଜେକ୍ସନ ଦେବା ବେଳକୁ ସେ ଅସ୍ତ୍ରୋପଚାର କକ୍ଷରେ ହିଁ ମୃତ୍ୟୁବରଣ କରିଥିଲା୤ ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିଥିଲା ଯେ ସେହି ବ୍ୟକ୍ତିର ରକ୍ତରେ ଆବଶ୍ୟକତା ଠାରୁ ତିନିଗୁଣ ଅଧିକ ଅମ୍ଲଜାନ ଥିଲା୤ ଏବଂ ଅସ୍ତ୍ରୋପଚାରକୁ ବିରୋଧ କରି ସେ ଯେଉଁ ଲଢେଇ କରିଥିଲା ସେଥିରେ ଶରୀରର ନଅଟି ହାଡ଼ ଭାଙ୍ଗିଯାଇଥିଲା୤

ବର୍ତ୍ତମାନ ବଞ୍ଚିଥିବା ଦୁଇଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଉଚ୍ଚ ସ୍ବରରେ ଚିତ୍କାର କରୁଥିଲା୤ ଏହି ପ୍ରଚେଷ୍ଟାରେ ସେ ନିଜ ସ୍ବରଗ୍ରନ୍ଥି ନଷ୍ଟ କରି ପକାଇଲା୤ ତାଙ୍କୁ ଅସ୍ତ୍ରୋପଚାର ପାଇଁ ନେବା ବେଳକୁ ଆଉ ବିରୋଧ କରିବା ଭଳି ଧୈର୍ଯ୍ୟ ବା ସାହାସ ନଥିଲା୤ ନିଶ୍ଚେତକ ଦିଆଯିବା ସତ୍ତ୍ବେ ତାହା କାମ କରିନଥିଲ ତେଣୁ ଶେଷରେ ବିନା ନିଶ୍ଚେତକରେ ଛଅ ଘଣ୍ଟାର ଅପରେସନ ପରେ ତାଙ୍କ ଶରୀରର ସବୁ ଅଙ୍ଗକୁ ସଠିକ ଭାବରେ ସଜାଇ ଦିଆଗଲା୤ ସେ କିଛି ପ୍ରତିକ୍ରିୟା ଦେଖାଇନଥିଲେ୤ ଅସ୍ତ୍ରୋପଚାର କରୁଥିବା ଡାକ୍ତର କହିଥିଲେ ଯେ ବ୍ୟକ୍ତିଜଣଙ୍କ ବଞ୍ଚିପାରିବେ୤ ଅସ୍ତ୍ରୋପଚାର ସମୟରେ ସେହି ବ୍ୟକ୍ତିଜଣକ ନର୍ସମାନଙ୍କୁ ଚାହିଁ ହସୁଥିବା କଥା ଭୟଭୀତା ନର୍ସମାନେ କହିଥିଲେ୤

ଅସ୍ତ୍ରୋପଚାର ଶେଷରେ ବ୍ୟକ୍ତିଜଣକ କିଛି କହିବାକୁ ଚାହୁଁଥିଲେ ହେଲେ କହି ପାରୁନଥିଲେ ତେଣୁ ତାଙ୍କପାଇଁ ପେନ୍ ଓ କାଗଜ ଅଣାଗଲା ପରେ ସେ କେବଳ ଏତିକି ଲେଖିଥିଲେ, “ଆହୁରି କାଟି ଚାଲ”୤

ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ବିନା ନିଶ୍ଚେତକରେ ଅସ୍ତ୍ରୋପଚାର କରାଗଲା୤ ଅସ୍ତ୍ରୋପଚାର ସମୟରେ ସେହି ବ୍ୟକ୍ତିମାନେ ବାରମ୍ବାର ହସୁଥିବାର ଦେଖି ସର୍ଜନ ଚିନ୍ତାରେ ପଡି ଯାଉଥିଲେ୤ ଅସ୍ତ୍ରୋପଚାର ପରେ ଯେତେବେଳେ ସେହି ବ୍ୟକ୍ତିମାନଙ୍କୁ ପ୍ରଶ୍ନ କରାଗଲା, କାହିଁକି ସେମାନେ ସେଇ ବାଷ୍ପର ଦାବୀ କରୁଛନ୍ତି ଏବଂ କାହିଁକି ସେମାନେ ନିଜକୁ ଏଭଳି କ୍ଷତି ପହଞ୍ଚାଇଲେ?

କେବଳ ଗୋଟିଏ ଉତ୍ତର ହିଁ ମିଳିଥିଲା, “ମୁଁ ଜାଗ୍ରତ ରହିବା ଆବଶ୍ୟକ୤”

ସେହି ତିନିଜଣ ସଦସ୍ୟଙ୍କୁ ପୁଣିଥରେ ଗବେଷଣା କକ୍ଷରେ ଛାଡ଼ି ଦିଆଗଲା୤ ସେମାନଙ୍କ ସହ କଣ କରାଯିବ ସେଇ ବିଷୟରେ କିଛି ନିଷ୍ପତ୍ତି ନିଆଯିବାର ଥିଲା୤ ଏହି ଗବେଷଣା ବିଫଳ ହୋଇଥିବା ମନେ କରି ସେନାବାହିନୀ ଗବେଷକ ମାନଙ୍କୁ ନିନ୍ଦାକରୁଥିବା ବେଳେ ଗବେଷକମାନେ ସେହି ବନ୍ଦୀମାନଙ୍କୁ ଇଚ୍ଛାମୃତ୍ୟୁ ଦେବା ସପକ୍ଷରେ ଥିଲେ୤ ହେଲେ ଏହି ଗବେଷଣାର କମାଣ୍ଡିଂ ଅଫିସର ଜଣେ ପୂର୍ବତନ କେଜିବି ଏଜେଣ୍ଟ୍ ଦେଖିବାକୁ ଚାହିଁଥିଲେ ଯେ ଏହି ବ୍ୟକ୍ତିମାନଙ୍କୁ ପୁଣିଥରେ ସେହି ବାଷ୍ପ ଦେଲେ କଣ ପ୍ରତିକ୍ରିୟା ମିଳିବ? ଗବେଷକମାନେ ଏହାକୁ ବିରୋଧ କରୁଥିଲେ ସୁଦ୍ଧା ସେନାବାହିନୀ ସେମାନଙ୍କ କଥାକୁ ଶୁଣିନଥିଲେ୤

ସମସ୍ତ ବ୍ୟକ୍ତିଙ୍କ ଶରୀରରେ ଇସିଜି ମେସିନ ଲଗାଇ ଦିଆଯାଇ ସେମାନଙ୍କ ହାତଗୋଡ଼କୁ ବାନ୍ଧି ସେଇ କୋଠରୀରେ ପୁଣିଥରେ ବାଷ୍ପ ଦିଆଯିବ ବୋଲି ଜଣାଇବା ପରେ ସେମାନେ ଆଉ କୌଣସି ଭୟଙ୍କର ପ୍ରତିକ୍ରିୟା ଦେଖାଇନଥିଲେ୤ ସେହି ତିନିଜଣ ଚେଷ୍ଟା କରୁଥିଲେ ନ ଶୋଇବାପାଇଁ, ଜଣେ ଜୋର ଜୋରରେ ଚିତ୍କାର କରି ଗୀତ ଗାଉଥିବାର ଦେଖାଗଲା୤

ଜଣେ ବ୍ୟକ୍ତି ନିଜ ଗୋଡ଼କୁ ହଲାଉଥିବା ବେଳେ ଆଉ ଜଣେ ତକିଆରୁ ମୁଣ୍ଡ ଉଠାଇ ପୁଣିଥରେ ତଳେ ପକାଉଥିଲେ୤ ସେହି ବ୍ୟକ୍ତିଙ୍କ ମସ୍ତିଷ୍କରେ ଇଇଜି ମେସିନ୍ ଲଗାଇବା ପରେ ଦେଖାଗଲା ଯେ ଇଇଜି ରେକର୍ଡିଂ ନର୍ମାଲ୍ ଥିବା ବେଳେ ମଝିରେ ମଝିରେ ଆଦୌ କିଛି ରେକର୍ଡିଂ ହେଉନଥିଲା୤ ଲାଗୁଥିଲ ସତେ ଯେମିତି କିଛି କ୍ଷଣପାଇଁ ମସ୍ତିଷ୍କ ମୃତବତ ବ୍ୟବହାର କରୁଥିଲା୤ ନର୍ସଜଣେ ଲକ୍ଷ୍ୟ କରିଥିଲେ ଯେ ସେହି ବ୍ୟକ୍ତିଜଣକର ମୁଣ୍ଡ ତକିଆରେ ଲାଗିବା କ୍ଷଣି ଆଖି ବନ୍ଦ ହୋଇ ଆସୁଥିଲା ଏବଂ ଏହି ମୁହୁର୍ତ୍ତରେ ମସ୍ତିଷ୍କର ତରଙ୍ଗ ସବୁ ଉଭେଇ ଯାଉଥିଲା୤ ଏହାପରେ ହୃତପିଣ୍ଡ କିଛି ମୁହୂର୍ତ୍ତପାଇଁ ବନ୍ଦ ହୋଇଯାଇଥିଲା୤

ଯେଉଁ ଜଣେ ବ୍ୟକ୍ତି କହିବା ଭଳି କ୍ଷମତା ଥିଲା, ସେ କହୁଥିଲା ଶୀଘ୍ର ସେମାନଙ୍କୁ ବାଷ୍ପ ଦେଇ ରୁମରେ ବନ୍ଦ କରିଦିଆଯାଉ୤ ତାର ମସ୍ତିଷ୍କର ତରଙ୍ଗ ମଧ୍ୟ ସରଳ ରେଖା ଦେଖାଉଥିଲା ସତେ ଯେମିତି ସେ ମସ୍ତିଷ୍କରେ ମୃତ ଥିଲା୤

କମାଣ୍ଡିଂ ଅଫିସର ନିର୍ଦ୍ଦେଶ ଦେଇଥିଲେ ଯେ କକ୍ଷକୁ ପୁଣିଥରେ ବନ୍ଦ କରିଦିଆଯାଉ ଏବଂ ସେଥିରେ ସେହି ତିନିଜଣ ସଦସ୍ୟ ସମେତ ଦୁଇଜଣ ଗବେଷକ ମଧ୍ୟ ରହିବେ୤ ହେଲେ ଏହା ଶୁଣିବା ପରେ ଜଣେ ଗବେଷକ ପାଖରେ ରଖିଥିବା ରିଭଲଭର୍ ବାହାର କରି କମାଣ୍ଡିଂ ଅଫିସରକୁ ଗୁଳି ମାରିବ ପରେ ପରୀକ୍ଷା କରାଯାଉଥିବା ଜଣେ ମୃତବତ ବ୍ୟକ୍ତିଙ୍କୁ ମଧ୍ୟ ଗୁଳି କରିଦେଇଥିଲେ୤ ଆଉ ଜଣେ ବ୍ୟକ୍ତିଙ୍କ ଆଡ଼କୁ ବନ୍ଧୁକ ଦେଖାଇ ଚିତ୍କାର କରି କହିଲେ, “ମୁଁ ଏହି ବନ୍ଦ କୋଠରୀରେ ରହିବି ନାହିଁ୤ ତୁମ ସହ ଆଦୌ ନୁହେଁ୤ ତୁମେ କିଏ? ମୁଁ ଜାଣିବା ଆବଶ୍ୟକ୤”

ସେହି ବ୍ୟକ୍ତି ଜଣକ ହସିଦେଇ କହିଲେ, “ଏତେ ସହଜରେ ଭୁଲିଗଲ? ଆମେ ହେଉଛୁ ତୁମେ୤ ତୁମ ଭିତରେ ଥିବା ପାଗଳାମୀ ଯାହା ପ୍ରତି ମୁହୂର୍ତରେ ମୁକ୍ତି ଚାହେଁ୤ ଯାହା ତୁମେ ପ୍ରତି ରାତିରେ ଲୁଚେଇବାକୁ ଚେଷ୍ଟା କର୤ ଯାହାକୁ ତୁମେ ନିଶ୍ଚେତକ ଦେଇ ନିରବ କରିଦେଇ ଶୁଆଇ ଦେବାକୁ ପ୍ରଚେଷ୍ଟା କର୤”

ଗବେଷକ ଜଣକ ସେହି ବ୍ୟକ୍ତିର ମୁଣ୍ଡକୁ ଲକ୍ଷ୍ୟକରି ଗୁଳି ଚଳାଇଲେ, ଏବଂ କହିଲେ... “ଏବେ ତୁମେ ମୁକ୍ତ...”

ଯଦିଓ ଏହି ଗବେଷଣାକୁ ନେଇ ଅନେକ ତଥ୍ୟ ଓ ଛବି ଇଣ୍ଟରନେଟରେ ଦେଖିବାକୁ ମିଳିଥାଏ, ସେଥିମଧ୍ୟରୁ ଗୋଟିଏ ଛବି ଅଧିକାଂଶ ଲୋକ ନିଶ୍ଚୟ ଦେଖିଥିବେ ଏବଂ ସହଜରେ ଚିହ୍ନି ପାରିବେ ମଧ୍ୟ୤

ଛବିରେ ମନୁଷ୍ୟ ଭଳି ଦେଖାଯାଉଥିବା ଗୋଟିଏ ଜୀବ କ୍ୟାମେରା ଆଡ଼କୁ ଚାହିଁ ରହିଥିବା ଭଳି ଦେଖାଯାଏ୤ ଜୀବର ଦେହ ପୁରା ଶୁଖିଯାଇଛି୤ ଆଖି ଦୁଇଟା କୋରଡ଼ ଭିତରେ ପଶିଯାଇଛି୤ ଗାଲ ଓ ଥୋଡ଼ି ବାହାରକୁ ବାହାରିବା ଭଳି ଦେଖାଯାଉଛି୤

ଦାନ୍ତ ଗୁଡ଼ିକ ସାମାନ୍ୟଠାରୁ ବଡ଼ ଦିଶୁଥିବା ବେଳେ ଲୋକର ମୁହଁରେ ଏକ ଭୟଙ୍କର ହସ ଦେଖାଯାଉଛି୤ ବ୍ୟକ୍ତିଜଣକର ବିଶାଳ ମୁଣ୍ଡ ଓ ବଙ୍କା ଶରୀର ଦେଖିଲେ ମନେହୁଏ ସେ ଆମ ପାଇଁ ବିପଦ୤ ଛବିଟି କଳାଧଳା, ସେଥିରୁ ମଧ୍ୟ ଏହା ପୁରାତନ ଭଳି ଜାଣିହୁଏ୤

ସର୍ବୋପରି ଏହି ଛବିଟି ମଧ୍ୟ କପୋଳକଳ୍ପିତ ଅର୍ଥାତ ମିଥ୍ୟା୤ ବର୍ଷ ୨୦୦୫ରେ ହଲୋୱିନ୍ ସମୟରେ ମର୍ବିଡ୍ ଏଣ୍ଟେର୍ପ୍ରାଇଜ୍ ଦ୍ବାରା ତିଆରି କରାଯାଇଥିବା ଏହି ଆକାରର ନାଁ ଥିଲା ‘ସ୍ପାଜମ୍’୤

ଋଷିଆର ଏହି ଗବେଷଣା କାହାଣୀ ପ୍ରଥମେ କେଉଁଠି ପ୍ରକାଶିତ ହୋଇଥିଲା ତାହାକୁ ନେଇ ଅନେକ ଲୋକ ଅନେକ ମନ୍ତବ୍ୟ ଦେଇଥାନ୍ତି, କିନ୍ତୁ ଏହି ସମସ୍ତ ବିଷୟ ମାତ୍ର ଏକ କାହାଣୀ ଯାହାର ସତ୍ୟତା ସହ କୌଣସି ସମ୍ପର୍କ ନାହିଁ୤ ଅରେଞ୍ଜସୋଡ଼ା ନାମକ ଜଣେ ଲେଖକ ଏହି କାହାଣୀକୁ ୧୦ ଅଗଷ୍ଟ ୨୦୧୦ ମସିହାରେ କ୍ରିପିପାସ୍ତା ୱେବ୍ସାଇଟରେ ପ୍ରକାଶିତ କରିବା ପରେ ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ହୋଇ ଯାଇଥିଲା୤ ହେଲେ ଏହାର ପ୍ରକୃତ ଲେଖକ କିଏ ତାହା ରହସ୍ୟ ହୋଇ ରହିଛି୤

Subscribe to Our channel : https://www.youtube.com/@drjyotiprasad


 

Comments