How FREEBIES can Destroy India | #elections #freebies

 


ଭାରତକୁ ଧ୍ବଂସମୁଖୀ କରିଛି ମାଗଣା ଯୋଜନା

ଚଳିତ ବର୍ଷର ସର୍ବସାଧାରଣ ନିର୍ବାଚନ ସମୟରେ ସବୁଠାରୁ ଅଧିକ ଶୁଣିବାକୁ ମିଳିଥିବା ଶବ୍ଦ ହେଉଛି ଖଟାଖଟ୍ ଖଟାଖଟ୍ ଖଟାଖଟ୍... ଏହା ଯେ କେବଳ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ କହିଥିଲେ ତା ନୁହେଁ, ବରଂ ଅଖିଲେଶ୍ ଯାଦବ, ତେଜସ୍ବୀ ଯାଦବ ଏବଂ ପ୍ରିୟଙ୍କା ଗାନ୍ଧୀମଧ୍ୟ ଅନେକ ରାଜନୈତିକ ସଭାରେ ଅତି ମୁଖର ହୋଇ କହିଥିଲେ୤ ଏହି ପ୍ରତିଶୃତି ଅନ୍ତର୍ଗତ ପ୍ରତ୍ୟେକ ବେରୋଜଗାର ଯୁବକ ଯୁବତୀ ଏବଂ ଗରୀବ ପରିବାରର ମହିଳାଙ୍କୁ ମାସିକ ସାଢ଼େ ଆଠ ହଜାର ଟଙ୍କା ଦିଆଯିବ ବୋଲି ଖୋଲା ଖୋଲି କେବଳ କୁହାଯାଇନଥିଲା ବରଂ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ଘର ଘର ବୁଲି ଲୋକଙ୍କୁ ଏଥିପାଇଁ ରୀତିମତ ଘୋଷଣା ପତ୍ର ବାଣ୍ଟିଥିଲେ, ଯେଉଁଥିରେ ପ୍ରତ୍ୟାଶୀମାନେ ଦସ୍ତଖତ ବି କରିଥିଲେ୤ ଏହି ମାଗଣା ବଣ୍ଟନ ଯୋଜନା କିଭଳି ଦୁନିଆର ଅନେକ ଦେଶକୁ ଧ୍ବଂସ କରିଛି ତାହା ଆଗକୁ ଜାଣିବା୤ ଭାରତରେ ଏହି ମାଗଣା ବଣ୍ଟନ କାର୍ଯ୍ୟକ୍ରମ କିଏ ଆରମ୍ଭ କରିଥିଲେ, ଏହାର ଇତିହାସ, ଏବଂ ଖଟାଖଟ୍ ସ୍କିମ୍ ଦ୍ବାରା କିଭଳି ଭାରତ ଭବିଷ୍ୟତରେ ଶ୍ରୀଲଙ୍କା କିମ୍ବା ଭେନେଜୁଏଲା ଭଳି ହୋଇପାରେ ଆସନ୍ତୁ ଜାଣିବା ଏହାପୂର୍ବରୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଦିଅନ୍ତୁ୤

ବିଗତ ମାସରେ ସମାପ୍ତ ହୋଇଥିବା ସର୍ବସାଧାରଣ ନିର୍ବାଚନରେ ସବୁଠାରୁ ଅଧିକ ପ୍ରଚଳିତ ଖଟାଖଟ୍ ଖଟାଖଟ୍ ଶବ୍ଦ ଭାରତ ପାଇଁ ନୁଆ ନୁହେଁ୤ ପ୍ରାୟତଃ ନିର୍ବାଚନ ସମୟରେ ଅନେକ ରାଜନୈତିକ ଦଳ ଏହିଭଳି ପ୍ରତିଶୃତି ଦେଇ ଆସୁଛନ୍ତି, ଯେମିତି ବର୍ଷ ୨୦୦୯ର ସର୍ବସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ମନମୋହନ ସିଂଙ୍କ ଶାସନାଧୀନ କଂଗ୍ରେସ ସରକାର କୃଷକମାନଙ୍କର ୭୦ ହଜାର କୋଟି ଟଙ୍କାର ଋଣ କ୍ଷମା କରିଥିଲେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ୍ ଦିଲ୍ଲୀବାଲାଙ୍କ ପାଇଁ ମାଗଣା ବିଜୁଳୀ, ପାଣି, ବସ ସେବା ସମେତ ମାଗଣା ଇଣ୍ଟରନେଟ୍ ଏବଂ ଏହିଭଳି ମହିଳା ମାନଙ୍କୁ ମାସିକ ଏକ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇ ନିର୍ବାଚନ ଜିତିଛନ୍ତି ଅବଶ୍ୟ ଏଥିପାଇଁ ଏବେ ଦିଲ୍ଲୀ ସରକାରଙ୍କ ଅତିରିକ୍ତ ୨୦୦୦ କୋଟି ଟଙ୍କାର ବଜେଟ୍ କରିବାକୁ ପଡୁଛି, କେବଳ ମହିଳା ମାନଙ୍କୁ ମାସିକ ଏକ ହଜାର ଟଙ୍କା ଦେବାପାଇଁ୤ ଏହି ଫର୍ମୁଲା କାମ କରିଗଲା ଏବଂ ଦିଲ୍ଲୀର ସାତରୁ ସାତ ସିଟ୍ ଭାଜପାକୁ ଦେଉଥିବା ଜନତା ୭୦ରୁ ୬୭ ସିଟ୍ ଆମ୍ ଆଦମୀ ପାର୍ଟିକୁ ଦେଇଦେଲେ୤ ସେହିଭଳି ମଧ୍ୟପ୍ରଦେଶରେ ନିର୍ବାଚନ ପୂର୍ବରୁ ଭାଜପା ଦ୍ବାରା ଲାଡ଼ଲୀ ବହନ ସ୍କିମ୍ ମଧ୍ୟ କାମ କରିଥିଲା ଏବଂ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିଥିଲା୤ ଏବେ ପ୍ରାୟ ଅଧିକାଂଶ ରାଜନୈତିକ ଦଳର ନିର୍ବାଚନୀ ଘୋଷଣାପତ୍ରରେ ଏହିଭଳି ଲୋଭନୀୟ ଯୋଜନା ସବୁ ରହିଛି, କିନ୍ତୁ ଏହିଥର ଯାହା ହେଲା ତାହା ଅପ୍ରତ୍ୟାଶିତ ଥିଲା, ରାହୁଲ ଗାନ୍ଧୀ ନିର୍ବାଚନୀ ସଭାରେ ଘୋଷଣା କରି କହିଲେ ଯେ ଭାରତର ବେରୋଜଗାର ଯୁବପୀଢ଼ିଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା, ମହିଳା ମାନଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ଏବଂ କୃଷି ଫସଲ ଉପରେ ନିମ୍ନତମ ସହାୟକ ମୂଲ୍ୟକୁ ଦ୍ବିଗୁଣିତ କରିବା ଭଳି ପ୍ରତିଶୃତି କେବଳ ଦିଆଯାଇ ନାହିଁ, ବରଂ ଦଳର କର୍ମକର୍ତ୍ତାମାନେ ଘର ଘର ବୁଲି ଲୋକଙ୍କୁ ଏହି ସବୁ ସ୍କିମ୍ ବାବଦରେ ଜଣାଇଛନ୍ତି ଏବଂ ସେମାନଙ୍କୁ ସ୍ବାକ୍ଷରିତ ଘୋଷଣା ପତ୍ର ବି ଦେଇଛନ୍ତି୤

ନିର୍ବାଚନର ଫଳାଫଳ ଆସିବା ପରେ ଏବେ ମହିଳାମାନେ ଯେଉଁମାନଙ୍କ ମଧ୍ୟରେ ଅଧିକତମ ମୁସଲମାନ ମହିଳା ଅଛନ୍ତି, ସେମାନେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ଧାଡ଼ି ବାନ୍ଧି ସେହି ପ୍ରତିଶୃତି ଦିଆଯାଇଥିବା ଅର୍ଥ ଦାବୀ କରୁଛନ୍ତି୤ ଭୋଟ୍ ଦେଇକି ଆସ ଏବଂ ଭୋଟ୍ ପରେ ଟଙ୍କା ମିଳିବ ବୋଲି କୁହାଯାଇଥିଲା, ଏଥିପାଇଁ ଲକ୍ଷ୍ଣୌ ଅନେକ ମୁସଲମାନ ମହିଳା କଂଗ୍ରେସର ସ୍ବାକ୍ଷରିତ ଗ୍ୟାରେଣ୍ଟି କାର୍ଡ୍ ଧରି ୮୫୦୦ ଟଙ୍କା ଦାବୀ କରି କାର୍ଯ୍ୟାଳୟ ବାହାରେ ଅପେକ୍ଷା କରିଛନ୍ତି୤

ଆମେ ଆଗରୁ ଶୁଣି ଆସିଥିଲୁ ଯେ ଲୋକମାନେ ମଦ, ମାଂସ ଓ ଅର୍ଥ ବିନିମୟରେ ମତଦାନ କରୁଛନ୍ତି, ସେ ସବୁ ହୋଇଥିବ ନିଶ୍ଚୟ କିନ୍ତୁ ସେ ସବୁ ଅନୀତିକର ବା ବେଆଇନ୍ କାମ ବା ଅପରାଧ ବୋଲି କୁହାଯିବ କିନ୍ତୁ ନିର୍ବାଚନରେ ଏହିଭଳି ସ୍କିମ୍ ଚଳେଇବା ମଧ୍ୟ ଅପରାଧ ବୋଲି କାହିଁକି କୁହାଯିବ ନାହିଁ? ନିର୍ବାଚନ ସଭାରେ ଏହିଭଳି ପ୍ରତିଶୃତି ଦେବା, ଭୋଟ୍ ବଦଳରେ ଅର୍ଥର ଲାଳସା ଦେଖାଇବା କଣ ଅପରାଧ ନୁହେଁ? ଏହି ବିଷୟରେ ସୁପ୍ରିମ୍ କୋର୍ଟରେ ଏକ ମାମଲା ରୁଜୁ ହୋଇଛି, ଦେଖାଯାଉ କୋର୍ଟ୍ ଏହାକୁ ନେଇ କେଉଁଭଳି ପ୍ରତିକ୍ରିୟା ଦେଉଛନ୍ତି୤

କିନ୍ତୁ କଥା ଏତିକି ନୁହେଁ ଯେ କୋର୍ଟ୍ ଏହି ବିଷୟରେ ପ୍ରତିକ୍ରିୟା ଦେବ ଏବଂ ତା’ପରେ ଆମେ ସ୍ବୀକାର କରିବା ଯେ ଏହି ମାଗଣା ବଣ୍ଟନ ଯୋଜନା ଦ୍ବାରା ଦେଶର ପ୍ରଭୂତ କ୍ଷତି ହେଉଛି୤ ଗୋଟିଏ ଦେଶପାଇଁ ଆମକୁ ନିଜେ ହିଁ ସଚେତନ ହେବାକୁ ପଡ଼ିବ୤

ଏହି ମାଗଣା ବଣ୍ଟନ ପ୍ରଥା କଣ ଏବଂ ଭାରତରେ ଏହାର ଇତିହାସ କଣ ଚାଲନ୍ତୁ ସେହି ବିଷୟରେ ଚର୍ଚ୍ଚା କରିବା୤ ନିର୍ବାଚନ ସମୟରେ ବଣ୍ଟନ କରାଯାଉଥିବା ଫ୍ରିବିଜ୍ ଶବ୍ଦର ଅର୍ଥ ଅକ୍ସଫର୍ଡ୍ ଡିକ୍ସିନାରୀରେ ୧୯୨୦ ମସିହା ବେଳକୁ ହୋଇଥିବାର ଜଣାପଡ଼େ୤ ଏହାର ଅର୍ଥ ନିର୍ବାଚନ ସମୟରେ ରାଜନୈତିକ କ୍ଷେତ୍ରରେ ଭୋଟ୍ ପାଇବା ପାଇଁ ମାଗଣାରେ କୌଣସି ଜିନିଷ ପ୍ରଦାନ କରିବା୤ ଜୁନ୍ ୨୦୨୨ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ବୁଲେଟିନରେ ପ୍ରକାଶିତ ତଥ୍ୟ ଅନୁସାରେ ଫ୍ରିବିଜ୍ ଲୋକକଲ୍ୟାଣ ପାଇଁ ଦିଆଯାଉଥିବା ଦ୍ରବ୍ୟ ବା ସେବା ହୋଇପାରେ୤ ସରକାର ମାନଙ୍କ ଦ୍ବାରା ଦିଆଯାଉଥିବା ଏହି ସବୁ ଫ୍ରିବିଜ୍ ନୁଆ ପ୍ରଥା ନୁହେଁ, ଅତୀତରେ ରୋମାନ୍ ସଭ୍ୟତା ସମୟରୁ ହିଁ ଏହି ପ୍ରଥା ଚଳି ଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ୤ ସେ ସମୟରେ ରୋମାନ ସମ୍ରାଜ୍ୟର ସମ୍ରାଟ ମାନେ ଲୋକଙ୍କ ପାଇଁ ମାଗଣାରେ ଖାଦ୍ୟଶସ୍ୟ ବଣ୍ଟନ କରୁଥିଲେ, ଭାରତ ସରକାର ଏବେ ମଧ୍ୟ ସେଇୟା କରୁଛନ୍ତି୤

ସେହି କାଳଖଣ୍ଡରେ ରୋମାନ୍ ସାମ୍ରାଜ୍ୟ ବ୍ୟାପ୍ତି ହେଉଥିଲା ବେଳେ ସହରମାନଙ୍କ ନିର୍ମାଣ ହେଉଥିଲା ଏବଂ ଜନସଂଖ୍ୟା ବୃଦ୍ଧି ସହିତ ଲୋକଙ୍କ ଚାହିଦା ପୂରଣ ନ ହେବା ହେତୁ ଲୋକମାନେ ଗୃହଯୁଦ୍ଧ ଭଳି ସମସ୍ୟା ସୃଷ୍ଟି କରିବାକୁ ଲାଗିଲେ୤ ଏହି ସମସ୍ୟାକୁ ଦୂର କରିବାପାଇଁ ଶାସକ ବର୍ଗ ଲୋକଙ୍କୁ ମାଗଣାରେ ରୁଟି, ଅଟା ଇତ୍ୟାଦି ଜିନିଷ ଦେବା ସହ ସହର ବଜାରରେ ମଲ୍ଲ ଯୁଦ୍ଧ, ଘୋଡ଼ା ସବାରୀ, ଅସ୍ତ୍ରବିଦ୍ୟା ଇତ୍ୟାଦି ପ୍ରଦର୍ଶନ କଳା ଦେଖାଇବା ବ୍ୟବସ୍ଥା କରିଲେ୤ ଏହି ବ୍ୟବସ୍ଥା ଫଳରେ ଲୋକମାନେ ନିଜର ଅଭାବ ଅସୁବିଧା କଥା ଭୁଲିଗଲେ୤

ମଧ୍ୟକାଳୀନ ସମୟରେ ଚର୍ଚ୍ଚମାନେ ମଧ୍ୟ ଲୋକଙ୍କ ପାଇଁ ଅନେକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଚଳାଉଥିଲେ ସେହିଭଳି ଇସ୍ଲାମ୍ ଧର୍ମରେ ଜକାତ୍ ନାମରେ ନିଜ ଆୟର କିଛି ଅଂଶ ଦାନ ଉଦ୍ଦେଶ୍ୟରେ ରଖିବା ନିୟମ ରହିଛି ଯାହା ସାମାଜିକ କଲ୍ୟାଣରେ ବ୍ୟବହାର ହୁଏ୤

ଏହା ବ୍ୟତୀତ ଅଷ୍ଟାଦଶ ଏବଂ ଉନବିଂଶ ଶତାବ୍ଦୀରେ ଉଦ୍ୟୋଗ କ୍ରାନ୍ତି ଆସିବା ପରେ ଆସ୍ତେ ଆସ୍ତେ ଲୋକମାନେ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସ୍ଥାନାନ୍ତରିତ ହେବାକୁ ଲାଗିଲେ ଏଣୁ ସହର ମାନଙ୍କରେ ଗରୀବି ଅଧିକମାତ୍ରାରେ ଦେଖିବାକୁ ମିଳିଲା ଏବଂ ଏହା ତତ୍କାଳୀନ ସରକାରଙ୍କ ଉପରେ ଲୋକ କଲ୍ୟାଣ ସ୍କିମ୍ ସବୁ ଆଣିବାପାଇଁ ଚାପ ପକାଇଥିଲା୤ ପ୍ରଥମ ବିଶ୍ବଯୁଦ୍ଧ ପରେ ପରେ ଏହି ସ୍କିମ୍ ସବୁ ବଢ଼ିବାକୁ ଲାଗିଲା କିନ୍ତୁ ଆବଶ୍ୟକତା ଅନୁସାରେ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲା୤ ଏହାର ବିପରୀତ ରାଜନୈତିକ ଫାଇଦା ପାଇଁ ଦିଆଯାଉଥିବା ଫ୍ରିବିଜ୍ ଭିନ୍ନ ଅଟେ୤ କାରଣ ଲକ୍ଷାଧିକ ଆୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଯଦି ଆପଣ ମାଗଣାରେ ବିଜୁଳୀ ଓ ପାଣି ଦେଉଛନ୍ତି ତା ହେଲେ ତାହା ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏଥିରେ ସନ୍ଦେହ ନାହିଁ୤ ଏହି ସମୟରେ ଯଦି ଆପଣ ଆବଶ୍ୟକତା ଅନୁସାରେ ଲୋକଙ୍କୁ ପାଇଖାନା ନିର୍ମାଣରେ ସହାୟତା କରୁଛନ୍ତି ତାହାକୁ ଆପଣ କଲ୍ୟାଣମୂଳକ କାର୍ଯ୍ୟ ବୋଲି କହି ପାରିବେ କାରଣ ଏହାଦ୍ବାରା ସମାଜରେ ଅନେକ ଅବ୍ୟବସ୍ଥା ସୁଧାର ହୋଇପାରେ୤

ଭାରତରେ ମଧ୍ୟ ଲୋକକଲ୍ୟାଣ ପାଇଁ କରାଯାଉଥିବା ବିଭିନ୍ନ କାର୍ଯ୍ୟ କେତେବେଳେ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଗଲା କେହି ଜାଣି ପାରିଲେ ନାହିଁ୤

୧୯୫୪ରୁ ୧୯୬୩ ମଧ୍ୟରେ ତାମିଲନାଡୁରେ ଶାସନ କରୁଥିବା ମୁଖ୍ୟମନ୍ତ୍ରୀ କାମରାଜୁ ସେହି ଅଞ୍ଚଳର ଥିବା ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷା ସହ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆରମ୍ଭ କରିଲେ୤ ଏହା ଦ୍ବାରା ସ୍କୁଲ ମାନଙ୍କରେ ଉପସ୍ଥାନ ବୃଦ୍ଧି ହେଇଥିଲା ମଧ୍ୟ୤ କିନ୍ତୁ ଏହି ବ୍ୟବସ୍ଥା ଧିରେ ଧିରେ ଫ୍ରିବିଜ୍ ଦିଗରେ ଗତି କରିଲା ଯାହା ଏବେ ଲୋକଙ୍କୁ ଭୋଟ୍ ବଦଳରେ ଖଟାଖଟ୍ ଖଟାଖଟ୍ ଟଙ୍କା ମିଳିବାର ସ୍ବପ୍ନ ଦେଖାଉଛି୤

୧୯୬୭ରେ ତାମିଲନାଡୁରେ ନିର୍ବାଚନରେ ଡିଏମକେ ଦଳର ନେତା ଆନ୍ନାଦୁରାଇ ଜିତିବା ପରେ ଲୋକଙ୍କୁ ୨ ଟଙ୍କାରେ ସାଢେ ଚାରିକିଲୋ ଚାଉଳ ଦେବାର ପ୍ରତିଶୃତି ଦେଲେ ଏବଂ ଶାସନ କରିବାର କିଛି ସମୟ ପର୍ଯ୍ୟନ୍ତ ଏହି ସ୍କିମ୍ ଚାଲୁ ରହିବା ପରେ ଯେତେବେଳେ ଏହା ରାଜ୍ୟର ଅର୍ଥନୀତିକୁ ପ୍ରଭାବିତ କରିବା ଆରମ୍ଭ କରିଲା ସେତେବେଳେ ଏହା ବନ୍ଦ ହୋଇଗଲା୤

ବର୍ଷ ୨୦୦୬ରେ ଭାରତରେ ଫ୍ରିବିଜ୍ ଯୁଗର ଏକ ଅଦ୍ବିତୀୟ ଅପ୍ରତ୍ୟାଶିତ ପରିବର୍ତ୍ତନ ଦେଖିବାକୁ ମିଳିଲା୤ ତାମିଲନାଡୁରେ ଡିଏମକେ ସରକାର ପ୍ରତିଶୃତି ଦେଲେ ଯେ ନିର୍ବାଚନ ଜିତିଲେ ପ୍ରତ୍ୟେକ ପରିବାରକୁ ରଙ୍ଗୀନ ଟିଭି ଦିଆଯିବ୤ ଏହାଦ୍ବାରା ଲୋକମାନେ ସଚେତନ ହେବେ ବୋଲି ଦ୍ବାହୀ ଦେଇ ଏହି ମାଗଣା ସ୍କିମକୁ ନିର୍ବାଚନରେ ଅସ୍ତ୍ର ଭାବରେ ବ୍ୟବହାର କରାଗଲା ଏବଂ ଅନ୍ୟ ଦଳମାନଙ୍କ ତରଫରୁ ନିର୍ବାଚନରେ ମାଗଣା ଚାଉଳ, ଗ୍ୟାସ୍ ଷ୍ଟୋଭ୍, ବାସହୀନଙ୍କୁ ଦୁଇ ବିଘା ଜମି ଏବଂ ଗରୀବ ମହିଳାଙ୍କୁ ୧୦୦୦ ଟଙ୍କା ସହାୟତା ଭଳି ପ୍ରତିଶୃତି ମଧ୍ୟ ଥିଲା୤ ଏଆଇଡିଏମକେ ତରଫରୁ ଲୋକଙ୍କୁ ଚପଲ, ଶାଢ଼ୀ, ଧୋତି, ସାଇକେଲ୍ ଇତ୍ୟାଦି ଦିଆଯିବ ବୋଲି ପ୍ରତିଶୃତି ଥିଲା୤ ସରକାର ଗଠନ ପରେ ବର୍ଷକ ମଧ୍ୟରେ ପ୍ରାୟ ପଚାଶ କୋଟି ଟଙ୍କା ବିନିମୟରେ ୨୫ ଲକ୍ଷ ଟିଭି ରାଜ୍ୟରେ ବଣ୍ଟନ କରାଯାଇଥିଲା୤

ଏହାପରେ ପରେ ବିନା ଆବଶ୍ୟକତାରେ ମଧ୍ୟ କେବଳ ଭୋଟ୍ ପାଇବା ଆଶାରେ ଲୋକଙ୍କୁ ମାଗଣା ଜିନିଷ ସବୁ ଦେବାର ପ୍ରଥା ଭାରତରେ ଆରମ୍ଭ ହୋଇ ସାରିଥିଲା୤ ଏହିଭଳି ପ୍ରଥାକୁ ଧିରେ ଧିରେ ପଞ୍ଜାବ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟରେ ମଧ୍ୟ ଲାଗୁ କରାଗଲା୤ ଭାରତୀୟ ରାଜନୀତିରେ ଏହା ସେହି ସମୟ ଥିଲା ଯାହା ରୋମାନ୍ ସମ୍ରାଜ୍ୟ ମାନଙ୍କରେ ଲୋକଙ୍କୁ ରାସ୍ତାଘାଟରେ ମାଗଣା ସର୍କସ ଦେଖାଇ ଆରମ୍ଭ କରିଥିଲେ୤

୨୦୦୮ରେ କର୍ଣ୍ଣାଟକରେ ନିର୍ବାଚନ ହେଲା ତ ଦୁଇଟଙ୍କାରେ ଚାଉଳ, ମାଗଣା ଟିଭି, ମାଗଣା ଗ୍ୟାସ ଚୁହ୍ଲା, ବିଜୁଳୀ ସେବା ଇତ୍ୟାଦି ଦେବାକୁ ପ୍ରତିଶୃତି ଦିଆଗଲା୤

୨୦୧୩ ପରେ ଏହା ଭାରତୀୟ ରାଜନୀତିରେ ନୂଆ ରୂପ ନେଇ ସାରିଥିଲା, ଯେତେବେଳେ ଲୋକଙ୍କୁ ମାଗଣା ବିଜୁଳୀ ପାଣି ସହିତ ମାଗଣା ଇଣ୍ଟରନେଟ୍ ସେବା ମଧ୍ୟ ଦେବାକୁ କୁହାଗଲା, ମହିଳା ମାନଙ୍କୁ ମାଗଣାରେ ବସ ସେବା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲା୤ ଏବେ ସେ ସବୁ ଦିଆଯାଉଛି ମଧ୍ୟ ଏବଂ ବର୍ଷ ୨୦୨୪ ଆସୁ ଆସୁ ଲୋକଙ୍କ ଖାତାରେ ଖଟାଖଟ୍ ଏକ ଲକ୍ଷ ଟଙ୍କା ଆସିବାର ପ୍ରତିଶୃତି ବା ଗ୍ୟାରେଣ୍ଟି ବି ଦିଆଯାଇଛି୤

ବିନା କାମରେ ମାଗଣାରେ ଏଭଳି ଜିନିଷ ବା ଅର୍ଥ ପ୍ରଦାନ କରିବା ଦେଶପାଇଁ ବିପଦଜନକ କାରଣ ଏହିଭଳି ବ୍ୟବସ୍ଥାକୁ ଆପଣାଇ ବିଶ୍ବରେ ଅନେକ ଦେଶ ନିଜର ଅସ୍ତିତ୍ବ ହରାଇ ସାରିଛନ୍ତି୤

ପ୍ରଶ୍ନ ଉଠିବା ଉଚିତ ଯେ ନିର୍ବାଚନରେ ଯେଉଁ ଖଟାଖଟ୍ ଏକ ଲକ୍ଷ ଟଙ୍କା ଲୋକଙ୍କ ଖାତାକୁ ଆସିବା କଥା କୁହାଯାଇଥିଲା ସେ ଟଙ୍କା ଆସିବ କେଉଁଠୁ? ସରକାରଙ୍କ ପାଖରେ ଅର୍ଥ ଉପାର୍ଜନ ପାଇଁ ଯେଉଁ ସବୁ ଉପାୟ ରହିଛି ସେଥି ମଧ୍ୟରେ ଅଛି ବ୍ୟକ୍ତିଗତ ଆୟକର, ଦ୍ରବ୍ୟ ଓ ସେବା କର ଏବଂ ବିଦେଶରୁ ଆସୁଥିବା ଦ୍ରବ୍ୟ ଉପରେ କର୤ ଏହା ବ୍ୟତୀତ ଅନେକ ସରକାରୀ ସଂସ୍ଥା ବି ଅଛନ୍ତି, ଅବଶ୍ୟ ସେ ସବୁ କେବେ ବି ଲାଭରେ ଚାଲିବାର ଉଦାହରଣ ଅନ୍ତତଃ ଭାରତରେ ଦେଖାଯାଇନାହିଁ୤ ଅର୍ଥାତ ସରକାରଙ୍କ ପାଖରେ ଯାହା ଅର୍ଥ ରହିଛି ସେ ସବୁ ଲୋକଙ୍କ ଠାରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କର ଆକାରରେ ହିଁ ସଂଗୃହୀତ ହୋଇଛି୤ ଏହି ଅର୍ଥରେ ସରକାର ଦେଶର ଭିତ୍ତିଭୂମି ନିର୍ମାଣ, ପରିବେଶ ଉନ୍ନତି, ନୂତନ ଶକ୍ତି ଉତ୍ସର ସନ୍ଧାନ ଭଳି କାର୍ଯ୍ୟରେ ନିୟୋଜିତ କରନ୍ତି କିନ୍ତୁ ଯଦି ସେହି ଅର୍ଥ ଲୋକଙ୍କୁ ମାଗଣାରେ ରଙ୍ଗୀନ ଟିଭି ଦେବା ହେଉ ବା ଖଟାଖଟ୍ ଲକ୍ଷେ ଟଙ୍କା ଦେବା ହେଉ ସ୍କିମରେ ବାଣ୍ଟି ଦିଅନ୍ତି ତା ହେଲେ ଅନ୍ୟ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବ୤ ଏଠି ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ଏତେ ଅଧିକ ସଡ଼କ ପଥ ନିର୍ମାଣ କରିବାର ଆବଶ୍ୟକତା କଣ ରହିଛି? ଭଲ ସଡ଼କ ରହିଲେ ମାଲ୍ ପରିବହନ ସହଜରେ ହୋଇ ପାରିବ, ଏଥିରେ କମ ଖର୍ଚ୍ଚ ହେବ, ବ୍ୟବସାୟୀ ମାନେ ଅଧିକ ଲାଭାନ୍ବିତ ହେବେ ଏବଂ ସେମାନଙ୍କ ଅଧୀନରେ କାମ କରୁଥିବା କର୍ମଚାରୀମାନେ ଲାଭାନ୍ବିତ ହେବେ, ଏହିଭଳି ବ୍ୟବସ୍ଥା ହେଲେ ବିଦେଶରୁ କମ୍ପାନୀମାନେ ଦେଶକୁ ଆସି ଅର୍ଥ ନିବେଶ କରିବେ ଯାହା ଫଳରେ ଆପଣ ଓ ଆମ ଭଳି ବ୍ୟକ୍ତିମାନେ ହିଁ ଲାଭାନ୍ବିତ ହେବା୤ ଆମକୁ ଜୀବିକାନିର୍ବାହ କରିବାର ପନ୍ଥା ମିଳିବ୤ ନିଜେ ହିଁ ରଙ୍ଗୀନ ଟିଭି କିଣି ପାରିବେ୤ ଏବେ ଆପଣ ଚିନ୍ତା କରି କୁହନ୍ତୁ ଆପଣଙ୍କୁ ସରକାରଙ୍କ ପାଖରୁ ରଙ୍ଗୀନ୍ ଟିଭି ଆବଶ୍ୟକ ନା ନିଜ ପରିଶ୍ରମରେ ପାଇବାକୁ ଚାହିଁବେ?

ଭଲ ସଡ଼କପଥ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ହେଲେ ଅନେକ ପରିବାର ରୋଜଗାରକ୍ଷମ ହୋଇ ପାରିବେ ଏବଂ ସମ୍ମାନର ସହ ସମାଜରେ ରହି ପାରିବେ କିନ୍ତୁ ନା, କିଛି ଲୋକଙ୍କୁ ଦରକାର ମାଗଣାରେ ଟଙ୍କା୤ ସେମାନେ ଦେଶ ଓ ଦଶର ଉନ୍ନତି ଚାହାନ୍ତି ନାହିଁ୤

ବର୍ଷ ୨୦୨୪ରେ କର୍ଣ୍ଣାଟକ ସରକାର ନିର୍ବାଚନ ପରେ ଏତେ ଗୁଡିଏ ପ୍ରତିଶୃତି ଦେଇଥିଲେ ଯେ ସେ ସବୁକୁ ପୂରଣ କରୁ କରୁ ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ ଆଉ ଅର୍ଥ ରହିଲା ନାହିଁ୤ ସେହିଭଳି ଦିଲ୍ଲୀ ସରକାର ମଧ୍ୟ ମହିଳାମାନଙ୍କୁ ମାଗଣା ବସ ସେବା ଯୋଗାଇବା ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଯେତେବେଳେ କି ଅଧିକାଂଶ ମହିଳା ଯାତ୍ରୀ ନିଜେ ଖର୍ଚ୍ଚ କରି ଯାତ୍ରା କରିବାକୁ ସକ୍ଷମ ଅଟନ୍ତି୤ ଏହିଭଳି ବିଜୁଳୀ ଓ ପାଣି ପାଇଁ ମଧ୍ୟ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି୤ ଏହିବର୍ଷ ଦିଲ୍ଲୀ ସରକାରଙ୍କ ବଜେଟ୍ ପାଖାପାଖି ୭୬ ହଜାର କୋଟି ଟଙ୍କାର ହୋଇଛି ଯେଉଁଥିରୁ ଏକ ସିଂହଭାଗ କେବଳ ମାଗଣା ବିଜୁଳୀ, ପାଣି, ବସ ସେବା ଓ ମହିଳାଙ୍କ ଭତ୍ତାରେ ଯାଉଛି୤ ଏହିଭଳି ସମୟରେ ରାଜ୍ୟ ସରକାର ଶିକ୍ଷକମାନଙ୍କ, ସଫାଇ କର୍ମଚାରୀମାନଙ୍କ ବେତନ ସଠିକ୍ ସମୟରେ ଦେଇ ପାରୁନାହାନ୍ତି୤ କାରଣ ସବୁ ଅର୍ଥ ମାଗଣା ବାଣ୍ଟିବାରେ ହିଁ ସରି ଯାଉଛି ଏବଂ ତା ପରେ କେନ୍ଦ୍ର ସରକାରଙ୍କ ପାଖରେ ହାତ ପତାଇବା ଛଡା ଆଉ କିଛି ଉପାୟ ରହୁନାହିଁ୤

କେନ୍ଦ୍ର ସରକାର ମଧ୍ୟ କେଉଁଠୁ ଏତେ ମାତ୍ରାର ଅର୍ଥ ଆଣିବେ? ବିଶ୍ବ ବ୍ୟାଙ୍କରୁ ଅର୍ଥ ଅଣା ଯାଉଛି୤ ଆସୁଥିବା ଅର୍ଥକୁ ଅନେକ ରାଜ୍ୟ ସରକାର ସେହି ଫ୍ରିବିଜ୍ ସ୍କିମରେ ହିଁ ବ୍ୟବହାର କରୁଛନ୍ତି୤ ସରଳ ଭାଷାରେ କହିଲେ ଆପଣ ବିଶ୍ବ ବ୍ୟାଙ୍କରୁ ଆଣିଥିବା ଅର୍ଥ ପରିଶୋଧ କରିବାକୁ ଅକ୍ଷମ ହେଉଛନ୍ତି ଏବଂ ସେହି ଋଣ ପରିଶୋଧ କରିବା ପାଇଁ ନୁଆ ଋଣ ନିଆଯାଉଛି୤ ଏହିଭଳି ଋଣ ପରେ ଋଣ ନେଇ ଦେଶ ଦେବାଳିଆ ହେବା ଆଡ଼କୁ ଗତି କରୁଛି୤ ସେତେବେଳେ ଅନ୍ତରାଷ୍ଟ୍ରିୟ ମୁଦ୍ରାକୋଷର କଡ଼ା ନିୟମ ମାନିବାକୁ ବାଧ୍ୟ ହେବାକୁ ପଡୁଛି୤ ଯାହା ଫଳରେ ଦେଶରେ ଦିନକୁ ଦିନ ଦ୍ରବ୍ୟ ଓ ସେବା ସବୁ ମହଙ୍ଗାରୁ ଅତି ମହଙ୍ଗା ହେବାକୁ ଲାଗୁଛି୤ ଦରଦାମ ବୃଦ୍ଧି ଜନଜୀବନକୁ ପ୍ରଭାବିତ କରୁଛି୤ ଗ୍ୟାସରୁ ଆରମ୍ଭ କରି ସାମାନ୍ୟ ରାସନ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହେଉଛି୤

ଏହିଭଳି ପରିସ୍ଥିତିରେ କମ୍ପାନୀମାନେ ନିଜର ଉତ୍ପାଦନ ବନ୍ଦ କରିଦିଅନ୍ତି୤ ଅନେକ କର୍ମଚାରୀଙ୍କୁ ଛଟେଇ କରାଯାଏ, ଯାହା ଫଳରେ ଲୋକମାନେ ବେରୋଜଗାର ହୋଇଯାଆନ୍ତି୤ ବେରୋଜଗାର ବ୍ୟକ୍ତି ଆୟକର କେଉଁଠାରୁ ଆଣି ଦେବ? , ସରକାରଙ୍କ ପାଖକୁ ଯାହା ବି କିଛି ଆୟକର ଆସୁଥିଲା ତାହା ବି ବନ୍ଦ ହେଉ ଯାଉଛି୤ ଶିକ୍ଷା ସ୍ବାସ୍ଥ୍ୟ ଭଳି ଅତି ଆବଶ୍ୟକ ସେବା ପାଇଁ ସରକାର ଯେଉଁ ସହାୟତା ଦେଉଥିଲେ ତାହା ବି ଦେବାକୁ ଅକ୍ଷମ ହୁଅନ୍ତି୤ ଏହିଭଳି ପରିସ୍ଥିତି ଦେଶକୁ ଅସ୍ଥିରତା ଆଡ଼କୁ ଟାଣି ନିଏ୤ ଏହା ଅନେକ ଦେଶରେ ଦେଖିବାକୁ ମିଳିଛି୤ ଦେଶର ଶାସକ ବର୍ଗ ଦେଶ ଛାଡ଼ି ଚାଲି ଯାଆନ୍ତି, ଲୋକମାନେ ରାଷ୍ଟ୍ରପତିଙ୍କ ମହଲରେ ପ୍ରବେଶ କରନ୍ତି, ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ଦେଖିବାକୁ ମିଳେ୤

ଶାସନଭାର ପାଇବା ପାଇଁ ଏହିଭଳି ମାଗଣା ବଣ୍ଟନ ସ୍କିମ୍ ଲାଗୁକରି ବିଶ୍ବର ଅନେକ ଦେଶ ଦେବାଳିଆ ହୋଇଛନ୍ତି୤

୨୦୦୧ ମସିହା ପର୍ଯ୍ୟନ୍ତ ଦକ୍ଷିଣ ଆମେରିକାର ପ୍ରମୁଖ ଧନୀ ଦେଶ, ଯାହା ପାଖରେ ବିଶ୍ବର ସବୁଠାରୁ ଅଧିକ ଖଣିଜ ତେଲର ଭଣ୍ଡାର ଥିଲା ୨୦୧୭ ହେଉ ହେଉ ଦେବାଳିଆ ହୋଇଗଲା୤ ୧୯୯୦ ଦଶକରେ ଏହି ଦେଶକୁ ବିଶ୍ବର ତୃତୀୟ ସର୍ବାଧିକ ପର୍ଯ୍ୟଟକ ଆସୁଥିଲେ୤ ଏହି ଦେଶର ନାଁ ଥିଲା ଭେନେଜୁଏଲା୤ ବର୍ଷ ୨୦୧୭ ବେଳକୁ ଏହି ଦେଶର ହସ୍ପିଟାଲ୍ ମାନଙ୍କରେ ରୋଗୀମାନଙ୍କୁ ସାଧାରଣ ରୋଗ ନିଦାନ ଯେମିତି ଏକ୍ସ୍ ରେ କରିବା ପାଇଁ ମଧ୍ୟ ଅର୍ଥ ନଥିଲା୤ ଲୋକଙ୍କ ପାଖରେ ଖାଇବା ପାଇଁ ସାମଗ୍ରୀ ନଥିଲା, ନା ଦେଶରେ ବିଜୁଳୀ ଥିଲା୤ ଲୋକଙ୍କୁ ନିଜ ଶ୍ରମପାଇଁ ୭୦ ପ୍ରତିଶତ କମ ପାରିଶ୍ରମିକ ମିଳୁଥିଲା୤ ଦେଶର ପାଖାପାଖି ୭୭ ପ୍ରତିଶତ ଜନସଂଖ୍ୟା ଅତ୍ୟଧିକ ଗରୀବି ସମସ୍ୟା ସହ ଜୁଝୁଥି୍ଲେ୤

୧୯୯୮ ମସିହାରେ ଭେନେଜୁଏଲାରେ ରାଷ୍ଟ୍ରପତି ହେବାପରେ ହ୍ୟୁଗୋ ସାବେଜ୍ ଲୋକଙ୍କୁ ଅନେକ ଫ୍ରିବିଜ୍ ଦେବା ଆରମ୍ଭ କରିଦେଲେ୤ ଦେଶରେ ଆୟ ବହୁତ ହେଉଥିଲା୤ ପ୍ରଚୂର ଖଣିଜ ତେଲ ପାଇଁ ଦେଶର ଅର୍ଥନୀତି ସୁଦୃଢ଼ ଥିଲା ତେଣୁ ସେ ନିଜ ନୀତିରେ ଅଟଳ ରହି ଆମେରିକା ସହ ସବୁ ସଂପର୍କ ବିଚ୍ଛିନ୍ନ କରି କେବଳ ଋଷ ଓ ଚୀନର ସହ ବନ୍ଧୁତ୍ବପୂର୍ଣ୍ଣ ସଂପର୍କ ରଖିଲେ୤ ଭାରତର କମ୍ୟୁନିଷ୍ଟ୍ ପାର୍ଟିର ଘୋଷଣା ପତ୍ର ଯଦି ଆପଣ ଦେଖନ୍ତି ସେଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଯଦି ସେମାନେ ଶାସନରେ ଆସନ୍ତି ତା ହେଲେ ଆମେରିକା ସହ ସବୁ ସଂପର୍କ ବିଚ୍ଛିନ୍ନ କରାଯିବ ଏବଂ କେବଳ ଚୀନ ସହ ସଂପର୍କ ରହିବ୤

ଚୀନ ଓ ଋଷ ଭେନେଜୁଏଲାକୁ କୋଟି କୋଟି ଡଲାର ଅର୍ଥ ଋଣ ଦେଲେ, ହ୍ୟୁଗୋ ସାବେଜ୍ ଅଧିକାଂଶ ଦ୍ରବ୍ୟର ଦର ନିୟନ୍ତ୍ରିତ କରିଦେଲେ୤ ଏଥିରେ କମ୍ପାନୀର ଲାଭ ବା କ୍ଷତି ପ୍ରତି ଧ୍ୟାନ ଦିଆଗଲା ନାହିଁ୤ ଲୋକଙ୍କ କଲ୍ୟାଣ ପାଇଁ ଭୟଙ୍କର ଭାବରେ ଅନେକ ସ୍କିମ୍ ଚାଲିଲା୤ ଗରୀବ ପିଲାଙ୍କୁ ମାସିକ ଶହେ ଡଲାର୍ ଦିଆଗଲା୤ ଏହି ସବୁ ଯୋଜନା ଫଳରେ ସାବେଜ ଲୋକଙ୍କ ଦୃଷ୍ଟିରେ ହିରୋ ହୋଇଗଲେ ଏବଂ ସେ ଥିବା ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦବୀରେ ହିଁ ରହିଲେ୤ ୨୦୧୩ରେ ତାଙ୍କ ପରବର୍ତ୍ତୀ ରାଷ୍ଟ୍ରପତି ମଧ୍ୟ ଲୋକଙ୍କ ମଧ୍ୟରେ ମାଗଣା ଜିନିଷ ବାଣ୍ଟିବା ଯୋଜନା ବନ୍ଦ କରିଲେ ନାହିଁ୤ ଏବେ ଅବସ୍ଥା ଏଭଳି ହୋଇଛି ଯେ ଭେନେଜୁଏଲା ପୁଣି କେବେ ସ୍ଥିର ହୋଇ ପାରିବ ତାହା କହିବା ସନ୍ଦେହ ଲାଗୁଛି୤

ଏହିଭଳି ସମସ୍ୟା କେବଳ ଭେନେଜୁଏଲାରେ ହିଁ ନାହିଁ, ସିଙ୍ଗାପୁର ମଧ୍ୟ ସେହିଭଳି ପନ୍ଥା ଆପଣେଇଥିଲା, କିନ୍ତୁ ସମୟ ଥାଉ ଥାଉ ସେଥିରେ ଲଗାମ ଲଗାଇ ଦିଆଯାଇ ଦେଶକୁ ବଞ୍ଚାଇ ପାରିଲେ୤ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ଉଦାହରଣ ଦେଇ ଦେଶରେ ଚାଲୁଥିବା ସମସ୍ତ ଫ୍ରିବିଜ୍ ସ୍କିମକୁ ବନ୍ଦ୍ କରିଲେ୤

ଯଦି ଅଷ୍ଟ୍ରେଲିଆ ଭଳି ବଡ଼ ଓ ବିକଶିତ ଦେଶରେ ମଧ୍ୟ ଫ୍ରିବିଜ୍ ଯୋଗୁଁ ସମସ୍ୟା ସୃଷ୍ଟି ହୋଇପାରୁଛି ତାହେଲେ ସିଙ୍ଗାପୁରରେ କାହିଁକି ହେବନାହିଁ, ଆଉ ଏବେ ଆପଣ ଚିନ୍ତା କରି କହନ୍ତୁ, ଭାରତରେ ହେବ ନାହିଁ କି୤

ଆଉ ଏକ ଉଦାହରଣ ଆମ ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କା ବିଷୟରେ ବି ଜାଣିଥିବେ୤ ୨୦୧୯ରେ ରାଜପକ୍ଷେଙ୍କ ସରକାର ଥିଲା ଏବଂ ସେମାନେ ନିଜର ନିର୍ବାଚନୀ ପ୍ରତିଶୃତି ପୂରଣ କରିବାପାଇଁ କର ଛାଡ଼ କରିଦେଲେ୤ ଲୋକ ବହୁତ ଖୁସିଥିଲେ୤ କମ୍ପାନୀମାନଙ୍କୁ ମଧ୍ୟ କରଛାଡ଼ ଦିଆଗଲା, ଦେଶରେ କେବଳ ଅର୍ଗାନିକ୍ ଚାଷ ପଦ୍ଧତି ଲାଗୁ କରାଯିବ ବୋଲି ନିଷ୍ପତ୍ତି ନିଆଗଲା୤ ଏହି ତିନି ନିଷ୍ପତ୍ତି ଫଳରେ ଦେଶର ଅର୍ଥନୀତି ହଠାତ୍ ଦୂର୍ବଳ ହୋଇଗଲା ଏବଂ ତା ପରେ ଯାହା ହେଲା ସେ ସବୁ ଆପଣ ଜାଣିଛନ୍ତି୤

ଫ୍ରିବିଜ୍ ପ୍ରଥା ଦ୍ବାରା ଭାରତରେ କଣ ସବୁ ଅସୁବିଧା ହେଉଛି ସେ ସବୁ ବିଷୟରେ ଆଗକୁ ଜାଣିବା୤ ଶାବ୍ଦିକ ଭାବରେ ଫ୍ରିବିଜର ଅର୍ଥ ସେ ସବୁ ଦ୍ରବ୍ୟ ବା ସେବା ଯେଉଁଥିପାଇଁ ସରକାର ଲୋକଙ୍କଠାରୁ ଆଦୌ ଅର୍ଥ ଗ୍ରହଣ କରନ୍ତି ନାହିଁ୤ ଏଥିରେ ଶିଶୁମାନଙ୍କ ଶିକ୍ଷା, ପୋଷଣ, ସ୍ବାସ୍ଥ୍ୟ ସେବା, ଘରେ ପାଇଖାନା ନିର୍ମାଣ, ମହିଳା ମାନଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା, ପରିବାର ନିୟନ୍ତ୍ରଣ ଇତ୍ୟାଦି ଅନ୍ତର୍ଭୁକ୍ତ୤

ପାଇଖାନା ନିର୍ମାଣ ଫଳରେ ନା କେବଳ ଭାରତରେ ଧର୍ଷଣ ଭଳି ଅପରାଧ କମ ହୋଇଛି, ବରଂ ଏକ ଅନୁମାନ ଅନୁଯାୟୀ ଆମାଶୟ ଓ କଲେରା ଭଳି, ୧୮ ଲକ୍ଷ ମୃତ୍ୟୁକୁ ଏଡ଼ାଇ ଦିଆଯାଇଛି୤

ଅଶୀ କୋଟି ଲୋକଙ୍କୁ ମାଗଣା ରାସନ ହେଉ ବା ଦିଲ୍ଲୀରେ ମହିଳା ମାନଙ୍କ ପାଇଁ ନିଃଶୁଳ୍କ ବସ ସେବା, କିମ୍ବା ମାଗଣାରେ ଟିଭି, ଏହି ସବୁ ସ୍କିମ୍ ନନ୍ ମେରିଟ୍ ସ୍କିମ୍ ଅନ୍ତର୍ଗତ ଆସନ୍ତି୤ ଅର୍ଥାତ ଅନାବଶ୍ୟକ ବୋଲି ଧରି ପାରନ୍ତି୤ ଦିଲ୍ଲୀରେ ରହୁଥିବା ଅଧିକାଂଶ ମହିଳା ଯାତ୍ରୀ ଆର୍ଥିକ ଭାବରେ ସକ୍ଷମ ତେଣୁ ସେଠାରେ ମାଗଣା ବସ ସେବା ଯୋଗାଇବାର ଆବଶ୍ୟକତା ନାହିଁ୤ ମାଗଣା ବଣ୍ଟାଯାଉଥିବା ଜିନିଷ ବା ସେବା ଉଚିତ କି ଅନୁଚିତ ତାହା ନିଶ୍ଚୟ ବିତର୍କର ବିଷୟ୤

ଫ୍ରାନ୍ସ୍ ଭଳି ଦେଶ ଏହାର ମେଡ଼ିକାଲ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ପାଠ ପଢାନ୍ତି୤ ଅନେକ ଦେଶ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ନିଃଶୁଳ୍କ କରିଛନ୍ତି୤ ଭାରତରେ ୨୦୦୬ ନିର୍ବାଚନ ପରବର୍ତ୍ତୀ ସମୟରେ ଫ୍ରିବିଜ୍ ପ୍ରଚଳନ ବହୁତ ମାତ୍ରାର ବଢ଼ିଛି୤ ଏଥିମଧ୍ୟରୁ କିଛି ଯୋଜନା ଆବଶ୍ୟକ ଥିବା ବେଳେ ଅନେକ ଅନାବଶ୍ୟକ ରହିଛି୤

ତାମିଲନାଡୁରେ ହିଁ ଭାରତର ପ୍ରଥମ ବିଶାଳ ମାଗଣା ବଣ୍ଟନ ପ୍ରଥା ଆରମ୍ଭ ହୋଇଥିଲା ଏବଂ ନିକଟ ଅତୀତରେ ତାମିଲନାଡୁ ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହି ସବୁ ମାଗଣା ବଣ୍ଟନ ଯୋଜନା ରାଜ୍ୟବାସୀଙ୍କୁ ଅଳସୁଆ କରୁଛି୤

ବର୍ଷ ୨୦୨୨ରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ବଜେଟର ୩୦ ପ୍ରତିଶତ ଅର୍ଥ କେବଳ ଏହିଭଳି ମାଗଣା ଯୋଜନାରେ ହିଁ ଖର୍ଚ୍ଚ ହୋଇଛି୤ ଝାରଖଣ୍ଡରେ ୨୬ ପ୍ରତିଶତ ଏବଂ ମଧ୍ୟପ୍ରଦେଶରେ ୨୮ ପ୍ରତିଶତ, ପଞ୍ଜାବରେ ୪୫, ପଶ୍ଚିମ ବଙ୍ଗରେ ୨୩, ହରିଆନାରେ ୯ ପ୍ରତିଶତ ରହିଛି୤ କହିବାକୁ ଗଲେ ଆମ ଆଦମୀ ପାର୍ଟି ଦ୍ବାରା ଶାସିତ ପଞ୍ଜାବ ମାଗଣା ବଣ୍ଟନ ଯୋଜନାରେ ୪୫ ପ୍ରତିଶତ ସହ ଶୀର୍ଷରେ ରହିଛି୤ ଏହା ରାଜ୍ୟ ତଥା ଦେଶ ପାଇଁ ଘାତକ ହୋଇପାରେ କାରଣ ବର୍ତ୍ତମାନ ରାଜ୍ୟ ୮୫୦୦ କୋଟି ଟଙ୍କା ଋଣଭାରରେ ଥିବା ବେଳେ ଆଗାମୀ ଦିନରେ ମାଗଣା ବିଜୁଳୀ ଓ ପାଣି ବଣ୍ଟନ ପାଇଁ ପାଖାପାଖି ୫୫ ହଜାର କୋଟି ଟଙ୍କାର ଋଣ ଆବଶ୍ୟକ କରୁଛି୤ ଭାବନ୍ତୁ ଆପଣ ଘର କରିବା ପାଇଁ ଋଣ ନେଉଛନ୍ତି ଏବଂ ତାହା ପରିଶୋଧ କରି ପାରୁନାହାନ୍ତି ବୋଲି ପୁଣି ଏକ ଋଣ ନେଉଛନ୍ତି୤ ଭାରତରେ ଆମ୍ ଆଦମୀ ପାର୍ଟି ଦ୍ବାରା ନିର୍ବାଚନୀ ପ୍ରତିଶୃତି ପ୍ରାୟ ଅଧିକାଂଶ ରାଜ୍ୟରେ ରାଜନୈତିକ ଦଳମାନେ ଏହିଭଳି ପ୍ରତିଶୃତି ଦେବାକୁ ଲାଗିଲେଣି୤ ଏହା ଏକ ବିକଟ ସମସ୍ୟା ଯେଉଁଥିପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟମାନଙ୍କୁ ସଚେତନ କରାଇଲେଣି୤

ପଞ୍ଚାଦଶ ଅର୍ଥନୀତି କମିସନ ଅଧିକାରୀ ଏନ୍ କେ ସିଂହଙ୍କ ଅନୁସାରେ ଭାରତର ଅବସ୍ଥା ଶ୍ରୀଲଙ୍କା ଭଳି ହୋଇପାରେ, ଯଦି ରାଜ୍ୟମାନେ ମାଗଣା ବଣ୍ଟନ କାର୍ଯ୍ୟକ୍ରମ ଜାରୀ ରଖନ୍ତି୤ ୨୦୨୧ରେ ମାଡ୍ରାସ୍ ହାଇକୋର୍ଟ୍ ମନ୍ତବ୍ୟ ଦେଇଥିଲେ ଯେ ରାଜ୍ୟମାନଙ୍କୁ ଫ୍ରିବିଜ୍ ପାଇଁ ହେଉଥିବା ଖର୍ଚ୍ଚକୁ ରୋଜଗାର ଉତ୍ପନ୍ନ ଏବଂ ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ କରିବା ଉଚିତ୤

କର୍ଣ୍ଣାଟକ ସରକାର ନିଜ ନିର୍ବାଚନୀ ଘୋଷଣାପତ୍ରରେ ଦେଇଥିବା ପ୍ରତିଶୃତି ରକ୍ଷା କରିବାପାଇଁ ପ୍ରାୟ ପଚାଶ ହଜାର କୋଟି ଟଙ୍କା ଆବଶ୍ୟକ କରୁଛନ୍ତି ଏବଂ ଏଥିପାଇଁ ସେ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭରଶୀଳ୤ ଏତେ ପରିମାଣର ଅର୍ଥ ଯୋଗାଇବା ଅସମ୍ଭବ ବୋଲି କେନ୍ଦ୍ର ସରକାର କହିଲେ, କୁହାଯିବ ଯେ କେନ୍ଦ୍ର ଦକ୍ଷିଣ ଭାରତୀୟଙ୍କ ପାଇଁ ବୈମାତୃକ ମନୋଭାବ ରଖୁଛନ୍ତି୤ ଏହାଦ୍ବାରେ ଦେଶରେ ଅସୂୟା ବୃଦ୍ଧି ପାଇବ୤

ଏହିଭଳି ପ୍ରତିଶୃତି କେବଳ ଦେଶକୁ ହିଁ ନୁହେଁ ବରଂ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରୁଛନ୍ତି, କାରଣ ଏହି ସବୁ ଯୋଜନା ଭୋଟ୍ ବ୍ୟାଙ୍କ ସୃଷ୍ଟି କରୁଛନ୍ତି, ଏବଂ ଅନେକ ସମୟରେ ଏହି ଫ୍ରିବିଜ୍ ସମ୍ପ୍ରଦାୟ, ଜାତି ବା ଗୋଷ୍ଠୀ ଆଧାରରେ ପ୍ରସ୍ତୁତ କରାଯାଉଛି୤ ନିର୍ବାଚନ କମିସନଙ୍କ ହିସାବରେ ଆପଣ ଭୋଟ୍ ପାଇଁ ଅର୍ଥ ଦେଇ ପାରିବେ ନାହିଁ, ତେଣୁ ଏହିଭଳି ପ୍ରତିଶୃତି ଦେବାରେ କୌଣସି ଅସୁବିଧା ରହୁନାହିଁ୤ ନିର୍ବାଚନ ପରେ ଅଧିକାଂଶ ରାଜନୈତିକ ଦଳ ଏହି ମାଗଣା ସ୍କିମ୍ ପାଇଁ ଚିନ୍ତାଶୀଳ ହେଉଛନ୍ତି କିନ୍ତୁ ଭିତ୍ତିଭୂମି ବିକାଶ ଓ ରୋଜଗାର ଉତ୍ପନ୍ନ ଆଦି ବିଷୟ ସବୁ ପ୍ରତି ଧ୍ୟାନ ଦେଉନାହାନ୍ତି, କିମ୍ବା କେନ୍ଦ୍ର ସରକାରଙ୍କ ସହାୟତାକୁ ଚାହିଁ ରହୁଛନ୍ତି୤

ଏହିଭଳି ପରିସ୍ଥିତିରେ କର ଦେଉଥିବା କର୍ମଚାରୀମାନେ କର ଚୋରୀ କରିବାକୁ ଶ୍ରେୟସ୍କର ମଣୁଛନ୍ତି୤  କାରଣ ସେ ଜାଣୁଛନ୍ତି ତାଙ୍କର ଦେଉଥିବା କର ଦେଶର ଭିତ୍ତିଭୂମି ନିର୍ମାଣରେ ଲାଗୁନାହିଁ, ବରଂ ଲୋକଙ୍କୁ ମାଗଣାରେ ବଣ୍ଟନ ହେଉଛି୤ ଅଧିକାଂଶ ମତଦାତା ଏହିଭଳି ଫ୍ରିବିଜ୍ ନେଇ ନିଜ ମୁହଁ ବନ୍ଦ କରି ରଖୁଛନ୍ତି ଏବଂ ସେମାନଙ୍କ ସଂଖ୍ୟା ଅଧିକ ଥିବାରୁ କେହି ବି ଏହି ବିଷୟ ପ୍ରତି ଧ୍ୟାନ ଦେଉନାହାନ୍ତି୤ ସେମିତିରେ ବି ଭାରତର ମଧ୍ୟମ ଏବଂ ଉଚ୍ଚ ବର୍ଗ ଏ ବିଷୟ ପ୍ରତି ଟିକେ ଅଧିକ ଉଦାସୀନ୤

ତା ହେଲେ ଫ୍ରିବିଜ୍ ଦ୍ବାରା ଦେଶରେ ହେଉଥିବା ଅସୁବିଧା ବିଷୟରେ ଆମେ ଜାଣିବା ପରେ ଏବେ ଜାଣିବା ଉଚିତ ଯେ ଏହାର ସମାଧାନ କଣ ହୋଇପାରେ? ମାଗଣା ବଣ୍ଟନ ପାଇଁ କୌଣସି ରାଜନୈତିକ ଦଳ ପ୍ରତିଶୃତି ଦେଇପାରିବେ ନାହିଁ ବୋଲି ନିର୍ବାଚନ କମିଶନ ଘୋଷଣା କରିବା ଉଚିତ୤ କିମ୍ବା ଯଦି ସେଭଳି କୌଣସି ଯୋଜନା କରାଯାଉଛି ତାହା କାହାପାଇଁ ଉଦ୍ଦିଷ୍ଟ ତାହା ମଧ୍ୟ ସ୍ପଷ୍ଟ ହେବା ଉଚିତ୤ ଏଠାରେ ଉଦାହରଣ ସ୍ବରୂପ ଦେଖାଯାଉ ଯେ ଦକ୍ଷିଣ ଦିଲ୍ଲୀର ଉଚ୍ଚଶ୍ରେଣୀର ଏକ କୋଟିପତି ପରିବାରର ଝିଅ ମଧ୍ୟ ମାଗଣାରେ ବସ ଯାତ୍ରା କରୁଛନ୍ତି୤ ଏଠାରେ ସରକାରଙ୍କ ଏହି ଯୋଜନାରେ ସ୍ପଷ୍ଟ ନାହିଁ ଯେ ଏହା କେଉଁମାନଙ୍କ ପାଇଁ ନିର୍ଦ୍ଧିଷ୍ଟ୤ ଆପଣ ନିଜେ ହିଁ ବିଚାର କରନ୍ତୁ ଏହା କେତେ ଯୁକ୍ତିଯୁକ୍ତ୤ କେନ୍ଦ୍ର ସରକାରଙ୍କ ପାଇଖାନା ନିର୍ମାଣ ବ୍ୟବସ୍ଥାରେ କେବଳ ସେହି ଘରମାନଙ୍କୁ ପାଇଖାନା ନିର୍ମାଣ ପାଇଁ ଅର୍ଥ ଯୋଗାଣ କରାଯାଉଥିଲା ଯେଉଁ ଘରମାନଙ୍କରେ ପାଇଖାନା ନଥିଲା୤ ଏହିଭଳି କଲ୍ୟାଣ ଯୋଜନା ଭଲ, କାରଣ ଏହା ସମାଜରେ ଅତି ଆବଶ୍ୟକ୤

କିନ୍ତୁ ଯଦି ସମସ୍ତ ବେକାରଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ଦିଆଯିବ ବା ମହିଳାଙ୍କୁ ଏକ ଲକ୍ଷ ଟଙ୍କା ଦିଆଯିବା କଥା କୁହାଯାଏ, ତାହେଲେ ଏଥିପାଇଁ ଆବଶ୍ୟକ ଅର୍ଥ ସଂପୃକ୍ତ ରାଜନୈତିକ ଦଳ ନିଜ ଦଳ ପାଣ୍ଠିରୁ ଦେବେ କି?

କର୍ଣ୍ଣାଟକର କଂଗ୍ରେସ ସରକାର ବର୍ଷ ୨୦୨୩-୨୪ର ବାର୍ଷିକ ଅଟକଳରେ ଖୋଲାଖୋଲି କହିଦେଲେ ଯେ ପୁରା ବର୍ଷ କୌଣସି ବି ଉନ୍ନତିମୂଳକ କାର୍ଯ୍ୟ ହୋଇ ପାରିବ ନାହିଁ, କାରଣ କେବଳ ବଣ୍ଟନ ଯୋଜନା ପାଇଁ ହିଁ ୪୦ ହଜାର କୋଟିର ଆବଶ୍ୟକତା ରହିଛି୤ ଲୋକ ବି ଜାଣୁଛନ୍ତି ଯେ ରାଜ୍ୟ ବଜେଟର ସମସ୍ତ ଅର୍ଥ ଲୁଟ ହେଇ ଯାଉଛି, ହେଲେ ସୁଦ୍ଧା ଲୋକମାନେ ସେହି ଦଳକୁ ଭୋଟ୍ ଦେଉଛନ୍ତି୤ ନିର୍ବାଚନ କମିଶନ ଏହିଭଳି ପରିସ୍ଥିତିରେ ନିଷ୍ପତ୍ତି ନେବା ଉଚିତ ଯେ ଯଦି କୌଣସି ରାଜନୈତିକ ଦଳ କୌଣସି ବି ମାଗଣା ସ୍କିମ୍ ଆଣୁଛନ୍ତି ତାହାର ସୂଚନା ସେ ପ୍ରଥମେ ନିର୍ବାଚନ କମିସନଙ୍କୁ ଜଣାଇବେ ଏବଂ ସେଥିରୁ କେଉଁ ଯୋଜନା ଆବଶ୍ୟକ ବା ଅନାବଶ୍ୟକ ବଛା ହୋଇ ପାରିବ୤ ଅଯଥା ମାଗଣା ବଣ୍ଟନ ସ୍କିମ୍ ବା କଲ୍ୟାଣ ଯୋଜନା ଉପରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ରହିଛି୤

ଲୋକମାନଙ୍କୁ ମଧ୍ୟ ଚିନ୍ତା କରିବା ଆବଶ୍ୟକ କିଭଳି ଏତେ ଟଙ୍କା ସରକାର ସେମାନଙ୍କୁ ଦେଉଛନ୍ତି, ସେ ଟଙ୍କା କେଉଁଠୁ ଆସୁଛି୤ ଏଥିପାଇଁ ଆହୁରି ମଧ୍ୟ ଏହା ଆବଶ୍ୟକ ରହିଛି ଯେ ଭାରତର ନିମ୍ନ ଅର୍ଥନୈତିକ ବର୍ଗଙ୍କ ଉନ୍ନତି କରାଯାଇ ମଧ୍ୟମ ବର୍ଗରେ ପରିଣତ କରିବା୤ ଫଳରେ ଏହି ମାଗଣା ସ୍କିମ୍ ସବୁ ବିଫଳ ହେବ୤ ଭାରତରେ କେବଳ ୩୧ ପ୍ରତିଶତ ଜନସଂଖ୍ୟା ମଧ୍ୟମବର୍ଗ ଅଛନ୍ତି୤ ଆଉ ଏହି ସଂଖ୍ୟା ଯେମିତି ଯେମିତି ବଢ଼ିବ, ସେମିତି ସେମିତି ଏହି ଫ୍ରିବିଜ୍ ପ୍ରଥା ମଧ୍ୟ ବନ୍ଦ ହେବ୤

ଯେମିତି ସିଂଗାପୁରର ପ୍ରଧାନ ମନ୍ତ୍ରୀ କହିଥିଲେ ଯେ ପାର୍ଟିମାନେ ମାଗଣା ବାଣ୍ଟିଲେ ଅନ୍ୟ ପାର୍ଟି ତା’ଠାରୁ ଅଧିକ ଦେବାକୁ ଚେଷ୍ଟା କରିବେ ଏବଂ ନିର୍ବାଚନ ଏହାର ଗୁରୁତ୍ବ ହରାଇ ନିଲାମୀ ହୋଇଯିବ୤

ଏଣୁ, ନିର୍ବାଚନ କମିସନଙ୍କୁ ଏହି ନିୟମ କଡ଼ାକଡ଼ି ଭାବରେ ପାଳନ କରିବା ଉଚିତ ଯେ କୌଣସି ରାଜନୈତିକ ଦଳ ନିର୍ବାଚନ ସମୟରେ ଫ୍ରିବିଜ୍ କଥା କହିବେ ନାହିଁ, ଶାସନ କରୁଥିବା ସମୟରେ ମଧ୍ୟ ଲୋକକଲ୍ୟାଣ ପାଇଁ ଯୋଜନା କରି ପାରନ୍ତି, କିନ୍ତୁ ସେ ସବୁ ନିର୍ବାଚନର ଠିକ୍ ପୂର୍ବରୁ ନୁହେଁ୤

କଂଗ୍ରେସ ଦଳ ଅତୀତରେ କୃଷକମାନଙ୍କ ଋଣ ଛାଡ଼ କରିବା ପ୍ରତିଶୃତି ଦେଇ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ନିର୍ବାଚନ ଜିତିବା ପରେ ବି ଏହା କରିନଥିଲେ୤

ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି, ଲୋକଙ୍କ ସଚେତନତା୤ ଲୋକମାନେ ସଜାଗ ରହିବାକୁ ହେବ୤ ରାଜନୈତିକ ଦଳମାନଙ୍କୁ ପ୍ରଶ୍ନ କରିବାକୁ ହେବ ଯେ ଆଜି ଏହିଭଳି ମାଗଣା ବଣ୍ଟନ ଦ୍ବାରା ଆପଣମାନେ ଦେଶକୁ ଅସ୍ଥିରତା ଆଡ଼କୁ ଟାଣି ନେଉନାହାନ୍ତି ତ?

ଆଶା କରୁଛି ମୋର ଏହି ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଥିବ୤ ଏହି ଆଲେଖ୍ୟଟି ୟୁଟ୍ୟୁବରେ ପ୍ରସାରିତ ଏକେଟିକେ ନାମକ ଚ୍ୟାନେଲର ଏକ ଭିଡ଼ିଓରୁ ଅନୁପ୍ରାଣିତ ଏବଂ ଏଥିପାଇଁ ମୁଁ ସେହି ଭରଦ୍ବାଜ ଭାତୃଦ୍ବୟଙ୍କୁ ଧନ୍ୟବାଦ ଦେଉଛି୤

Subscribe to Our channel : https://www.youtube.com/@drjyotiprasad


Comments