Is Multiverse A Reality? #multiverse #parallel_universe


 

ଆମେ ପୂର୍ବବର୍ତ୍ତୀ ଅଧ୍ୟାୟରେ ଶୁଣିଲେ କିଭଳି ପ୍ରଜାପିତ ବ୍ରହ୍ମା ଅନେକ ବ୍ରହ୍ମାଙ୍କୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଗଲେ ଏବଂ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କୁ ଏକାଧିକ ବ୍ରହ୍ମାଣ୍ଡର ବ୍ରହ୍ମା ଭାବରେ ପରିଚିତ କରାଇଥିଲେ୤

ହେଲେ ଆମ ମନରେ ସ୍ବତଃ ପ୍ରଶ୍ନ ଉଠିବା ଉଚିତ ଯେ ଯଦି ଆମ ବ୍ରହ୍ମାଣ୍ଡରେ ସୌରମଣ୍ଡଳ ରହିଛି ଏବଂ ଗ୍ରହ, ଗ୍ରହାଣୁପୁଞ୍ଜ ରହିଛନ୍ତି, ସେହିଭଳି ଅନ୍ୟ ବ୍ରହ୍ମାଣ୍ଡ ମାନଙ୍କରେ ମଧ୍ୟ ରହିଛନ୍ତି କି? ଭାରତୀୟ ପୌରାଣିକ କଥାନକ ଯଥା ରାମାୟଣ ଏବଂ ମହାଭାରତ ସମେତ ଅନେକ ଧର୍ମଗ୍ରନ୍ଥରେ ଏହି ବିଷୟରେ ଉଲ୍ଲେଖ ରହିଛି୤ ରାମାୟଣରେ କୁହାଯାଇଛି ଯେ ଆମର ଏହି ବ୍ରହ୍ମାଣ୍ଡ ଭଳି ସାତଟି ଅନ୍ୟ ବ୍ରହ୍ମାଣ୍ଡ ରହିଛି ଯେଉଁଠି ସମ୍ଭବତଃ ଜୀବଜଗତ ରହିଛନ୍ତି୤ ସେମାନେ ହୁଏତ ଆମଠାରୁ ଅଧିକ ଉନ୍ନତ କିମ୍ବା ଅନୁନ୍ନତ ଅବସ୍ଥାରେ ଥାଇ ପାରନ୍ତି୤ କିନ୍ତୁ ସେମାନେ ଆମ ବ୍ରହ୍ମାଣ୍ଡଠାରୁ ଏତେ ଦୂରରେ ରହିଛନ୍ତି ଯେ ସେଠାରେ ପହଞ୍ଚିବା ପାଇଁ ଆମକୁ ଶହ ଶହ ବର୍ଷ ଲାଗି ଯାଇପାରେ୤ ମନୁଷ୍ୟ ଯେତେ ଚେଷ୍ଟା କରିଲେ ସୁଦ୍ଧା ଏବଂ ବିଜ୍ଞାନର ଯେତେ ଉନ୍ନତି ହେଲେ ସୁଦ୍ଧା ଆମେ ବର୍ତ୍ତମାନ ସୁଦ୍ଧା ଆମ ସୌରମଣ୍ଡଳର ଶେଷ ପର୍ଯ୍ୟନ୍ତ ପହଞ୍ଚି ପାରିନାହୁଁ୤ ତେଣୁ ଅନ୍ୟ ବ୍ରହ୍ମାଣ୍ଡ କିମ୍ବା ସୌରମଣ୍ଡଳକୁ ଯିବା ଏବଂ ସେଠାରେ ଗବେଷଣା କରିବା ଭଳି ଦକ୍ଷତା ଆମ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଜାଗ୍ରତ ହୋଇନାହିଁ୤

ଅନେକ ସମୟରେ ଆମେ ଏଲିଅନ୍ ବା ପରଗ୍ରହୀ ଜୀବ ମାନଙ୍କ ବିଷୟରେ ଶୁଣୁଛେ, ବେଳେ ବେଳେ ଅନେକ ଦେଶରେ ଏହିଭଳି ଜୀବଙ୍କୁ ଦେଖାଯିବା ଭଳି ଖବରମାନ ବି ଶୁଣୁଛେ, ତା ହେଲେ ସେମାନେ କଣ ସେହି ସବୁ ବ୍ରହ୍ମାଣ୍ଡରୁ ଆସୁଛନ୍ତି କି?

ହୋଇପାରେ୤

ସେମାନଙ୍କ ସଭ୍ୟତା ଆମ ସଭ୍ୟତାଠାରୁ ଢେର୍ ଅଧିକ ଉନ୍ନତ ହୋଇ ପାରେ୤ ସେମାନେ ହୁଏତ ହଜାର ହଜାର ବର୍ଷ ପୂର୍ବରୁ ହିଁ ଆମ ଗ୍ରହକୁ ଆସୁଥିବେ୤ ଅତୀତର ଅନେକ ଘଟଣା ତଥା ଅନେକ ନିର୍ମାଣକୁ ଦେଖିଲେ ମନେ ହୁଏ ସତେ ଯେମିତି ଆମ ପୃଥିବୀର ବାସିନ୍ଦା ମାନେ ଏହିଭଳି ଚିରସ୍ଥାୟୀ ନିର୍ମାଣ କରିବାକୁ ସକ୍ଷମ ନୁହନ୍ତି୤ ଯେମିତି ମିଶର ଦେଶର ମହାନ ପିରାମିଡ୍୤ ଏହାକୁ ଦେଖିଲେ ମନେ ହୁଏ ଏହା କୌଣସି ମନୁଷ୍ୟ ପକ୍ଷରେ ନିର୍ମାଣ କରିବା ସମ୍ଭବ ନୁହେଁ, ତେଣୁ ଏହାର ନିର୍ମାଣରେ ସମ୍ଭବତଃ ପରଗ୍ରହୀ ଜୀବମାନଙ୍କ ସହାୟତା ଥାଇପାରେ୤

ଅନେକ ବ୍ୟକ୍ତିଙ୍କ ଜୀବନିରେ ଉଲ୍ଲେଖ ଅଛି ଯେ ସେମାନେ ଅନେକ ସମୟରେ ଏହିଭଳି ପରଗ୍ରହୀ ଜୀବଙ୍କ ସଂସ୍ପର୍ଶରେ ଆସିଛନ୍ତି ଏବଂ ଏହାପରେ ସେମାନଙ୍କ ଜୀବନ ବଦଳିଯାଇଛି୤ ହୋଇପାରେ ସେ ସବୁ କଥା ସତ ବି ହୋଇଥିବ, କିଏ କହିବ?

ହଜାର ହଜାର ଟନର ପଥରକୁ ଉଠାଇବା କାଟିବା ଏବଂ ମନ୍ଦିର ନିର୍ମାଣ କରିବା ପୁଣି ତାହା ବି ନିଖୁଣ ଭାବରେ କରିବା, ସାଧାରଣ ମନୁଷ୍ୟ ପକ୍ଷରେ ସମ୍ଭବ ମନେ ହୁଏ ନାହିଁ୤ ପୁଣି ମନ୍ଦିର ସବୁ ଯେଉଁ ସମୟରେ ନିର୍ମାଣ ହୋଇଥିଲା ସେ ସମୟରେ ବିଜ୍ଞାନ ବା ଗାଣିତିକ ଶାସ୍ତ୍ର ଏତେ ମାତ୍ରାରେ ଉନ୍ନତ ନଥିଲା ବୋଲି କହିହେବ୤

ସନାତନ ହିନ୍ଦୁ ଧର୍ମରେ ଦେବଲୋକ ଭୂଲୋକ ଏବଂ ପାତାଳଲୋକ ରହିଛି୤ ତାହେଲେ ସେ ଦେବଲୋକ କଣ ଆଉ ଏକ ବ୍ରହ୍ମାଣ୍ଡ କି?? ଦେବଗଣ କେଉଁଠାରେ ରହନ୍ତି? ସେମାନେ ଅନେକ ସମୟରେ ପୃଥିବୀ ଉପରକୁ ଆସି ଲୀଳା କରି ଫେରିଛନ୍ତି୤ କେତେବେଳେ ରାମ ରୂପରେ ତ କେବେ ପର୍ଶୁରାମ, କଚ୍ଛପ, ମୀନ, ବୁଦ୍ଧ ଇତ୍ୟାଦି ଅନେକ ରୂପରେ ସେ ଆସିଛନ୍ତି ଓ ଯାଇଛନ୍ତି୤ ତା ହେଲେ ସେମାନେ କଣ ଅନ୍ୟ ବ୍ରହ୍ମାଣ୍ଡରୁ ଆସିଥିଲେ କି?

ବେଳେବେଳେ ଆମେ ଏଭଳି କିଛି ସ୍ବପ୍ନ ଦେଖୁ ଯାହା ଆମକୁ ଆଦୌ ବିଶ୍ବାସଯୋଗ୍ୟ ମନେ ହୁଏ ନାହିଁ୤ ମୃତବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖୁ କିମ୍ବା ଅତୀତ ବା ଭବିଷ୍ୟତକୁ ଦେଖୁ, ଯାହା ଅସମ୍ଭବ ମନେ ହୁଏ୤ କିଛି ବୁଦ୍ଧିଜୀବିଙ୍କ ମତରେ ଏହା ଆଉ ଏକ ବ୍ରହ୍ମାଣ୍ଡରେ ରହୁଥିବା ଆମ ସମାନ ଜୀବାତ୍ମାର ଘଟଣା ହୋଇପାରେ୤ ଏହାକୁ ଇଂରାଜୀ ଭାଷାରେ ମଲ୍ଟିଭର୍ସ୍ ବା ମଲ୍ଟିପଲ୍ ୟୁନିଭର୍ସ୍ କୁହାଯାଏ୤ ବିଗତ ଅନେକ ଦଶନ୍ଧୀରେ ଆମେ ଏହି ବିଷୟ ସମ୍ବଳିତ ଅନେକ ଚଳଚ୍ଚିତ୍ର ବି ଦେଖିବାକୁ ପାଇଛେ୤

ଏହି ତଥ୍ୟକୁ ପ୍ରମାଣ କରିବା ପାଇଁ କିଛି କିଛି ଘଟଣା ଯାହା ଏହି ବିଶ୍ବରେ ଘଟି ଯାଇଛି, ତାହାର ଉଦାହରଣ ଦିଆଯାଏ ଏବଂ ମନୁଷ୍ୟମାନେ ଭାବିବାକୁ ବାଧ୍ୟ ହୁଅନ୍ତି ଯେ ହଁ ଏକାଧିକ ବ୍ରହ୍ମାଣ୍ଡ ସମ୍ଭବ ବା ପାରାଲେଲ୍ ୟୁନିଭର୍ସ୍ ବା ସମାନ୍ତରାଳ ବ୍ରହ୍ମାଣ୍ଡ ସତ୤ ସେହିଭଳି ଗୋଟିଏ ଘଟଣାର ଉପସ୍ଥାପନ ଏଠାରେ ଅତ୍ୟନ୍ତ ଜରୂରୀ ହୋଇପଡ଼େ୤

ଆମ ଏଇ ଦୁନିଆ ରହସ୍ୟରେ ଘେରି ହୋଇ ରହିଛି୤ ବହୁତ ଗୁଡ଼ିଏ ଅପବାଦ ସହିତ ଏମିତି କିଛି ସତ୍ୟ ଘଟଣା ବି ରହିଛି, ଯାହା ବିଶ୍ବାସ କରିବା ସମ୍ଭବ ମନେ ହୁଏ ନାହିଁ୤ ୬୯ ବର୍ଷ ତଳେ ଜାପାନର ଗୋଟିଏ ବିମାନବନ୍ଦରରେ ଅବତରଣ କରିଥିବା ଜଣେ ଯାତ୍ରୀଙ୍କ କାହାଣୀ ଯେତିକି ଆଶ୍ଚର୍ଯ୍ୟଜନକ ମନେ ହୁଏ ତାଠାରୁ ଅଧିକ ଅବିଶ୍ବସନୀୟ ମନେ ହୁଏ୤

ବର୍ଷ ୧୯୫୪ରେ ଜାପାନର ପ୍ରମୁଖ ସହର ଟୋକିଓର ହେନେଡ଼ା ବିମାନବନ୍ଦରରେ ଜଣେ ଯାତ୍ରୀ ପହଞ୍ଚିବା ପରେ ଘଟଣା ଏମିତି ଘଟେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦିଏ୤

ଅନ୍ୟ ଯାତ୍ରୀମାନଙ୍କ ଭଳି ସେ ମଧ୍ୟ ଚେକ୍ ଆଉଟ୍ କାଉଣ୍ଟର୍ ଆଡ଼କୁ ଯାଏ୤ ତାଙ୍କର ପାସପୋର୍ଟ୍ ଭେରିଫିକେସନ୍ ପାଇଁ ନିଆଯାଏ୤ ସବୁକିଛି ସାମାନ୍ୟ ଭାବରେ ହେଉଥିବା ବେଳେ ହଠାତ୍ ସବୁକିଛି ଅସାମାନ୍ୟ ଲାଗେ, ଯେତେବେଳେ ପାସପୋର୍ଟରେ ବ୍ୟକ୍ତିଜଣକ ଯେଉଁ ଦେଶର ନିବାସୀ ସେଇ ଦେଶର ନାଁ ଟୋରେଡ୍ ବୋଲି ଦର୍ଶାଯାଇଥାଏ୤ ପାସପୋର୍ଟ୍ ନିରୀକ୍ଷଣ କରୁଥିବା ଅଧିକାରୀ ଚିନ୍ତାରେ ପଡ଼ି ଯାଆନ୍ତି୤ ଏଭଳି କୌଣସି ଦେଶ ପୃଥିବୀରେ ନାହିଁ୤ ତାହେଲେ ବ୍ୟକ୍ତିଜଣକ ଏଭଳି ଏକ ପାସପୋର୍ଟ୍ କେଉଁଠାରୁ ପାଇଲେ?

ଏହି ଦେଶ ବାବଦରେ କୌଣସି ସୁରକ୍ଷା ଅଧିକାରୀ ଜାଣିନଥିବା ହେତୁ, ସେହି ବ୍ୟକ୍ତିଙ୍କୁ ଅଧିକ ଜେରା କରାଯାଏ୤ ସେ କାହିଁକି ଜାପାନ ଆସିଛନ୍ତି ବୋଲି ପ୍ରଶ୍ନ ହୁଏ୤ ସେ କୁହନ୍ତି ଯେ ସେ ଗୋଟିଏ ବିଜିନେସ୍ ଟ୍ରିପରେ ଜାପାନ୍ ଆସିଛନ୍ତି ଏବଂ ସେ ଏଭଳି ଅନେକଥର ଜାପାନ ଆସିଛନ୍ତି୤ ତାଙ୍କର ଦେଶ ବିଷୟରେ ପ୍ରଶ୍ନ ପଚାରିବା ପରେ ସେ ଉତ୍ତର ଦିଅନ୍ତି ଯେ ସେ ଫ୍ରାନ୍ସ୍ ଓ ସ୍ପେନ୍ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଗୋଟିଏ ଦେଶର ଅଧିବାସୀ୤

ପାସପୋର୍ଟ୍ ଉପରେ ଲାଗିଥିବା ଅନ୍ୟ ସବୁ ଦେଶର ମୋହର ଠିକ୍ ଥିଲା, ବ୍ୟକ୍ତିର ଅନ୍ୟ ସବୁ ଦସ୍ତାବେଜ ଠିକ୍ ଲାଗୁଥିଲା୤ ସବୁ ଠିକ୍ ଲାଗୁଥିଲେ ସୁଦ୍ଧା ସେ ଯେଉଁ ଦେଶରୁ ଆସିଥିବା କଥା କହୁଥିଲେ ସେଇ ଦେଶ ପୃଥିବୀର ମାନଚିତ୍ରରେ ହିଁ ନଥିଲା୤ ସେ ଯେଉଁ କମ୍ପାନୀରେ କାମ କରୁଥିବା କଥା କହିଥିଲା ସେଇ କମ୍ପାନୀରୁ ସୂଚନା ମଗାଯିବା ପରେ କମ୍ପାନୀ ତରଫରୁ ସ୍ପଷ୍ଟୀକରଣ ଦିଆଗଲା ଯେ ସେଇ ନାମର କୌଣସି ବ୍ୟକ୍ତି ସେଇ କମ୍ପାନୀରେ କାମ କରୁନାହାନ୍ତି୤

ଠିକ୍ ସେହିଭଳି ସେଇ ବ୍ୟକ୍ତି ଜାପାନର ଯେଉଁ କମ୍ପାନୀ ସହ ବ୍ୟବସାୟିକ କଥାବାର୍ତ୍ତା ପାଇଁ ଆସିଥିବା କଥା କହିଥିଲା ସେଇ କମ୍ପାନୀ ମଧ୍ୟ ବ୍ୟକ୍ତିଙ୍କ ଦ୍ବାରା ଦିଆଯାଇଥିବା ସୂଚନାକୁ ମିଥ୍ୟା ବୋଲି କହିଥିଲେ୤ ସେଇ ବ୍ୟକ୍ତି ଜଣକ ଯେଉଁ ହୋଟେଲରେ ରହିବାପାଇଁ ଅଗ୍ରୀମ ବୁକିଂ କରିଥିବା କଥା କହିଥିଲେ ତାହା ସଂପୃକ୍ତ ହୋଟେଲ୍ ନିଜ ରେଜିଷ୍ଟେର୍ ଦେଖି ସେମିତି କୌଣସି ବ୍ୟକ୍ତିଙ୍କ ଅଗ୍ରୀମ୍ ବୁକିଂ ହୋଇଥିବା କଥାକୁ ଅସ୍ବୀକାର କରିଥିଲେ୤

ସମ୍ପୂର୍ଣ୍ଣ ଘଟଣାକୁ ନେଇ ପ୍ରଶ୍ନୋତ୍ତର କରୁଥିବା ସୁରକ୍ଷା କର୍ମଚାରୀମାନେ ଯେତେବେଳେ ଯାତ୍ରୀଙ୍କୁ ପୃଥିବୀର ମାନଚିତ୍ର ଦେଖାଇ ସେଥିରେ ନିଜ ଦେଶ ଖୋଜିବାକୁ କହିଲେ, ସେତେବେଳେ ଯାତ୍ରୀ ଜଣକ ଏଣ୍ଡୋରା ନାମକ ଦେଶ ପାଖରେ ଆଙ୍ଗୁଠି ରଖିବା ପରେ ନିଜେ ବି ଚିନ୍ତାରେ ପଡ଼ିଗଲେ୤ ସେ ଦାବୀ କରି କହିଲେ ଯେ ଏଇ ମାନଚିତ୍ର ଭୁଲ ଅଛି, କାରଣ ଏଣ୍ଡୋରା ସ୍ଥାନରେ ଟୋରେଡ ହେବା ଉଚିତ ଏବଂ ସେ କହିଲେ ଯେ ସେଇ ଦେଶ ସେଇଠି ହଜାର ବର୍ଷରୁ ଅଧିକ ସମୟ ହେବ ରହି ଆସିଛି୤

ସେଇ ଯାତ୍ରୀଙ୍କ ସବୁ ସୂଚନା ଓ କଥାବାର୍ତ୍ତା ସୁରକ୍ଷା ଅଧିକାରୀମାନଙ୍କୁ ଅସ୍ତବ୍ୟସ୍ତ କରି ଦେଉଥିଲା୤ କିନ୍ତୁ ସେଇ ବ୍ୟକ୍ତିଙ୍କର ଦସ୍ତାବେଜ ସବୁ ନକଲି ଭଳି ମନେ ହେଉନଥିଲା୤ ଏବଂ ତାଙ୍କର ପାସପୋର୍ଟରେ ସେ ଅତୀତରେ ଅନେକ ଥର ଟୋକିଓ ଆସିଥିବାର ମୋହର ବି ଲାଗିଥିଲା୤ ମାମଲାର ଗମ୍ଭୀରତାକୁ ଦେଖି ସୁରକ୍ଷା ଜାଞ୍ଚ ଅଧିକ କରିବା ଉଦ୍ଦେଶ୍ୟରେ ବ୍ୟକ୍ତି ଜଣକୁ ପୋଲିସ ସୁରକ୍ଷାରେ ସହରର ଏକ ପ୍ରମୁଖ ହୋଟେଲରେ ରହିବା ବ୍ୟବସ୍ଥା କରି ଦିଆଗଲା୤

ସୁରକ୍ଷା ଅଧିକାରୀ ଅଧିକ ସମୟ ସେଇ ବ୍ୟକ୍ତିଙ୍କ ବିଷୟରେ ତଦନ୍ତ କରିବା ଉଦ୍ଦେଶ୍ୟରେ ହିଁ ତାଙ୍କୁ ହୋଟେଲରେ ରହିବା ବ୍ୟବସ୍ଥା କରିଥିଲେ୤ ଉଚ୍ଚକୋଟୀର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା୤ ହୋଟେଲ୍ ଭିତରେ ଓ ବାହାରେ ପୋଲିସକର୍ମୀ ପହରା ଦେଉଥିଲେ୤ ମାମଲାର ଗମ୍ଭୀରତା ସରକାରୀ ସ୍ତରରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା୤ କିନ୍ତୁ ସେତେବେଳେ ସମସ୍ତେ ଅଧିକ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ପରଦିନ ସେଇ ବନ୍ଦ ହୋଟେଲ୍ କୋଠରୀ ଭିତରେ ସେଇ ବ୍ୟକ୍ତି ଆଶ୍ଚର୍ଯ୍ୟଜନକ ଭାବରେ ଅଦୃଶ୍ୟ ହୋଇ ଯାଇଥିଲେ୤ ସ୍ବାଭାବିକ ଭାବରେ ସେ କୋଠରୀରୁ ବାହାରି ଯିବାର କୌଣସି ଉପାୟ ନଥିଲା୤ କାରଣ ବାହାରେ ପୋଲିସକର୍ମୀ ମୂତୟନ କରାଯାଇ ତାଙ୍କୁ ନଜରବନ୍ଦ କରି ରଖିବା ପ୍ରବନ୍ଧ କରାଯାଇଥିଲା୤ କେବଳ ଏତିକି ନୁହେଁ, ସେଇ ବ୍ୟକ୍ତଙ୍କ ପାଖରୁ ଯେଉଁସବୁ ଦସ୍ତାବେଜ ବିମାନବନ୍ଦର କର୍ମଚାରୀ ଜବତ କରିଥିଲେ ସେ ସବୁ ମଧ୍ୟ ନିଖୋଜ ହୋଇ ଯାଇଥିଲା୤

ସେଇ ରହସ୍ୟମୟ ଯାତ୍ରୀ କିଏ ଥିଲା? କେଉଁଠାରୁ ଆସିଥିଲା? ଏଇ ଟୋରେଡ୍ ନାମକ ଦେଶର ରହସ୍ୟ କଣ ଥିଲା? ଏଇ ସବୁ ପ୍ରଶ୍ନର ଉତ୍ତର ୬୯ ବର୍ଷପରେ ମଧ୍ୟ ଅଜ୍ଞାତ ରହିଛି୤ କିଛି ରିପୋର୍ଟରେ କୁହାଯାଇଥିଲା ଯେ ବ୍ୟକ୍ତି ଜଣକ ସମୟ ଯାତ୍ରୀ ବା ଟାଇମ୍ ଟ୍ରାଭେଲର୍ ଥିଲେ ଓ ସେ ଭବିଷ୍ୟତରୁ ଆସିଥିଲେ୤ କିନ୍ତୁ ସେଭଳି କୌଣସି ତଥ୍ୟ ତାଙ୍କ ଦସ୍ତାବେଜରେ ମିଳିନଥିଲା୤ ଅନ୍ୟ କିଛି ବ୍ୟକ୍ତିଙ୍କ ମତରେ ଆମ ପୃଥିବୀ ପରି ଅବିକଳ ଆଉ ଏକ ପୃଥିବୀ ରହିଛି୤ ଆମ ପୃଥିବୀ ଭଳି ସେଠାରେ ମଧ୍ୟ ସମାନ ନାଁ ଥିବା ଦେଶ, ସହର ଏପରିକି ଲୋକମାନେ ମଧ୍ୟ ରହୁଛନ୍ତି୤ ହୁଏତ ସେଇ ଦ୍ବିତୀୟ ପୃଥିବୀରୁ ସେ ଆସିଥାଇ ପାରନ୍ତି୤

ଘଟଣାର ସତ୍ୟାସତ୍ୟ କଣ ତାହା ଆମେ ଜାଣିବା ସମ୍ଭବ ନୁହେଁ୤ ଏହିଭଳି ଅନେକ ଘଟଣାର ଉଦାହରଣ ଆପଣଙ୍କୁ ଇଣ୍ଟରନେଟରେ ମିଳିଯାଇପାରିବ୤ ତାହେଲେ କଣ ସତରେ ଆଉ ଏକ ବ୍ରହ୍ମାଣ୍ଡ ରହିଛି ଯେଉଁଠି ମାନବ ସମାନ ସଭ୍ୟତା ରହିଛନ୍ତି? ଆମ ବିଶ୍ବ ଭଳି ସମାନ ଦେଶ ରହିଛନ୍ତି? ଏହାର ଉତ୍ତର ମନୁଷ୍ୟ ସତରେ କେବେ ଖୋଜି ପାଇବ କି ନାହିଁ ତାହା ସନ୍ଦେହ କିନ୍ତୁ ଯଦି ଆମେ ସନାତନ ହିନ୍ଦୁ ଧର୍ମର ପୌରାଣିକ ପାଣ୍ଡୁଲିପି ମାନଙ୍କ ଉପରେ ଦୃଷ୍ଟିପାତ କରିବା ତାହେଲେ ଏହିଭଳି ଅସଂଖ୍ୟ ଉଦାହରଣ ଆପଣଙ୍କୁ ଦେଖିବାକୁ ମିଳିବ୤ ତଥାପି ସନାତନ ହିନ୍ଦୁଧର୍ମରେ ଥିବା ପୌରାଣିକ କଥା ଓ କାହାଣୀ ଅନେକ ସମୟରେ ଅବିଶ୍ବସନୀୟ ମନେ ହୁଏ ତେଣୁ ସେ ସବୁ କଥା ଉପରେ ବିଶ୍ବାସ କରିବା ସମ୍ଭବ ହୁଏ ନାହିଁ୤

ଆପଣ ଏହି ବିଷୟରେ କଣ ଭାବୁଛନ୍ତି, ଆମକୁ କମେଣ୍ଟ୍ ମାଧ୍ୟମରେ ଜଣାନ୍ତୁ୤ ଏହିଭଳି ଆହୁରି ଅଧିକ କାହାଣୀ ଶୁଣିବା ପାଇଁ ଆମ ଚାନେଲକୁ ସବସ୍କ୍ରାଇବ୍ କରନ୍ତୁ୤

Subscribe to our Channel : https://www.youtube.com/@drjyotiprasad

Comments