ଯେତେବେଳେ ଶ୍ରୀକୃଷ୍ଣ କହିଲେ, “କେଉଁ ବ୍ରହ୍ମା?”

 



ଯେତେବେଳେ ଶ୍ରୀକୃଷ୍ଣ କହିଲେ, “କେଉଁ ବ୍ରହ୍ମା?”

ଦ୍ବାପର ଯୁଗର କଥା୤

ମହାଭାରତ ସଦ୍ୟ ସମାପନ ପରେ ପରେ ଭଗବାନ ଶ୍ରୀକୃଷ୍ଣ ନିଜ ନଗରୀ ଦ୍ବାରକାରେ ପ୍ରଜାଶାସନ କରୁଥାନ୍ତି୤ ମହାଭାରତ ଯୁଦ୍ଧରେ ଯେତେବେଳେ ବୀର ଅର୍ଜୁନ ହତୋତ୍ସହିତ ହୋଇ, ଅସ୍ତ୍ରତ୍ୟାଗ କରିଦେଲେ ଏବଂ ନିଜ ରଥର ସାରଥୀ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ ଯେ ସେ ଭୂମି ଏବଂ ରାଜ୍ୟ ସୁଖ ପାଇବା ପାଇଁ ନିଜ ବନ୍ଧୁ ପରିଜନଙ୍କ ହତ୍ୟାକୁ ସ୍ବୀକାର କରିବେ ନାହିଁ, ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ତାଙ୍କର ଉଚିତ ଧର୍ମ ଓ କର୍ମ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ଭଗବତ୍ ଗୀତାର ଉପସ୍ଥାପନ କରାଇଥିଲେ ଏବଂ ଶେଷରେ ନିଜର ବିଶ୍ବରୂପ ଦର୍ଶନ କରାଇ ଅର୍ଜୁନଙ୍କୁ ବିଶ୍ବାସ ଦିଆଇଥିଲେ ଯେ ସେ ହିଁ ସ୍ବୟଂ ଭଗବାନ ଏଣୁ, ତାଙ୍କ ଶରଣରେ ଯାଇ ନିଜ କର୍ତ୍ତବ୍ୟକୁ ସୁଚାରୂ ରୂପରେ ପାଳନ କରିବା ହିଁ ପ୍ରକୃତ ଧର୍ମ୤

ମହାଭାରତ ଯୁଦ୍ଧ ସମାପ୍ତ ହେଉ ହେଉ ଭଗବାନ ଶ୍ରୀକୃଷ୍ଣଙ୍କ ମହାତ୍ମ୍ୟ ଜଗତ ସାରା ଖ୍ୟାତ ହୋଇ ସାରିଥିଲା ଏବଂ ସେଇଥିପାଇଁ ଶ୍ରୀକୃଷ୍ଣଙ୍କ ଭବ୍ୟ ଦ୍ବାରକା ନଗରୀ ଦର୍ଶନ କରିବା ତଥା ଭଗବାନଙ୍କ ଦର୍ଶନ ଓ ଆଶୀର୍ବାଦ ଆଶାରେ ଅଗଣିତ ଭକ୍ତ ପ୍ରତିଦିନ ଦ୍ବାରକା ନଗରରେ ପହଞ୍ଚୁଥିଲେ୤ ସେହି ସମୟରେ ଦିନେ ପରମପିତା ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ଆଶା ନେଇ ଦ୍ବାରକା ନଗରରେ ପହଞ୍ଚିଲେ୤ ଦ୍ବାରକା ନଗରର ଦ୍ବାରଦେଶରେ ସେ ଉପସ୍ଥିତ ଦ୍ବାରପାଳଙ୍କୁ କହିଲେ, ଯାଅ, ଭଗବାନ ଶ୍ରୀକୃଷ୍ଣଙ୍କୁ କହିବ, ବ୍ରହ୍ମା ଆସିଛନ୍ତି୤

ତାଙ୍କର କଥା ଶୁଣି ଦ୍ବାରପାଳ ତୁରନ୍ତ ନଗର ମଧ୍ୟସ୍ଥ ମହଲକୁ ଯାଇ, ଭଗବାନ ଶ୍ରୀକୃଷ୍ଣଙ୍କୁ ଜଣାଇଲେ ଯେ ବ୍ରହ୍ମା ଆସିଛନ୍ତି୤ ଭକ୍ତଙ୍କ ଦ୍ବାରା ଘେରି ହୋଇ ରହିଥିବା ଭଗବାନ ଶ୍ରୀକୃଷ୍ଣ ଦ୍ବାରପାଳଙ୍କୁ ପଚାରିଲେ, କେଉଁ ବ୍ରହ୍ମା?

ଦ୍ବାରପାଳ ଏଭଳି ପ୍ରଶ୍ନର ଆଶା କରୁନଥିଲେ ତେଣୁ ସେ ତୁରନ୍ତ ମହଲରୁ ଫେରି ଆସି ଦ୍ବାରପାଖରେ ଅପେକ୍ଷାରତ ବ୍ରହ୍ମାଙ୍କୁ କହିଲେ, ଭଗବାନ ଆପଣଙ୍କ ସମ୍ପୂର୍ଣ୍ଣ ପରିଚୟ ପ୍ରଦାନ କରନ୍ତୁ୤

ସମ୍ପୂର୍ଣ୍ଣ ପରିଚୟ? ବ୍ରହ୍ମା ଆଶ୍ଚର୍ଯ୍ୟ ହୋଇଗଲେ୤ ସମଗ୍ର ବ୍ରହ୍ମାଣ୍ଡର କର୍ତ୍ତା ବ୍ରହ୍ମାଙ୍କୁ ପରିଚୟ ଦେବାର କି ଆବଶ୍ୟକ? ଏହି ସୃଷ୍ଟିରେ କେବଳ ଜଣେ ହିଁ ତ ବ୍ରହ୍ମା ଅଛନ୍ତି! ତେଣୁ ସେ ପୁଣିଥରେ ଦ୍ବାରପାଳଙ୍କୁ ପଚାରିଲେ, ତୁମେ ଭଗବାନଙ୍କୁ ମୁଁ ଆସିଥିବା କଥା କହିଥିଲ? ଦ୍ବାରପାଳ ମୁଣ୍ଡ ହଲାଇ ହଁ କହିବା ସହ କହିଲେ, ସେ ହିଁ ପଚାରିଲେ, କେଉଁ ବ୍ରହ୍ମା?

କେଉଁ ବ୍ରହ୍ମା? ଏହା କେଉଁ ଭଳି ପ୍ରଶ୍ନ? ଭଗବାନ ବିଷ୍ଣୁ କଣ ଜାଣନ୍ତି ନାହିଁ ଯେ ସମ୍ପୂର୍ଣ୍ଣ ଜଗତରେ କେବଳ ଜଣେ ହିଁ ବ୍ରହ୍ମା ଅଛନ୍ତି? ତା ହେଲେ ଏଭଳି ପ୍ରଶ୍ନର ଆବଶ୍ୟକତା କଣ? ସେ କିଛି ବୁଝି ପାରୁନଥିଲେ, ପୁଣି ନାରାୟଣଙ୍କ ମାୟାକୁ ବୁଝିବା ଏତେ ସହଜ ମଧ୍ୟ ନୁହେଁ୤ ତେଣୁ ସେ ନିଜ ମନକୁ ସ୍ଥିର କରି କିଛି ଚିନ୍ତା କରିବା ପରେ କହିଲେ, ଯାଅ ଭଗବାନଙ୍କୁ କହିବ, ଚତୁର୍ମୁଖୀ ବ୍ରହ୍ମା ଆସିଛନ୍ତି୤

ଦ୍ବାରପାଳ ମହଲ ମଧ୍ୟକୁ ଯାଇ ଭଗବାନଙ୍କୁ ଜଣାଇଲେ ଯେ ଚତୁର୍ମୁଖୀ ବ୍ରହ୍ମା ଆସିଛନ୍ତି୤ ଏହା ଶୁଣି ଭଗବାନ ବହୁତ ଖୁସି ହୋଇ କହିଲେ, ଶୀଘ୍ର ଯାଅ ଏବଂ ତାଙ୍କୁ ସସମ୍ମାନ ଏଠାକୁ ନେଇ ଆସ୤ ଦ୍ବାରପାଳ ତୁରନ୍ତ ଯାଇ ବ୍ରହ୍ମାଙ୍କୁ ଆଦର ଓ ସମ୍ମାନର ସହ ମହଲ ମଧ୍ୟକୁ ନେଇ ଆସିଲେ୤ ସେହି ଦିନ ପାଇଁ ଅନ୍ୟମାନଙ୍କ ସାକ୍ଷାତ କାର୍ଯ୍ୟକ୍ରମ ସ୍ଥଗିତ ରହିଲା୤ ଉଭୟ ଭଗବାନ ପରସ୍ପରକୁ ସ୍ନେହ, ଆଦର ଓ ସମ୍ମାନ ଜଣାଇବା ଏବଂ ସତ୍କାର କରିବା ପରେ ଯେତେବେଳେ ନିଜ ନିଜ ଆସନରେ ବସିଲେ ସେତେବେଳେ ପ୍ରଜାପିତା ବ୍ରହ୍ମା ଅତି ସନ୍ତର୍ପଣରେ କହିଲେ, ଭଗବାନ, ଯଦି ଅନୁମତି ଦେବେ ମୋ ମନରେ ଗୋଟିଏ ଶଙ୍କା ଉପୁଜୁଛି ତାହାର ସମାଧାନ କରି ପାରିବି୤

ଶ୍ରୀକୃଷ୍ଣ ମନ୍ଦମନ୍ଦ ହସି କହିଲେ, ଜଗତର ସ୍ରଷ୍ଟାଙ୍କ ମନରେ ଶଂକା? ତାହା କଣ ହୋଇପାରେ? ହେଉ, ଆପଣ କହିବା ହୁଅନ୍ତୁ ଆପଣଙ୍କ ମନରେ କେଉଁ ପ୍ରକାରର ଶଂକା ଜାଗ୍ରତ ହେଉଛି୤

ଭଗବାନ ମୁଁ ଯେତେବେଳେ ଆପଣଙ୍କ ଏହି ଭବ୍ୟ ନଗର ଦ୍ବାରରେ ପହଞ୍ଚି ଦ୍ବାରପାଳଙ୍କୁ କହିଲି ଯେ ବ୍ରହ୍ମା ଆସିଛନ୍ତି, ସେ ଫେରି ଆସି ମୋତେ ସମ୍ପୂର୍ଣ୍ଣ ପରିଚୟ ପ୍ରଶ୍ନ କରିଲେ୤ ଭଗବାନ ଏହି ବ୍ରହ୍ମାଣ୍ଡରେ କେବଳ ଜଣେ ମାତ୍ର ବ୍ରହ୍ମା ମୁଁ, ନୁହେଁ କି? ଭଗବାନ ଶ୍ରୀକୃଷ୍ଣ ମୁଣ୍ଡ ହଲାଇ ସହମତି ଜଣାଇଲେ୤ ତା ହେଲେ ଭଗବାନ ଆପଣ କାହିଁକି ପ୍ରଶ୍ନ କରିଥିଲେ ଯେ କେଉଁ ବ୍ରହ୍ମା? ମୋ ବ୍ୟତୀତ ଏଇ ବ୍ରହ୍ମାଣ୍ଡରେ ଆଉ କେହି ବ୍ରହ୍ମା ଅଛନ୍ତି କି?

ବ୍ରହ୍ମାଙ୍କ ପ୍ରଶ୍ନ ଶୁଣି ସ୍ମିତହସ ଦେଇ ଭଗବାନ ଶ୍ରୀକୃଷ୍ଣ କହିଲେ, ଆପଣ ଚିନ୍ତିତ ମନେ ହେଉଛନ୍ତି୤ କିଛି କ୍ଷଣ ଏଠାରେ ବିଶ୍ରାମ କରନ୍ତୁ ଆପଣଙ୍କ ସମସ୍ତ ଶଙ୍କା ଦୂର ହୋଇ ପାରିବ୤ ଏହିଭଳି କହି ଭଗବାନ ଶ୍ରୀକୃଷ୍ଣ ଆଖି ବନ୍ଦକରି ଯୋଗମାୟାଙ୍କୁ ଧ୍ୟାନ କରିଲେ ଏବଂ ଦେଖୁ ଦେଖୁ ସେହି ମହଲ ଭିତରେ ଅଗଣିତ ବ୍ରହ୍ମା ଆସି ଉପସ୍ଥିତ ହେଲେ୤ ଚତୁର୍ମୁଖୀ ବ୍ରହ୍ମା ଏତେ ଜଣ ବ୍ରହ୍ମାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ୤ ତାଙ୍କର ଚାରିଟା ମୁଖ ଥିବା ବେଳେ ସେହି ମହଲରେ ଏଭଳି ଅନେକ ବ୍ରହ୍ମା ଥିଲେ ଯାହାଙ୍କର ଶତାଧିକ ମୁଖ ଥିଲା୤ ବ୍ରହ୍ମା ସେମାନଙ୍କୁ ଦେଖି ନିଜ ପ୍ରଶ୍ନର ଉତ୍ତର ପରିବର୍ତ୍ତେ ଆହୁରି ଅଧିକ ଶଙ୍କାଗ୍ରସ୍ତ ହେଲେ୤

ଭଗବାନ ଶ୍ରୀକୃଷ୍ଣ ନିଜ ଚକ୍ଷୁ ଖୋଲି ସମସ୍ତ ବ୍ରହ୍ମାଙ୍କୁ ଅଭିବାଦନ ଜଣାଇ ଚତୁର୍ମୁଖୀ ବ୍ରହ୍ମାଙ୍କୁ ଚାହିଁ କହିଲେ, ଭଗବାନ ଏବେ ନିଜ ପ୍ରଶ୍ନର ଉତ୍ତର ଜାଣି ପାରିଲେ? ବ୍ରହ୍ମା କହିଲେ, ହେ ଭଗବାନ ଆପଣ ଯେଉଁ ପ୍ରଶ୍ନ କରିଥିଲେ କେଉଁ ବ୍ରହ୍ମା ତାହାର ଉତ୍ତର ଜାଣି ପାରିଲି, ଯେ ଏଠାରେ ଅନେକ ବ୍ରହ୍ମା ଅଛନ୍ତି ତେଣୁ ଆପଣଙ୍କ ପ୍ରଶ୍ନ ଯଥାର୍ଥ ଥିଲା, କିନ୍ତୁ ଏତେ ଜଣ ବ୍ରହ୍ମାଙ୍କ ବିଷୟରେ ମୁଁ କିଛି ଜାଣି ପାରୁନାହିଁ୤

ଭଗବାନ ଶ୍ରୀକୃଷ୍ଣ କହିଲେ, ଆପଣ ଏହି ବ୍ରହ୍ମାଣ୍ଡର ବିଧାତା, ସୃଷ୍ଟିକର୍ତ୍ତା ଏଥିରେ ସନ୍ଦେହ ନାହିଁ୤ କିନ୍ତୁ ଆମର ଏହି ବ୍ରହ୍ମାଣ୍ଡ ଭଳି ସୃଷ୍ଟିରେ ଅଗଣିତ ବ୍ରହ୍ମାଣ୍ଡ ରହିଛି ଏବଂ ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଜଣେ ଜଣେ ବ୍ରହ୍ମା ରହିଛନ୍ତି୤ ଆପଣଙ୍କ ଭଳି ସେମାନେ ମଧ୍ୟ ନିଜ ବ୍ରହ୍ମାଣ୍ଡର ସର୍ଜନା କରୁଛନ୍ତି୤ ବ୍ରହ୍ମା ନିଜ ପ୍ରଶ୍ନର ଉତ୍ତର ପାଇ ସାରିଥିଲେ୤

ଏହି କାହାଣୀର ଉପସ୍ଥାପନ କାହିଁକି କରାଯାଇଛି ସେ ବିଷୟରେ ଆମେ ଶୁଣିବା ଆମର ପୋଡ଼କାଷ୍ଟର ଆଗାମୀ ଅଧ୍ୟାୟରେ୤ ଯଦି ଆପଣଙ୍କୁ ଆମ ଏହି ଉପସ୍ଥାପନ ଭଲ ଲାଗିଲା ତା ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ୤

https://www.youtube.com/@drjyotiprasad

Comments