ବିଶ୍ବ
ବୈଚିତ୍ର୍ୟମୟ
ଏହି
ବିଶ୍ବରେ ବେଳେବେଳେ ଏଭଳି କିଛି ଘଟଣା ଘଟେ, ଯାହା
ସମଗ୍ର ମାନବ ସମାଜକୁ ଚକିତ କରିଦିଏ ଭୂତ ପ୍ରେତ, ପୂନର୍ଜନ୍ମ
ଇତ୍ୟାଦି ବିଷୟ କେବଳ ସନାତନ ହିନ୍ଦୁ ଧର୍ମରେ ହିଁ ନୁହେଁ ବରଂ ବିଶ୍ବର ଅନେକ ପ୍ରମୁଖ ଧାର୍ମିକ
ପନ୍ଥରେ ଦେଖିବାକୁ ମିଳେ, ତଥାପି
ଏହି ବିଷୟରେ କହିଲେ, ଅତ୍ୟାଧୁନିକ
ସୂଚନା ଓ ପ୍ରଦ୍ୟୋଗିକୀ ଯୁଗରେ ଲୋକମାନେ ହସନ୍ତି, କହନ୍ତି
ଏ ସବୁ ଅନ୍ଧବିଶ୍ବାସ ହେଲେ ଏହିଭଳି ଅନେକ ଘଟଣାର ଉଲ୍ଲେଖ ଆମ ପୌରାଣିକ କଥାବସ୍ତୁ ମାନଙ୍କରେ
ଦେଖିବାକୁ ମିଳିଥାଏ ରାମାୟଣ ହେଉ ଅବା ମହାଭାରତ, ଅନେକ
ସ୍ଥାନରେ ପୁନର୍ଜନ୍ମ କଥା କୁହାଯାଇଛି ହେଲେ ଏହି ବିଷୟରେ କହିଲେ କିଛି ବନ୍ଧୁ କହିବେ ଏ ସବୁ
ଗପ ଗଳ୍ପ ଲେଖିବା ବେଳେ ଯେଉଁଭଳି ସ୍ବାଧୀନତା ଗାଳ୍ପିକଙ୍କୁ ମିଳିଥାଏ ଏବଂ ସେ ନିଜ ମନକୁ
ଆସୁଥିବା ସବୁ କଥା ନିଜ କାହାଣୀରେ ଉପସ୍ଥାପନ କରିଦେଇ ଥାଏ,
ଠିକ୍
ସେହିଭଳି ଏଇ ସବୁ କଥା ମଧ୍ୟ ମନଗଢ଼ା କାହାଣୀ
ହେଲେ
ଆଜି ଆମେ ଯେଉଁ କାହାଣୀ ଶୁଣିବାକୁ ଯାଉଛେ, ଇଏ
ମାତ୍ର ଏକ କାହାଣୀ ନୁହେଁ ଏହା ଏକ ସତ୍ୟ ଘଟଣା, ଯାହାକୁ
ଶୁଣିବା ପରେ, ପୁନର୍ଜନ୍ମ
ଭଳି ଅବିଶ୍ବାସ ମନେ ହେଉଥିବା କଥା ଯେ କେବଳ ସତ୍ୟ ନୁହେଁ,
ବରଂ
ବିଜ୍ଞାନ ପ୍ରମାଣିତ ତାହା ଆପଣ ଜାଣିବାକୁ ପାଇବେ
ଆଜି
ଆମେ ଶୁଣିବା ଏକ ଏଭଳି ଘଟଣାର ବିବରଣୀ, ଯାହା
ସମଗ୍ର ବିଶ୍ବକୁ ଚକିତ କରିଦେଇଥିଲା ପୁନର୍ଜନ୍ମର ଏଭଳି ଘଟଣା ବିଶ୍ବରେ ଅଦ୍ବିତୀୟ ଓ ବିରଳ
ଆସନ୍ତୁ
ଶୁଣିବା ସୁମିତ୍ରା ସିଂ ଓ ଶିବା ତ୍ରିପାଠୀଙ୍କ କାହାଣୀ
ଯଦି
ଆପଣ ଏହି କାହାଣୀକୁ ସମ୍ପୂର୍ଣ୍ଣ ଶୁଣିବାକୁ ଚାହୁଁଛନ୍ତି ତାହେଲେ ନିମ୍ନରେ ଦିଆଯାଇଥିବା ଲିଙ୍କ
ଉପରେ କ୍ଲିକ କରନ୍ତୁ ଏବଂ ଆମ ୟୁଟ୍ୟୁବ୍ ଚ୍ୟାନେଲରେ ଏହାକୁ ଦେଖନ୍ତୁ
ସୁମିତ୍ରା ସିଂ, ୧୯୬୮ ମସିହାରେ ଉତ୍ତର ପ୍ରଦେଶ ଇଟାୱା ଜିଲ୍ଲା
ଅନ୍ତର୍ଗତ ଅଙ୍ଗଦ କା ନାଗ୍ଲା ଅଞ୍ଚଳରେ ଏକ ଗରୀବ ଠାକୁର ପରିବାରରେ ଜନ୍ମ ନେଇଥିଲା ମାତ୍ର
ଏଗାର ବର୍ଷ ବୟସ ହୋଇଥିଲା ବେଳେ ମାତୃବିୟୋଗ ହୋଇଥିଲା ପୂର୍ବରୁ ପିତାଙ୍କୁ ହରାଇଥିବା
ସୁମିତ୍ରା ନିଜର ଜଣେ ସମ୍ପର୍କୀୟଙ୍କ ପରିବାରରେ ରହିବାକୁ ବାଧ୍ୟ ହୋଇଥିଲେ ପ୍ରାଥମିକା ଶିକ୍ଷା
ପାଇନଥିବା ସୁମିତ୍ରା କିଛି କିଛି ପଢିବା ଓ ଲେଖିବା ଜାଣିଥିଲେ ବୋଲି କୁହାଯାଏ ମାତ୍ର ତେର
ବର୍ଷ ବୟସରେ ସୁମିତ୍ରାଙ୍କ ବିବାହ କରି ଦିଆଗଲା ସେହି ଜିଲ୍ଲା ଅନ୍ତର୍ଗତ ଶରିଫପୁରା ଅଞ୍ଚଳରର
ଜଗଦିଶ ସିଂଙ୍କ ସହ ସୁମିତ୍ରାଙ୍କ ବିବାହ ପରେ ସେ ସ୍ବାମୀଙ୍କ ପରିବାର ସହ ରହୁଥିଲେ ପରିବାରରେ
ସବୁ ଠିକ୍ ଚାଲିଥିଲା ସ୍ବାମୀ ବାହାରେ ରହି କାମ କରୁଥିଲେ ଜଗଦିଶ କାମଧାମ ପାଇଁ ଦିଲ୍ଲୀ
ଯାଉଥିବା ବେଳେ ଅନେକ ସମୟରେ ମାସ ମାସଧରି ଘରୁ ବାହାରେ ରହୁଥିଲେ ବିବାହର ତିନିବର୍ଷ ପରେ
ଡିସେମ୍ବର ୧୯୮୪ ମସିହାରେ ସୁମିତ୍ରାଙ୍କର ଗୋଟିଏ ପୁଅ ଜନ୍ମ ହେଲା ଯେମିତିକି ଆମ ପରିବାର
ମାନଙ୍କରେ ହୁଏ, ପୁଅ ଜନ୍ମହେବା ପରେ ସୁମିତ୍ରା ଭାରି ବ୍ୟସ୍ତ
ହୋଇଗଲେ ଶଶୁର ଘରେ ରହୁଥିବା ସୁମିତ୍ରା ଭାରି ଭଦ୍ର ଓ ସୁଶୀଳା ବୋହୁ ଥିଲେ
ପୁଅ ଜନ୍ମ ହେବାପରେ
ସୁମିତ୍ରା ଘର କାମରେ ବ୍ୟସ୍ତ ହୋଇଗଲେ ଗାଁରେ ଥିବା ଏକମାତ୍ର କୁଅରୁ ପାଣି ଆଣିବା ଦାୟିତ୍ବ
ସୁମିତ୍ରାଙ୍କର ଥିଲା ଦିନେ ସେ କୁଅ ପାଖକୁ ଯିବା ବେଳେ ହଠାଟ୍ କୁଅଠାରୁ ଅଳ୍ପ ଦୂରରେ
ମୂର୍ତ୍ତିଭଳି ଛିଡ଼ା ହୋଇଗଲେ ଏବଂ ଦେଖୁ ଦେଖୁ ତାଙ୍କ ଆଖି ଓଲଟି ଯାଇଥିଲା ଏବଂ ହାତଗୋଡ଼ ମୋଡି
ହୋଇ ଯାଇଥିଲା ଏହି ଦୃଶ୍ୟଦେଖି ଆଖପାଖର ମହିଳାମାନେ ସୁମିତ୍ରା ପାଖକୁ ଦଉଡ଼ି ଆସିଲେ ସୁମିତ୍ରା
କିଛି କହୁନଥିଲେ ସୁଦ୍ଧା, ନିରବରେ ଠିଆ
ହୋଇଥିବା ବେଳେ ତାଙ୍କର ହାତ ଓ ଗୋଡ଼ ବିକୃତ ହୋଇ ଆସୁଥିବା କଥା ଦେଖଣାହାରୀମାନେ କହିଛନ୍ତି
କିଛି ମହିଳା ସାହାସ କରି ସୁମିତ୍ରାଙ୍କୁ ଜୋର କରି ହଲାଇ ଦେବାପରେ ସେ ଚେତା ଫେରି ପାଇଥିଲେ
ସୁଦ୍ଧା ପୂର୍ବକ୍ଷଣରେ କଣ ହୋଇଥିଲା ତାହା ସେ କିଛି ମନେ ରଖିନଥିଲେ କୁହାଯାଏ କାଳେ ସେଇ କୁଅରେ
ଡେଇଁ ଗାଁର ଜଣେ ମହିଳା ଆତ୍ମହତ୍ୟା କରିଥିଲା ଏବଂ ତା’ର ଆତ୍ମା ସୁମିତ୍ରା ଦେହରେ ଆସିଥିଲା
କିନ୍ତୁ ଘଟଣା ମାତ୍ର କେଇ କ୍ଷଣର ହୋଇଥିଲା ଏବଂ ପରେ ସୁମିତ୍ରା ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା
ହେତୁ କେହି ଏହି ବିଷୟ ପ୍ରତି ଧ୍ୟାନ ଦେଲେ ନାହିଁ
ଏହି ଘଟଣାର କିଛିଦିନ ପରେ
ପୁଣିଥରେ ଏଭଳି ଦୃଶ୍ୟ ଘର ଭିତରେ ଦେଖିବାକୁ ମିଳିଲା ସୁମିତ୍ରାଙ୍କ ଶଶୁର ପାହାନ୍ତି ସମୟରେ
ଶଯ୍ୟାତ୍ୟାଗ କରି ଘର ଅଗଣାକୁ ଆସିବା ବେଳକୁ ରୋଷେଇ ଘର ସାମନାରେ ଠିଆ ହୋଇଥିବା ସୁମିତ୍ରା
ପୁଣିଥରେ ଆଖି ତରାଟିବା ସହ, ହାତଗୋଡ଼
ମୋଡ଼ି ହୋଇଯିବା ଦେଖିବାକୁ ପାଇଲେ ଏଇ ସମୟରେ ସୁମିତ୍ରା ଗୁଣୁଗୁଣୁ ହୋଇ କିଛି କହୁଥିବାର
ଶୁଣାଗଲା ହେଲେ କେହି ବୁଝି ପାରିଲେ ନାହିଁ ଏହି ଘଟଣା ମଧ୍ୟ ମାତ୍ର କେଇ ମିନିଟ୍ ପର୍ଯ୍ୟନ୍ତ
ଘଟିବା ପରେ ସବୁକିଛି ସାମାନ୍ୟ ହୋଇଗଲା ଏହାପରେ ଶଶୁର ଘରେ ଲୋକମାନେ ଡରିଗଲେ ଏବଂ ସୁମିତ୍ରା
ସହ ରହୁଥିବା ପୁଅକୁ ଏବେ ଦୂର କରି ରଖିବାକୁ ଲାଗିଲେ
ଏହାପରେ ଏଭଳି ଘଟଣାମାନ
ବାରମ୍ବାର ଘଟିବାକୁ ଲାଗିଲା ଆଗରୁ କିଛି କିଛି ଦିନ ବ୍ୟବଧାନରେ ହେଉଥିବା ଘଟଣା ଏବେ
ନିତିଦିନିଆ ଅଭ୍ୟାସ ଭଳି ମନେ ହେଲା ପ୍ରାୟ ଦିନ ଘରେ ଏହି ଘଟଣା ହେବାପରେ ସୁମିତ୍ରାଙ୍କ
ସ୍ବାମୀ କାମଧନ୍ଦା ଛାଡିଦେଇ ଗାଁକୁ ଫେରି ଆସିବାକୁ ବାଧ୍ୟ ହେଲେ
ଏମିତି ଅନେକ ମାସ
ବିତିଯିବା ପରେ ୧୯୮୫ ମସିହା ଜୁଲାଇ ୧୬ ତାରିଖଦିନ ପୁଣିଥରେ ସୁମିତ୍ରାଙ୍କୁ ସମାନ ରୂପରେ
ଶାରୀରିକ ପରିବର୍ତ୍ତନ ଦେଖାଗଲା ଏବଂ ସେଇଦିନ ସେ ସ୍ପଷ୍ଟ ଭାଷାରେ କଥା ହେଉଥିବା ସହ କହିଥିଲେ
ଯେ, ଆଗାମୀ ତିନିଦିନ ପରେ ମୁଁ ମୃତ୍ୟୁବରଣ କରିବି
ଏହି କଥା ଶୁଣିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଗାଁରେ ଝଡ଼ାଫୁଙ୍କା କରୁଥିବା ଗୁଣିଆକୁ
ଡକାଗଲା, ସେ ସୁମିତ୍ରାକୁ ଭଲଭାବରେ ପରୀକ୍ଷା ନିରୀକ୍ଷା କରିବା ପରେ
ଚିନ୍ତାର କୌଣସି ବିଷୟ ନାହିଁ ବୋଲି ମନ୍ତବ୍ୟ ଦେଇ ସାବଧାନ ରହିବାକୁ କହିଦେଇ ଚାଲିଗଲେ
ପରିବାରର ଲୋକମାନେ ଚିନ୍ତାରେ ପଡ଼ିଗଲେ ଚେତା ହରାଇବା ଅଲଗା ଥିଲା, କିନ୍ତୁ
ଏବେ ମରଣ କଥା କହିବା ପରେ ସାରା ଗାଁରେ ଭାଳେଣୀ ପଡ଼ିଲା ସମସ୍ତେ ସାବଧାନ ଥିଲେ ୧୯ ଜୁଲାଇ ଦିନ
ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିବା ସୁମିତ୍ରା ପୁଣିଥରେ ଚେତା ହରାଇ ପଡ଼ିଲେ ଅନ୍ୟଦିନ ପରି
ସେଦିନ ମଧ୍ୟ ସେ ଠିଆ ହୋଇଥିବା ଅବସ୍ଥାରେ ଆଖି ଓଲଟାଇବା ସହ ହାତପାଦ ମୋଡି ହୋଇଗଲା, ହେଲେ ସେଦିନ ସେ କଚାଡ଼ି ହୋଇ ତଳେ ପଡିଗଲେ ଯାହା ଅନ୍ୟଦିନ ଠାରୁ ଭିନ୍ନ ଥିଲା
ସାଧାରଣତଃ କୌଣସି ପ୍ରକାର ହଲଚଲ ହେଲେ ସୁମିତ୍ରା ଚେତା ଫେରି ପାଉଥିଲେ, କିନ୍ତୁ ସେଦିନ ସେଭଳି ହେଲାନାହିଁ ତଳେ ପଡିଥିବା ବେଳେ ଅନେକ ସମୟ ସେ ହଲଚଲ ନ
ହେବାପରେ ଗୁଣିଆକୁ ଡକାଗଲା ଆଉ ସେ ନାଡ଼ି ପରୀକ୍ଷା କରି ସୁମିତ୍ରାଙ୍କୁ ମୃତ ବୋଲି ଘୋଷଣା
କରିଦେଲେ ଘରେ ଶୋକର ଛାୟା ଖେଳିଗଲା
ଗାଁରେ ଭୟର ବାତାବରଣ
ଲୋକ ମନେକରୁଥିଲେ ଯେ ସୁମିତ୍ରାଙ୍କୁ ଭୁତ ଲାଗି ତାଙ୍କର ଏଭଳି ହୋଇଛି, ଏବେ ସୁମିତ୍ରା ମୃତ୍ୟୁବରଣ କରିବା ପରେ ପୁଣି
ଅନ୍ୟ କାହାକୁ ଏହି ଆତ୍ମା ଯଦି ଲାଗେ ତ କଣ ହେବ ?? ଏମିତି ଭାବନା
ଥିବା ସମୟରେ ମୃତ ସୁମିତ୍ରାଙ୍କ ଶବସତ୍କାର ପାଇଁ ବ୍ୟବସ୍ଥା କରାଗଲା ଗାଁର ମୁଖିଆଲୋକ କହିଲେ
ଏମିତି ଶରୀରକୁ ଅଧିକ ସମୟ ରଖିଲେ ଶୁଭ ନାହିଁ ତେଣୁ ଯେମିତି ସାଧାରଣତଃ ହୁଏ ଶରୀରକୁ ଗାଧୋଇଦେଇ
ନୁଆବସ୍ତ୍ର ପିନ୍ଧାଇ କୋକେଇରେ ନେବା ପାଇଁ ବ୍ୟବସ୍ଥା ଚାଲିଥିଲେ ସୁମିତ୍ରାର ଶବ ଉପରେ
ସିନ୍ଦୁର ପକାଇବା ବେଳେ ଜଣେ ମହିଳା ଚମକି ଉଠିଲେ ଆଉ ଚିତ୍କାର୍ କରିଲେ କେହି କିଛି ବୁଝିବା
ପୂର୍ବରୁ ସେ ସୁମିତ୍ରାଙ୍କ ଆଖି ଆଡ଼କୁ ଇଶାରା କରିଲେ, ଯାହା ସେତେବେଳେ
ବନ୍ଦ ଥିବା ଅବସ୍ଥାରେ ବି ଏପାଖ ସେପାଖ ହଲୁଥିଲା ପୁଣିଥରେ ଗୁଣିଆକୁ ଡକାଗଲା ଆଉ ସେ
ସୁମିତ୍ରାର ନାଡି ପରୀକ୍ଷା କରିବା ବେଳେ ସୁମିତ୍ରା ଆଖି ମଳି ଉଠି ବସି ପଡ଼ିଲା ସମସ୍ତେ ଚମକି
ପଡ଼ିଲେ କିଛି ମିନଟ୍ ତଳେ ମୃତ ଘୋଷିତା ଶବ ପୁଣି ନୂଆ ଜୀବନ କେମିତି ପାଇଲା? ଏହା ସମସ୍ତଙ୍କୁ ଚକିତ କରୁଥିଲା ହେଲେ ଲୋକମାନଙ୍କୁ ଚକିତ କରିବା ପାଇଁ ଆହୁରି
ଉପାଦାନ ଏବେ ବାକି ଥିଲା ଗାଁରେ ରହୁଥିବା ଗାଉଁଲି ସୁମିତ୍ରା ଭଳି ସ୍ତ୍ରୀଲୋକ ଜଣକ ଏବେ
ସୁଦ୍ଧା ହିନ୍ଦୀରେ କଥା କହୁଥିଲା ଲାଗୁନଥିଲା ସେ ସୁମିତ୍ରା ଥିଲା ତା ସ୍ବାମୀ ପାଖକୁ ଯାଇ
ସୁମିତ୍ରାକୁ ଧରିବା ବେଳେ ସେ ହାତ ଛାଟିଦେଇ କହିଲା, ତମେ କିଏ??
ମୋତେ କାହିଁକି ଛୁଇଁବାକୁ ଚେଷ୍ଟା କରୁଛ? ଜଗଦୀଶ
ମଧ୍ୟ ଚକିତ ହୋଇ କହିଲେ ମୁଁ ତମ ସ୍ବାମୀ ସୁମିତ୍ରା ଚାରି ଆଡେ ଚାହିଁ ଭୟଭୀତା ଭଳି ଅଭିନୟ କରି
କହୁଥିଲେ, ତୁମେ ସବୁ କିଏ? ମୁଁ କାହାକୁ ବି
ଚିହ୍ନି ନାହିଁ ମୋତେ ଏଇଠିକୁ କିଏ ଆଣିଲା ମୋତେ ନିଜ ଘରକୁ ଯିବାକୁ ଦିଅ ନାଁ ପଚାରିବା ପରେ
ସେ କହିଥିଲେ ମୋ ନାଁ ଶିବା ତ୍ରିପାଠୀ
ଏହାପରେ ସେ ନିରବ ରହିବା
ସହିତ ବାରମ୍ବାର କହିବା ଶୁଣାଗଲା ଯେ ସେ ଏବେ ମୃତା ତାଙ୍କୁ ତାଙ୍କ ଶଶୁର ଘର ଲୋକମାନେ
ପ୍ରତାଡିତ କରି ମାରିଦେଇଛନ୍ତି ତାଙ୍କ ଶଶୁର ଘର ଦିବିୟାପୁର ବୋଲି ମଧ୍ୟ ସେ ବାରମ୍ବାର
କହୁଥିଲେ ନିଜ ସ୍ବାମୀ ଏବଂ ସନ୍ତାନକୁ ସେ ଚିହ୍ନିବାକୁ ମନା କରିଦେଇ ରିଙ୍କୁ ଓ ଟିଙ୍କୁ ବୋଲି
ଦୁଇଜଣ ପିଲାଙ୍କୁ ଖୋଜୁଥିଲେ ଆଗରୁ ବି ସୁମିତ୍ରାଙ୍କୁ ଭୁତ ଆସୁଥିବା କଥା ପ୍ରଚାର ହୋଇଥିବା
ବେଳେ ଏଇ ନୁଆ ଘଟଣା ଗାଁ ଲୋକଙ୍କ ପାଇଁ କିଛି ବିଚିତ୍ର କଥା ନଥିଲା ତେଣୁ କେହି ଏଥିପ୍ରତି
ବିଶେଷ ଧ୍ୟାନ ଦେଲେ ନାହିଁ ଅନେକ ମାସ ବିତିଗଲା, ସୁମିତ୍ରାଙ୍କ ପରିବାରରେ ଅଶାନ୍ତି ଲାଗି ରହିଥିଲା ଅପାଠୋଇ ସୁମିତ୍ରା ଏବେ ଶୁଦ୍ଧ
ହିନ୍ଦୀ ଭାଷାରେ କଥା କହିବା ସହ ଚିଠି ଲେଖିବା ମଧ୍ୟ ଆରମ୍ଭ କରିଦେଇଥିଲା ସେ ଅନେକ ଚିଠି ଲେଖି
ସେ ସବୁକି ନିଜ ଘର ଠିକଣାରେ ପଠାଇବାକୁ ଲାଗିଥିଲା ଶଶୁର ଘର ଲୋକ ଅନେକ ଚେଷ୍ଟା କରିବା
ସତ୍ତ୍ବେ ସୁମିତ୍ରା ସ୍ବାଭାବିକ ଭାବରେ ବ୍ୟବହାର କରୁନଥିଲେ
ଏମିତି ସବୁ ଚାଲୁଥିବା
ବେଳେ ୨୦ ଅକ୍ଟୋବର ୧୯୮୫ ଦିନ ଜଣେ ଭଦ୍ରବ୍ୟକ୍ତି ଆସି ସେଇ ଗାଁରେ ପହଞ୍ଚି ସୁମିତ୍ରା ଘର କବାଟ
ଖଟଖଟ କଲେ ତା ସ୍ବାମୀ ଜଗଦୀଶ କବାଟ ଖୋଲିବା ବେଳେ ସଫା ପୋଷାକ ପିନ୍ଧି ଭଦ୍ର ଦେଖାଯାଉଥିବା
ଜଣେ ବ୍ୟକ୍ତିଙ୍କୁ ଦେଖି ସେ କେଉଁ କାରଣରୁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ ଭଦ୍ରବ୍ୟକ୍ତି
ଜଣକ ନିଜ ପରିଚୟ ରାମସୀୟା ତ୍ରିପାଠୀ ବୋଲି କହିବା ସହ କହିଥିଲେ ଯେ ସେ ଶୁଣିଛନ୍ତି ଏହି
ପରିବାରର ଜଣେ ମହିଳା ନିଜକୁ ଶିବା ତ୍ରିପାଠୀ ବୋଲି କହୁଛନ୍ତି ଜଗଦୀଶ ଭଦ୍ରବ୍ୟକ୍ତିଙ୍କୁ ଘର
ଭିତରକୁ ନିମନ୍ତ୍ରଣ କରି ନେବାପରେ ସୁମିତ୍ରା ଦଉଡ଼ି ଆସି ସେହି ବ୍ୟକ୍ତିଙ୍କୁ ଜାବୁଡ଼ି ଧରି
କାନ୍ଦିବାକୁ ଲାଗିଲେ ଏବଂ କାନ୍ଦି କାନ୍ଦି କହିଲେ, ମୋତେ ସେମାନେ ମାରିଦେଲେ, ମୋତେ ସେମାନେ ମାରିଦେଲେ
ଭଦ୍ରବ୍ୟକ୍ତି ସ୍ଥାଣୂ ପାଲଟି ଯାଇ ଠିଆ ହୋଇ ରହିଥିଲେ
ଘଟଣା ଥିଲା, ପ୍ରଫେସର ରାମସୀୟ ତ୍ରିପାଠୀ ଥରେ ଦିବିୟାପୁର
ଯାଇଥିବା ବେଳେ ଶୁଣିବାକୁ ପାଇଲେ ଯେ ତାଙ୍କର ଝିଅର ଆତ୍ମା ଆଉ ଜଣେ ମହିଳାଙ୍କୁ କାବୁ କରି
ଦେଇଛି ସେ ଏହି ବିଷୟ ଉପରେ ବିଶ୍ବାସ କରି ପାରିନଥିଲେ ଏଭଳି ଘଟଣା ସହରାଞ୍ଚଳରେ ନଗଣ୍ୟ ତେଣୁ
ସେ ଏହାକୁ ଗମ୍ଭୀରତାର ସହ ନେଇନଥିଲେ କିନ୍ତୁ ବାରମ୍ବାର ସେଇ ଏକା ବିଷୟ ନେଇ ଖବର କାଗଜ ଆଦିରେ
ଛପା ହେବାପରେ ପ୍ରାୟ ତିନିମାସ ପରେ ସେ ଶରିଫପୁରା ପହଞ୍ଚିଲେ ବର୍ଷାଦିନ ହେତୁ ସେ ଯିବାରେ
ବିଳମ୍ବ ହୋଇଥିଲା
ସେ ସାଥିରେ ଆଣିଥିବା ଫଟୋ
ଆଲବମ୍ ଦେଖାଇବା ପରେ ଅଠରବର୍ଷ ତଳେ ନିଆଯାଇଥିବା ଛବିରେ ସୁମିତ୍ରା ନିଜ ପରିବାରର ଛଅ ଜଣ
ସଦସ୍ୟଙ୍କୁ ଜଣ ଜଣ କରି ଚିହ୍ନି ପାରିଥିଲା ଶିବାଙ୍କ ପିତାମାତା, ଜେଜେ ମା, ଭାଇ,
ଭଉଣୀ, ଆଦିଙ୍କୁ ଚିହ୍ନି ପାରିଥିଲା ମାମୁଁ,
ମାଇଁ ଇତ୍ୟାଦିଙ୍କୁ ସହଜରେ ଚିହ୍ନି ପାରିଥିଲା ନିଜ ସାନ ପୁଅ ଟିଙ୍କୁର ଛବି
ଦେଖିବା ପରେ କାନ୍ଦି କାନ୍ଦି ଟିଙ୍କୁ ଆଉ ରିଙ୍କୁ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କରିଥିଲା
ନିଜ ନଣନ୍ଦଙ୍କ ଛବି ଦେଖି କହିଥିଲା ଯେ ତାଙ୍କ ନାଁ ରମା କାନ୍ତି ଆଉ ସେ ହିଁ ଇଟା ଦ୍ବାରା ତା
ମୂଣ୍ଡକୁ ମାଡମାରି ଫଟେଇ ଦେଇଥିଲେ ଆଲବମରେ ଥିବା ସତର ଜଣ ବ୍ୟକ୍ତିଙ୍କ ମଧ୍ୟରେ ସୁମିତ୍ରା
ବାରଜଣଙ୍କୁ ସହଜରେ ଚିହ୍ନିବା ସହ ତିନିଜଣଙ୍କୁ ଟିକେ ସମୟ ନେଇ ଚିହ୍ନିଥିଲା ଆଉ ଦୁଇଜଣଙ୍କୁ
ଚିହ୍ନି ପାରିନଥିଲେ
ସବୁ ଲୋକଙ୍କୁ ଚିହ୍ନିବା
ସହ ଶଶୁର ଘର ଫଟୋ ଦେଖିବା ବେଳେ ଉତ୍ୟକ୍ତ ହୋଇ ଯାଉଥିବା ସହ ନଣନ୍ଦଙ୍କ ଫଟୋ ଦେଖି ଚିତ୍କାର କରି
କହିଥିଲେ ଯେ ଏଇ ମୋ ମୁଣ୍ଡକୁ ଇଟାରେ ମାଡ଼ମାରି ମତେ ମାରିଛି ସୁମିତ୍ରା ଗୋଟିଏ ପରେ ଗୋଟିଏ
ଛବିକୁ ଚିହ୍ନି ଚାଳିଥିଲା ଆଉ ଭଦ୍ରବ୍ୟକ୍ତିଙ୍କ ଆଖିରୁ ଧାର ଧାର ଲୁହ ବୋହି ଚାଳିଥିଲା ସୁମିତ୍ରାର
ମଥାରେ ହାତ ବୁଲେଇ ଆଣିବା ପରେ ସେ ଭଦ୍ରବ୍ୟକ୍ତିଙ୍କ କୋଳରେ ମଥାରଖି ଶୋଇଗଲେ ଜଗଦୀଶଙ୍କ
ପରିବାର କିଛି ବୁଝି ପାରୁନଥିଲେ ଭଦ୍ରବ୍ୟକ୍ତି ଶିବା ବିଷୟରେ ଯାହା କହିଲେ ତାହା ସମସ୍ତଙ୍କୁ
ଆଶ୍ଚର୍ଯ୍ୟ କରିଦେଲା
୨୪ ଅକ୍ଟୋବର, ୧୯୬୨ ମସିହାରେ ଶିବାଙ୍କର ଜନ୍ମ ଇଟାୱା ସହରରେ
ରାମସୀୟ ତ୍ରିପାଠୀଙ୍କ ଘରେ ହୋଇଥିଲା ତ୍ରିପାଠୀବାବୁ କଲେଜରେ ଅଧ୍ୟାପକ ଥିବା ବେଳେ, ଶିବା ଗ୍ରାଜୁଏସନ ପର୍ଯ୍ୟନ୍ତ ପାଠ ପଢିଥିଲେ ଗ୍ରାଜୁଏସନ୍ ପରେ ପିତା ରାମସୀୟ
ତ୍ରିପାଠୀ ଶିବାଙ୍କ ବିବାହ ଦିବିୟାପୁର ଅଞ୍ଚଳର ଛେଦିଲାଲଙ୍କ ସହ କରିଦେଇଥିଲେ ବିବାହ ପରେ
ଉଭୟଙ୍କର ଦୁଇଟି ପୁଅ ଥିଲେ, ରିଙ୍କୁ ଓ ଟିଙ୍କୁ
ସବୁକିଛି ଠିକ୍
ଚାଲିଥିଲାବେଳେ କିନ୍ତୁ ପରିବାରରେ ଅଶାନ୍ତି ଲାଗି ରହିଥିଲା ଏଥିପାଇଁ ଅନେକ କାରଣ କୁହାଯାଇଛି
ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀ ଜଣାଇଛନ୍ତି ଯେ ଶିବା କାଳେ ଉଚ୍ଚଶିକ୍ଷିତା ହୋଇଥିବା
ହେତୁ ସ୍ବାମୀ ଅସହିଷ୍ଣୂ ହୋଇ ଅତ୍ୟାଚାର କରୁଥିଲେ, ଆଉ କିଛି ପରିବାର ସଦସ୍ୟଙ୍କ ମତରେ ବିବାହ ସମୟରେ ଯୌତୁକ ଯଥେଷ୍ଟ ନ ମିଳିଥିବାରୁ ଅଶାନ୍ତି
ରହୁଥିଲା ଏମିତି ମନାନ୍ତର ଓ ମତାନ୍ତର ଭିତରେ ଶିବା ସ୍ବାମୀଙ୍କ ପରିବାର ଛାଡ଼ିଦେଇ ପିତାଙ୍କ
ଘରକୁ ଚାଲି ଆସିଥିଲେ ପୁଣି କିଛିଦିନ ପରେ ପିଲାଙ୍କ ପାଇଁ ସେ ସ୍ବାମୀ ଘରକୁ ଫେରିଥିଲେ ହେଲେ
୧୯୮୫, ମଇ ମାସ ଶେଷ ବେଳକୁ ଗଣ୍ଡଗୋଳ ସବୁ ସୀମା ଟପିଗଲା ଯେତେବେଳେ
ଶିବାକୁ ପରୀକ୍ଷା ଦେବାପାଇଁ ବାହାରକୁ ଯିବାକୁ ମନା କରିଦିଆଗଲା ଏବଂ ସପର୍କୀୟଙ୍କ ବିବାହକୁ
ମଧ୍ୟ ଯିବାକୁ ମନା କରାଗଲା
ଏହି ଗଣ୍ଡଗୋଳ ପରେ
ସମାଧାନ ପାଇଁ ଶିବାଙ୍କ ମାମୁଁ ଯେତେବେଳେ ଶିବାଙ୍କ ଶଶୁର ଘରକୁ ଯାଇଥିଲେ, ସେତେବେଳେ ଶିବା ତାଙ୍କୁ କହିଥିଲେ ଯେ ଶାଶୁ ଆଉ
ନଣନ୍ଦ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଛନ୍ତି ମାମୁଁ ଯଥା ସମ୍ଭବ ମାମଲାକୁ ଶାନ୍ତ କରିବାକୁ
ଚେଷ୍ଟା କରି ଫେରି ଆସିଥିଲେ ଏବଂ ପରଦିନ ଶୁଣିବାକୁ ମିଳିଲା ଯେ ଶିବା ଆତ୍ମହତ୍ୟା କରିଛନ୍ତି
ଶଶୁର ଘର ନିକଟରେ ଥିବା ରେଳପୋଇ ଉପରେ ଶିବାର ମୃତଦେହ ଜବତ ହୋଇଛି ଶଶୁର ଘର ଲୋକଙ୍କ କହିବା
ଥିଲା ଯେ ଶିବା ନିଜେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛି କିନ୍ତୁ ସ୍ଥାନୀୟ୍ ଲୋକଙ୍କ
ହିସାବରେ ଶିବାଙ୍କ ଶବ ରେଳ ଧାରଣାର ମଝିରେ ହିଁ ପଡ଼ିଥିଲା ଏବଂ ମୁଣ୍ଡକୁ ଛାଡିଦେଲେ କୌଣସି
କ୍ଷତଚିହ୍ନ ଶରୀରରେ ନଥିଲା ଶିବାଙ୍କ ଭଉଣୀ ଉମା ଏବଂ ତାଙ୍କ ସ୍ବାମୀ ପ୍ରଥମେ ଶବ ଚିହ୍ନଟ
କରିଥିଲେ ଏବଂ ସେମାନେ କହିଥିଲେ ଯେ ଶିବାର ମୂଣ୍ଡ ଫାଟିବା ସହ ଦହିବାହାରକୁ ବାହାରି ଆସିଥିଲା
ଏହା ଟ୍ରେନ୍ ଯୋଗୁଁ ହୋଇଥିଲା କିମ୍ବା ଆଘାତ ଯୋଗୁଁ କହିବା ସମ୍ଭବ ହେଉନଥିଲା
ଶିବାଙ୍କ ମାମୁଁ ଶିବାର
ଶବଦାହ କାର୍ଯ୍ୟକୁ କିଛି ସମୟ ବିଳମ୍ବ କରିବା ପାଇଁ ନିବେଦନ କରି ଶିବାଙ୍କ ବାପାଙ୍କୁ ଆଣିବା
ପାଇଁ ଇଟାୱା ଯାଇଥିଲେ କିନ୍ତୁ ଶଶୁର ଘର ଲୋକ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ଆଣି ତେଲ ପକାଇ
ଶିବାର ଶରୀରକୁ ପୋଡିଦେଇଥିଲେ ସ୍ଥାନୀୟ ଅଞ୍ଚଳରେ କିଛି ଅଧିବାସୀ କହିଥିଲେ ଯେ ଘଟଣା ପୂର୍ବଦିନ
ରାତିରେ ଶିବାର ଶଶୁର ଘର ଲୋକ ଭାରି ଜିନିଷ କିଛି ଟେକି ଟେକି ନେଇ ରେଳ ଧାରଣା ଆଡ଼କୁ ଯାଉଥିବାର
ସେମାନେ ଦେଖିଛନ୍ତି
ଶିବାଙ୍କ ବାପା
ଦିବିୟାପୁରରେ ପହଞ୍ଚିବା ବେଳକୁ ଶିବାର ଶବଦାହ ହୋଇ ସାରିଥିଲା, କିନ୍ତୁ ସେ ସ୍ଥାନୀୟ ଥାନାରେ ମାମଲା ରୁଜୁ କରିବା
ପରେ ସ୍ବାମୀ ଓ ଶଶୁରଙ୍କୁ ଗିରଫ କରାଗଲା ଶାଶୁ ଓ ନଣନ୍ଦ ଫେରାର ହୋଇଯାଇଥିଲେ ୧୯୮୬ ମସିହାରେ
ସେମାନେ ମଧ୍ୟ ଧରାପଡ଼ିଥିଲେ ସୁଦ୍ଧା କୌଣସି ସାକ୍ଷ ପ୍ରମାଣ ଅଭାବରୁ ସେମାନଙ୍କୁ ଛାଡ଼ି
ଦିଆଯାଇଥିଲା
ସମସ୍ତେ ସ୍ତବ୍ଧ ଥିଲେ
ସୁମିତ୍ରାଙ୍କ ଶଶୁର ଘର ଲୋକ ବିଶ୍ବାସ କରି ପାରୁନଥିଲେ ଆଖପାଖର ଲୋକମାନେ ମଧ୍ୟ ଏହାଶୁଣି
ବିଶ୍ବାସ କରି ପାରିଲେ ନାହିଁ ଚେତା ଫେରିବା ପରେ ଶିବା ରାମସୀୟ ତ୍ରିପାଠୀଙ୍କ ସହ ଇଟାୱା ଚାଲି
ଆସିଲେ
ଏହି ମାମଲା ସେ ସମୟରେ
କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଥିଲା ପୂନର୍ଜନ୍ମ ଏବଂ ଭୁତ
ଲାଗିବା ଭଳି ଘଟଣା ବୈଜ୍ଞାନିକ ବିଶ୍ବାସର ପରିପନ୍ଥୀ ଥିବା ବେଳେ ଏହି ଘଟଣାର ସତ୍ୟାସତ୍ୟ
ପରୀକ୍ଷା ପାଇଁ ପୁନର୍ଜନ୍ମ ଭଳି ଘଟଣା ଆଦିର ଗବେଷକ ସତବନ୍ତ୍ ପଶ୍ରିଚା ଏବଂ ବୈଦେଶିକ ଗବେଷକ
ଷ୍ଟିଭେନସନ୍ ୧୯୮୫ ଅକ୍ଟୋବର ମାସରେ ଶରିଫପୁରାରେ ପହଞ୍ଚିଲେ ଏବଂ ନଭେମ୍ବର ୧୯୮୫, ଫେବୃଆରୀ ଓ ମାର୍ଚ୍ଚ ୧୯୮୬୬ରେ ଗ୍ରାମବାସୀଙ୍କ
ସମେତ ସୁମିତ୍ରାଙ୍କ ପରିବାର ତଥା ଶିବାଙ୍କ ପରିବାରବର୍ଗଙ୍କ ବ୍ୟକ୍ତିଗତ ସାକ୍ଷାତକାର କରିବା ସହ
ପ୍ରଶ୍ନୋତ୍ତର କରିଥିଲେ ଆଉ ଜଣେ ବୈଦିଶିକ ଗବେଷକ ନିକୋଲାସ୍ ମ୍ୟାକ୍ଲିନ୍ ରାଇସ୍ ମଧ୍ୟ ଏହି
ଦୁଇଜଣଙ୍କ ସହ ମିଶି ନଭେମ୍ବର ୧୯୮୬, ଫେବୃଆରୀ ୧୯୮୭ ଏବଂ ଅକ୍ଟୋବର୍
୧୯୮୭ରେ ଟିକିନିଖି ଗବେଷଣା କରି ନିଷ୍କର୍ଷରେ ପହଞ୍ଚିଲେ ଯେ ସୁମିତ୍ରା ଏବଂ ଶିବାଙ୍କ ପରିବାର
ପରସ୍ପରକୁ ଆଗରୁ କେବେ ଦେଖିନଥିଲେ ବା ଜାଣିନଥିଲେ
ଏହି ତିନିଜଣ ଗବେଷକ ବିଭିନ୍ନ
ଖବର କାଗଜରେ ପ୍ରକାଶିତ ସମ୍ବାଦ ସଂଗ୍ରହ କରିବା ସହ ସ୍ଥାନୀୟ ଲୋକଙ୍କ ସହ ହେଉଥିବା
ପ୍ରଶ୍ନୋତ୍ତରର ଅଡିଓ ରେକର୍ଡିଂ ମଧ୍ୟ କରି ରଖିଥିଲେ ଜନୈକ ମାନସିକ ରୋଗ ବିଶେଷଜ୍ଞ ଡା
ପରମେଶ୍ବର ଦୟାଲ ମଧ୍ୟ ଏହି ଘଟଣାର ବ୍ୟକ୍ତିଗତ ଗବେଷଣା କରିଥିଲେ ମୃତ୍ୟୁବରଣ କରିବା ଏବଂ
ପୁଣିଥରେ ଜୀବନ ପାଇବା ପରେ ସୁମିତ୍ରାଙ୍କ ବ୍ୟବହାରରେ ହୋଇଥିବା ପରିବର୍ତ୍ତନ, ତାଙ୍କର ହସ୍ତଲେଖା ଇତ୍ୟାଦିର ପରୀକ୍ଷା
କରାଯାଇଥିଲା ଏହି ସବୁ ତଦନ୍ତ କରିବା ପରେ ଡା ଦୟାଲ ଉପଲବ୍ଧ ତଥ୍ୟକୁ ମାର୍ଚ୍ଚ ୧୯୮୭ରେ ଏକ
ମେଡ଼ିକାଲ୍ କଂଫେରେନ୍ସରେ ଉପସ୍ଥାପନ କରିଥିଲେ
ଘଟଣା ଘଟିବା ପରେ
ସୁମିତ୍ରା ଯିଏ ବର୍ତ୍ତମାନ ନିଜକୁ ଶିବା ବୋଲି ପରିଚୟ ଦେଉଥିଲେ ତାଙ୍କ ବୟାନ ଆଧାରରେ ଶିବାଙ୍କ
ଶଶୁର ଘର ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଉଠିଥିଲା ହେଲେ ଭାରତୀୟ ପିଙ୍ଗଳ କୋର୍ଟ୍
ଏହିଭଳି ଦିଆଯାଉଥିବା ସାକ୍ଷ୍ୟପ୍ରମାଣକୁ ସ୍ବୀକାର କରିବାକୁ ମନା କରିଦେବାପରେ ଏହି କେସ୍ ବନ୍ଦ
ହୋଇ ଗଲା
ପରେ ପରେ ଆଉ ଦୁଇଟି
ଗବେଷଣା ଏହି ଘଟଣା ଉପରେ ହୋଇଥିଲା କିନ୍ତୁ ସୁମିତ୍ରା କିମ୍ବା ତାଙ୍କ ସ୍ବାମୀଙ୍କ ସହ କେହି ବି
ସାକ୍ଷାତ କରି ପାରିନଥିଲେ ଶୁଣାଯାଏ ଯେ ସୁମିତ୍ରା ଉରଫ୍ ଶିବା ୧୯୯୮ ମସିହାରେ ମୃତ୍ୟୁବରଣ
କରିଥିବା ବେଳେ ଜଗଦୀଶ ୨୦୦୮ ମସିହାରେ ଇହଧାମ ତ୍ୟାଗ କରିଥିଲେ
ବ୍ରିଟିଶ ବ୍ରୋଡ଼କାଷ୍ଟି
କର୍ପୋରେସନ ଦ୍ବାରା ଏହି ଘଟଣା ଉପରେ ଅଙ୍କିତ ବୃତ୍ତଚିତ୍ରରେ ଶିବାଙ୍କ ପିତା ରାମସୀୟ ତ୍ରିପାଠୀ
କହିଥିଲେ ଯେ ନବଜୀବନ ପାଇବା ପରେ ସୁମିତ୍ରା ନିଜର କୌଣସି ପରିଜନକୁ ଚିହ୍ନି ପାରିନଥିଲେ ନିଜ
ଜନ୍ମିତ ସନ୍ତାନକୁ ଅଚିହ୍ନା କରିଦେଇ ସେ ଶିବାଙ୍କ ଦୁଇ ସନ୍ତାନ ରିଙ୍କୁ ଓ ଟିଙ୍କୁଙ୍କୁ
ଖୋଜିଥିଲେ ସ୍ବଳ୍ପ କଥାବାର୍ତ୍ତା କରିବା ସହ ତାଙ୍କର ହତ୍ୟା କରାଯାଇଛି ବୋଲି କହିଥିଲେ ସେ
ଶିବାଙ୍କ ପରିବାର ବିଷୟରେ ଅନେକ ତଥ୍ୟ ଜଣାଇ ପାରୁଥିଲେ
ସୁମିତ୍ରାଙ୍କ ପରିବାର
ଲୋକଙ୍କ କହିବାର ଥିଲା ଯେ ସେମାନେ ଶିବା ନାଁ ଆଗରୁ କେବେ ବି ଶୁଣିନଥିଲେ ଯେତେବେଳେ ସୁମିତ୍ରା
ମୃତଶଯ୍ୟାରୁ ଉଠି ବସିଲା ସେତେବେଳେ ସେ ଯାହା ବି କହୁଥିଲେ ସବୁ କିଛି ବାଉଳି ହେଉଛି ବୋଲି
ସେମାନେ ଧରି ନେଇଥିଲେ ଗାଁ ଲୋକ କହିଥିଲେ ଯେ କାଳେ ସୁମିତ୍ରାଙ୍କୁ ଭୁତ ଆସିଛି, ତେଣୁ କେହି ଏହି ବିଷୟକୁ ଅଧିକ ଗୁରୁତ୍ତ୍ବ ଦେଲେ
ନାହିଁ ଅବଶ୍ୟ ଗବେଷକ ଡା ଦୟାଲଙ୍କ ସୁଚନା ଅନୁସାରେ ସୁମିତ୍ରାଙ୍କୁ ବାରମ୍ବାର ଗୁଣିଆ ମାନଙ୍କ
ଦ୍ବାରା ଝାଡ଼ଫୁଙ୍କ ଇତ୍ୟାଦି କରିବା ନାଁରେ ଅତ୍ୟାଚାର ବି ଦିଆଯାଇଥିଲା ଏହି ସବୁ ପ୍ରଚେଷ୍ଟା
ସତ୍ତ୍ବେ ସୁମିତ୍ରା ଆଊ କେବେ ସୁମିତ୍ରା ହୋଇ ରହିଲେ ନାହିଁ
ଅବଶ୍ୟ ଏହି ଦୀର୍ଘ ସମୟ
ମଧ୍ୟରେ ଥରେ ସୁମିତ୍ରା ପୁଣିଥରେ ନିଜର ପରିଚୟ ଫେରି ପାଇଥିଲେ, କିନ୍ତୁ ସେ ବହୁତ କମ ସମୟ ପାଇଁ ଏହି ସମୟ
ମଧ୍ୟରେ ସୁମିତ୍ରା ଜଣାଇଥିଲେ ଯେ ଶିବାଙ୍କ ମୃତ୍ୟୁ ଏବଂ ତାଙ୍କର ନବଜୀବନ ପାଇବା ମଧ୍ୟବର୍ତ୍ତି
ସମୟରେ କିଛି କିଛି ଘଟଣା ତାଙ୍କୁ ମନେ ଅଛି ସୁମିତ୍ରାଙ୍କ ପିତା ଦେଇଥିବା ବୟାନ ଅନୁସାରେ
ସୁମିତ୍ରା କହିଥିଲେ ଯେ ମୃତ୍ୟୁପରେ ଶିବାଙ୍କୁ ଯମଙ୍କ ସମ୍ମୁଖରେ ଉପସ୍ଥିତ କରାଯାଇଥିଲା
ସେଠାରେ ସେ ପଛକୁ ପାଦଥିବା ଅନେକ ବ୍ୟକ୍ତିଙ୍କୁ ଯମଦଣ୍ଡ ମିଳୁଥିବା ଦେଖିବାକୁ ପାଇଥିଲେ ଏହି
ସମୟରେ ସନ୍ତୋଷୀ ମାଆ ତାଙ୍କୁ ନିଜ ପଣତ ତଳେ ଲୁଚାଇ ରଖି ଯମଦଣ୍ଡ ପାଇବାରୁ ମୁକ୍ତ କରିଦେଇଥିଲେ
ଏହାପରେ ସେ ଯମଙ୍କ ନିକଟରେ କ୍ଷମାଭିକ୍ଷା କରିଥିଲେ ଏବଂ ଯମ ତାଙ୍କୁ ଆଉ ସାତବର୍ଷ ପାଇଁ
ଭୂଲୋକକୁ ପଠାଇଥିଲେ
ଷ୍ଟିଭେନସନ୍ ଓ ପଶରିଚା
କରିଥିବା ଗବେଷଣାରେ ସେମାନେ ଏହା ସ୍ଥିର କରିବାକୁ ଚାହୁଁଥିଲେ ଯେ ସୁମିତ୍ରା ଏବଂ ଶିବାଙ୍କ
ପରିବାର ପରସ୍ପର ସହ କେବେ ବି ମିଶିନାହାନ୍ତି ଶରିଫପୁରା ଏବଂ ଦିବିୟାପୁର ପାଖାପାଖି ଶହେ
କିଲୋମିଟର ଦୁରତାରେ ରହିଛନ୍ତି ଉଭୟ ପରିବାର କେବଳ ଦୂରତା ଦ୍ବାରା ହିଁ ନାହିଁ ବରଂ ନିଜର
ସାମାଜିକ ସ୍ତର, ଶିକ୍ଷା ଦୀକ୍ଷା ଆଦି
ଦ୍ବାରା ପରସ୍ପରଠାରୁ ଢେର୍ ଅଲଗା ଥିଲେ ଉଭୟ ପରିବାରର ଜୀବନ ବଞ୍ଚିବା ସ୍ତର ବି ଭିନ୍ନ ଥିଲା
ତଥାପି ଗବେଷକମାନେ ସୁମିତ୍ରାଙ୍କ ସମସ୍ତ ବୟାନକୁ ତନତନ କରି ପରୀକ୍ଷା କରିବା ପରେ ହିଁ ସବୁ ବିଷୟରେ
ମତ ରଖିଥିଲେ ଶିବାଙ୍କୁ ହତ୍ୟା କରାଯାଇଥିବା ଖବର ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିଲା ସେ
ସବୁ ବିଷୟରେ ସୁମିତ୍ରାଙ୍କ ବୟାନ ସବୁ ଖାପଖାଉଛି ନା ନାହିଁ, ତାହା
ମଧ୍ୟ ଗବେଷଣା ହୋଇଥିଲା
ଷ୍ଟିଭେନସନ୍ ଏବଂ ତାଙ୍କର
ଗବେଷଣା ଦଳ ଉଣେଇଶିଟି ତଥ୍ୟ ପାଇଥିଲେ ଯାହା ସୁମିତ୍ରା ଦେଇଥିଲେ ଏବଂ ତାହା ସମ୍ପୂର୍ଣ୍ଣ ସତ୍ୟ
ଥିଲା ଏବଂ ଏହି ସବୁ ବିଷୟ କୌଣସି ଖବର କାଗଜରେ ପ୍ରକାଶିତ ହୋଇନଥିଲା ଯଥା;
୧. ଶିବା ପିନ୍ଧୁଥିବା ଏକ
ମନପସନ୍ଦ ହଳଦିଆ ଶାଢ଼ୀ
୨. ଶିବାଙ୍କ ହାତଘଣ୍ଟା
ଏବଂ ତାହାକୁ ସାଇତି ରଖିଥିବା ବକ୍ସ ଯାହା ବିବାହ ପୂର୍ବରୁ ସେ ପିନ୍ଧୁଥିଲେ ଏବଂ ନିଜ ପିତାଙ୍କ
ଘରେ ଛାଡ଼ିଦେଇ ଯାଇଥିଲେ
୩. ଶିବାଙ୍କ
ମାମୁଁମାନଙ୍କ ନାମ ବଡ଼ରୁ ସାନ କ୍ରମେ କହିବା
୪. ଶିବାଙ୍କ ଘରର ନାଁ, ଯେଉଁ ନାଁରେ ସମସ୍ତେ ତାଙ୍କୁ ଡାକୁଥିଲେ
୫. ଶିବା ପିଲାଦିନେ
ପଢିଥିବା ଦୁଇଟା ସ୍କୁଲର ନାଁ
୬. ଶିବାଙ୍କ ପିଲାମାନଙ୍କ
ଡାକ ନାଁ
୭. ଶିବାଙ୍କ ଅତିପ୍ରିତ
ଦୁଇଜଣ ବାନ୍ଧବୀଙ୍କ ନାଁ
୮. ଶିବାଙ୍କ ଦୁଇଭାଇ, ଭଉଣୀ, ମାମୁଁ, ମାଇଁ ଏବଂ ପୁତୁରା ଝିଆରୀଙ୍କ ନାଁ
ଏହିଭଳି ଅନେକ ତଥ୍ୟ
ସୁମିତ୍ରା ଦେଇଥିଲା ଯାହା କୌଣସି ଖବରକାଗଜ କିମ୍ବା ଅନ୍ୟ ସୂତ୍ରରୁ ଜାଣିବା ସମ୍ଭବ ନୁହେଁ
୯. ଶିବାଙ୍କୁ ମାମୁଁଙ୍କ
ବିବାହର ଛବିକୁ ଟିକେ କଷ୍ଟରେ ଚିହ୍ନିବା
୧୦. ସୁମିତ୍ରା ଇଟାୱାରେ
ପହଞ୍ଚିବା ପରେ ତାଙ୍କୁ ଭ୍ରମିତ କରିବାପାଇଁ ତାଙ୍କ ମାଆ ଘର ବାହାରେ ମହିଳାଙ୍କ ଗହଣରେ ଅଛନ୍ତି
ବୋଲି କୁହାଗଲା କିନ୍ତୁ ସୁମିତ୍ରା ମନା କରିଦେଇ ଘର ଭିତରେ ନିଜ ମାଆଙ୍କୁ ଭିଡ଼ି ଧରି
କାନ୍ଦିଥିଲେ
୧୧. ଆଉ ଜଣେ ମାମୁଁଙ୍କୁ
ଚିହ୍ନିବା
୧୨. ଶିବାଙ୍କ ମୃତ୍ୟୁପରେ
ମୁହଁରେ ଦାଢ଼ୀ ବଢ଼ାଇଥିବା ଜଣେ ମାମୁଙ୍କୁ ଚିହ୍ନିବା
୧୩. ଶିବାଙ୍କ
ପୁତୁରାଙ୍କୁ ଚିହ୍ନିବା
୧୪. ଶିବାଙ୍କ ଭଉଣୀଙ୍କୁ
ଚିହ୍ନିବା
୧୫. ଶିବାଙ୍କ କଲେଜ ସମୟର
ଜଣେ ବାନ୍ଧବୀଙ୍କୁ ଚିହ୍ନିବା ଏବଂ ସଠିକ୍ ଭାବରେ ତାଙ୍କୁ ଜିଜି ବୋଲି କହି ସମ୍ବୋଧନ କରିବା
ଷ୍ଟିଭେନସନ ଗବେଷଣାରେ
ମିଳିଥିବା ତଥ୍ୟରେ କୁହାଯାଇଥିଲା ଯେ ଶିବାଙ୍କ ତେଇଶି ଜଣ ସମ୍ବନ୍ଧୀୟ ପରିଜନଙ୍କୁ ସୁମିତ୍ରା
ଚିହ୍ନିପାରିଥିଲେ
ଏହା ବିପରୀତ ସୁମିତ୍ରା
ନିଜ ପରିବାରର କୌଣସି ସଦସ୍ୟଙ୍କୁ ଚିହ୍ନିବାକୁ ମନା କରିଦେଇଥିଲେ ପରିବାରର କୌଣସି ସଦସ୍ୟଙ୍କୁ
ସେ ଚିହ୍ନି ପାରିନଥିଲେ ଏବଂ ପ୍ରତିଦିନ ସକାଳୁ ଯେଉଁ କ୍ଷେତକୁ ସେମାନେ ଶୌଚ ହେବାକୁ ଯାଆନ୍ତି
ସେଇ ବିଷୟ କହିବା ବେଳେ ସେ କହିଥିଲେ ଯେ ତାଙ୍କର ଘର ଭିତରେ ଶୌଚାଳୟ ଅଛି, ସେ କାହିଁକି ବାହାରକୁ ଯିବେ ଯାହା ଶିବାଙ୍କର
ନିଜ ଘର ଓ ଶଶୁର ଘରେ ଥିଲା
ନବଜୀବନ ପାଇବା ପରେ
ସୁମିତ୍ରାଙ୍କ ବ୍ୟବହାରରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ବିଶ୍ବବିଦ୍ୟାଳୟରୁ
ସ୍ନାତକ ପାଇଥିବା ଉଚ୍ଚଶିକ୍ଷିତା ସମ୍ଭ୍ରାନ୍ତ ମହିଳା ଭଳି ସେ ବ୍ୟବହାର କରୁଥିଲେ ଆଗରୁ ସେ
ପିନ୍ଧୁଥିବା ଶାଢ଼ୀକୁ ଏବେ ସେ ସୁନ୍ଦର ଭାବରେ ସଜାଇ ପିନ୍ଧିବା ସହ ଜୋତା ପିନ୍ଧିବା ଆରମ୍ଭ
କରିଦେଇଥିଲେ ପ୍ରତିଦିନ ପ୍ରାତଃ କାଳରୁ ଶଯ୍ୟାତ୍ୟାଗ କରିବା ଅଭ୍ୟାସ ବି ସେ କରିଦେଇଥିଲେ ଯାହା
ଶିବା କରୁଥିଲେ
ଶିବା ବ୍ୟତୀତ ଅନ୍ୟ
କୌଣସି ନାମରେ ଡାକିଲେ ସେ ଶୁଣୁନଥିଲେ ନିଜକୁ ଉଚ୍ଚଜାତିର ବୋଲି ଦର୍ଶାଇ ସେ ନିଜ ଶଶୁର ଓ
ସ୍ବାମୀଙ୍କ ପ୍ରତି ବ୍ୟବହାରରେ ପରିବର୍ତ୍ତନ ଆଣିଥିଲେ ଖାଉଥିବା ଥାଳି ଓ ଗିନା ଇତ୍ୟାଦିକୁ
ନିଜେ ସଫା କରିବାକୁ ନିର୍ଦ୍ଦେଶ ଦେଉଥିଲେ ରାକ୍ଷୀ ବନ୍ଧନ ଦିନ ନିଜ ଭାଇ ଦ୍ବାରା ଅଣାଯାଇଥିବା
ରାକ୍ଷୀ ବାନ୍ଧିବାକୁ ମନା କରିଦେଇଥିଲେ
ଅନେକ ବୁଝାଇବା ପରେ ବି
ସେ ନିଜ ସ୍ବାମୀଙ୍କୁ ସ୍ବୀକାର କରିବାକୁ ମନା କରିଦେଇଥିଲେ କିନ୍ତୁ ସନ୍ତାନର ଧ୍ୟାନ ନେବାକୁ
ରାଜି ହୋଇଥିଲେ, ଆଉ କହିଥିଲେ ଯେ ,
ଯଦି ମୁଁ ଏହି ଛୁଆର ଯତ୍ନ ନେବି ତା ହେଲେ ଭଗବାନ ମୋ ଛୁଆ ମାନଙ୍କର ଯତ୍ନ
ନେବେ ଯଦି ମୁଁ ଏହି ଛୁଆକୁ ଅନ୍ୟାୟ କରିବି, ଭଗବାନ ମୋତେ ଦଣ୍ଡିତ
କରିବେ ନାହିଁ କି?
ନବଜୀବନ ପାଇବା ପୁର୍ବରୁ
ସୁମିତ୍ରାଙ୍କ ଶିକ୍ଷାଗତ ଯୋଗ୍ୟତା କିଛି ନଥିଲା ସେ କେବେ ବି କୌଣସି ସ୍କୁଲ୍ ଯାଇନଥିଲେ ନିଜ
ସମ୍ପର୍କୀୟ ଭାଇଙ୍କ ସଂସ୍ପର୍ଶରେ ଆସି ସେ କିଛି କିଛି ପଢ଼ିବା ଓ ଲେଖିବା ଜାଣିଥିଲେ ତାଙ୍କ
ସ୍ବାମୀଙ୍କ ମତରେ ସୁମିତ୍ରାଙ୍କୁ ଆଦୌ ଲେଖିବା ଆସୁନଥିଲା କିନ୍ତୁ ନବଜୀବନ ପାଇବା ପରେ
ସୁମିତ୍ରାଙ୍କ ଲେଖାପଡ଼ା ବହୁତ ଭଲ ହୋଇଗଲା ଷ୍ଟିଭେନସନ୍ ଓ ଦଳ ଗବେଷଣାରେ ପାଇଲେ ଯେ ସୁମିତ୍ରା
ବହୁତ ଭଲ ଭାବରେ ଲେଖିବା ଓ ପଢିବା କରି ପାରୁଛନ୍ତି ଏବଂ ସେ ବାରମ୍ବାର ନିଜ ପିତାଙ୍କୁ ଚିଠି
ଲେଖୁଥିଲେ
ବିବାହ ପରେ ଶିବା ନିଜ
ପିତାମାତାଙ୍କୁ ଚିଠି ଲେଖୁଥିବା ସମୟରେ ଘର କଥା ବହୁତ ମନେ ପଡୁଛି ବୋଲି ଲେଖୁଥିଲେ ଏବଂ
ମୃତ୍ୟୁର ପାଞ୍ଚମାସ ପୂର୍ବରୁ ଲେଖିଥିବା ଏକ ଚିଠିରେ ସେ ଲେଖିଥିଲେ ଯେ ସେ ଶୋଇବା ପରେ ଭାରି
ଭୟଭୀତା ହୋଇ ଯାଉଛନ୍ତି ଏବଂ ଚିତ୍କାର କରି ନିଦରୁ ଉଠି ପଡୁଛନ୍ତି
ମୃତ୍ୟୁର ପ୍ରାୟ
ପାଞ୍ଚମାସ ପରେ ସୁମିତ୍ରା ମଧ୍ୟ ଶିବାଙ୍କ ରୂପରେ ନିଜ ପିତାମାତାଙ୍କୁ ଚିଠି ଲେଖୁଥିଲେ ଅତି
ଶୀଘ୍ର ଶୀଘ୍ର ବହୁତ କିଛି ଲେଖିବାର ଚେଷ୍ଟାରେ ହାତଲେଖା ବ୍ୟତିବ୍ୟସ୍ତ ହୋଇଗଲା ପରି ମନେ
ହେଉଥିଲା ପ୍ରାୟ ସବୁ ଚିଠିରେ ଲେଖୁଥିଲେ ଯେ ମୋତେ ଏଠାରେ କିଛି ଭଲ ଲାଗୁନାହିଁ, ମୋତେ ଏଇଠୁ ଆସି ନେଇଯାଅ ଚିଠିରେ ସେ ବାରମ୍ବାର
ଲେଖୁଥିଲେ ଯେ ସେ ହିଁ ଶିବା ଏବଂ ଭଗବାନଙ୍କ ଅଭିଶାପ ହେତୁ ସେ ଏଇଭଳି ଏକ ପରିସ୍ଥିତିରେ ପଡି
ଯାଇଛନ୍ତି ଗବେଷଣାରେ ଜଣା ପଡିଥିଲା ଯେ ସୁମିତ୍ରାଙ୍କ ଚିଠି ଲେଖିବା ଶୈଳୀ ଜଣେ ଦଶମ ଶ୍ରେଣୀ
ଛାତ୍ର ଲେଖିବା ସହ ସମାନ ଥିଲା ଅତୀତରେ ଶିବା ଲେଖୁଥିବା ଚିଠି ସହ ସୁମିତ୍ରାର ଚିଠି ପ୍ରାୟ
ସମାନ ମନେ ହେଉଥିଲା
ଷ୍ଟିଭେନସନଙ୍କ ଗବେଷଣାରେ
ଯଦିଓ ସୁମିତ୍ରାଙ୍କ ଚିଠି ଲେଖିବା ଶୈଳୀ ଉନ୍ନତ ବୋଲି କୁହାଯାଇଥିଲା, କିନ୍ତୁ ତଥାପି ତାହା ଶିବାଙ୍କ ଭଳି ନଥିଲା
ମିଲ୍ସ ଏବଂ ଧିମାନଙ୍କ
ଦ୍ବାରା କରାଯାଇଥିବା ଗବେଷଣାରେ ସୁମିତ୍ରାଙ୍କ ପରିବାରବର୍ଗ ସୂଚନା ଦେଇଥିଲେ ଯେ ସୁମିତ୍ରା
ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ଶିବା ତ୍ରିପାଠୀ ପରିଚୟରେ ହିଁ ରହିଥିଲେ ପାଖାପାଖି ତେର ବର୍ଷ
କାଳ ସେ ବଞ୍ଚିଥିଲେ ଏହି ପରିବର୍ତ୍ତନକୁ ସ୍ବୀକାର କରିବା ତାଙ୍କ ପରିବାର ପାଇଁ ଅସମ୍ଭବ ଥିଲା
କିନ୍ତୁ ଧିରେ ଧିରେ ସମସ୍ତେ ଏହି ସତ୍ୟକୁ ସ୍ବୀକାର କରିନେଲେ ଶିବାଙ୍କ ପରିବାର ବର୍ଗଙ୍କ ପାଇଁ
ମଧ୍ୟ ଏହା ଅସମ୍ଭବ ଥିଲା କାରଣ ଶିବାଙ୍କ ସ୍ଥାନରେ ଆଉ ଜଣେ ବ୍ୟକ୍ତିଙ୍କୁ ସେମାନେ ପରିବାରରେ
ପାଇଥିଲେ ଯଦିଓ ସୁମିତ୍ରା ସମସ୍ତଙ୍କୁ ଭଲ ପାଉଥିଲେ କିନ୍ତୁ ସେ ଶିବାଙ୍କ ଭଳି ଦେଖାଯାଉନଥିଲେ
ଶିବାଙ୍କ ପିତା କହୁଥିଲେ ଯେ ବେଳେ ବେଳେ ଶିବା ମନଦୁଃଖ କରି କହୁଥିଲେ ଯେ ସେ ଅନ୍ୟ ଏକ ଶରୀରରେ
ରହୁଛନ୍ତି ଶରୀରରେ ଥିବା ଅନେକ ଦାଗକୁ ଦେଖି ସେ ଦୁଃଖିତ ହୋଇ ବେଳେ ବେଳେ ଭାବବିହ୍ବଳ ହୋଇ
ପଡୁଥିଲେ ପ୍ରଥମେ ପ୍ରଥମେ ସୁମିତ୍ରାଙ୍କ ସହ ତାଙ୍କ ସ୍ବାମୀ ଓ ପୁଅକୁ ମଧ୍ୟ ତ୍ରିପାଠୀ ପରିବାର
ଗ୍ରହଣ କରିଥିଲେ, ଏବଂ ଜଗଦୀଶଙ୍କ ପାଇଁ
ଇଟାୱାରେ କାମ ଖୋଜିଦେଇଥିଲେ କିନ୍ତୁ ଶୁଣାଯାଏ ଯେ ସ୍ତ୍ରୀଙ୍କ ବାପଘରେ ରହିବା ଜଗଦୀଶଙ୍କୁ ଭଲ
ଲାଗୁନଥିଲା ତେଣୁ ସେମାନେ କିଛି ବର୍ଷପରେ ପୁଣିଥରେ ଶରିଫପୁରା ଫେରି ଯାଇଥିଲେ ଯଦିଓ ତ୍ରିପାଠୀ
ଦମ୍ପତ୍ତି ସୁମିତ୍ରାଙ୍କୁ ନିଜର ଧର୍ମଝିଅ ବୋଲି କହୁଥିଲେ, ହେଲେ
ସୁମିତ୍ରାଙ୍କ ମୃତ୍ୟୁର ଖବର ସେମାନେ ଜାଣିନଥିଲେ ଏହି ମାମଲାରେ ଗବେଷଣା କରୁଥିବା ମିଲ୍ସ ଏବଂ
ଧିମାନ ଶିବାଙ୍କ ଉଭୟ ପୁଅଙ୍କ ବିଷୟରେ ତଦନ୍ତ କରୁଥିବା ବେଳେ ସେମାନେ କଲେଜ ଯିବା ବୟସର ହୋଇ
ସାରିଥିଲେ ଏବଂ ନିଜ ମାଆଙ୍କ କୌଣସି ସ୍ମୃତି ସେମାନେ ମନେ ରଖିନଥିଲେ ରିଙ୍କୁ ନିଜ ପିଉସୀ
ପାଖରେ ରହୁଥିଲା, ଯିଏ ଶିବାଙ୍କୁ ମାରିଥିବା କଥା ଶିବାରୂପୀ ସୁମିତ୍ରା
କହିଥିଲେ
ଏହି ଘଟଣାର ବ୍ୟକ୍ତିଗତ
ତଦନ୍ତ କରୁଥିବା ଜନୈକ ସାମ୍ବାଦିକ ଟମ୍ ଶ୍ରୋଡର୍ କହିଥିଲେ ଯେ, ଏହିଭଳି ଅନେକ ଘଟଣାର ଷ୍ଟିଭେନସନ୍ କରୁଥିବା
ଗବେଷଣାରେ ବ୍ୟକ୍ତିମାନେ ସାମାନ୍ୟ ଜଣାପଡୁଥିବା ବେଳେ ଏହି ମାମଲାରେ କିନ୍ତୁ ସୁମିତ୍ରା ଏକ
ବହୁମୁଖୀ ବ୍ୟକ୍ତିତ୍ବ ବେମାରୀ ବା ମଲ୍ଟିପଲ୍ ପର୍ସନାଲିଟି ଡିଜର୍ଡର୍ ଦ୍ବାରା ପ୍ରଭାବିତ ମନେ
ହେଉଥିଲେ ଯଦି ଏହି ଘଟଣାରେ ସତରେ ସୁମିତ୍ରା ମୃତ୍ୟୁବରଣ କରିଥିଲା ଏବଂ ସେଇ ଶରୀରରେ ଶିବା
ପୁନର୍ଜୀବନ ପାଇଥିଲେ ତାହେଲେ କିଭଳି ଅନେକ ସମୟରେ ପୁଣିଥରେ ସୁମିତ୍ରାଙ୍କ ଆତ୍ମା ପ୍ରବେଶ
କରୁଥିଲା? ଏହିଭଳି ଘଟଣାକୁ ଷ୍ଟିଭେନସନ୍ ଏକ ଅସ୍ବାଭାବିକ ପ୍ରକ୍ରିୟା
ବା ବଡି ସ୍ନାଚିଙ୍ଗ୍ ବୋଲି ମନେ କରିଥିଲେ ଯେତେବେଳେ ସୁମିତ୍ରାଙ୍କ ଶରୀରରେ ଶିବା ଉପସ୍ଥିତ
ଥିଲେ ସେତେବେଳେ ସେ ସନ୍ଦୀହାନ ଥିଲେ ଯେ ଏହି ପ୍ରକ୍ରିୟା ମାତ୍ର କିଛି ସମୟ ବା ସ୍ବଳ୍ପ ସମୟ
ପାଇଁ ହେବ ନା ଏହା ସବୁଦିନ ପାଇଁ ରହିବ କିନ୍ତୁ ମିଲସ ଏବଂ ଧିମାନ କରିଥିବା ଗବେଷଣା ଏବଂ
ମୃତ୍ୟୁ ପର୍ଯ୍ୟନ୍ତ ସୁମିତ୍ରା ଶିବା ହୋଇ ରହିବା ଘଟଣାକୁ ଅଧିକ ଜଟିଳ କରି ଦେଇଥିଲା
ପୁନର୍ଜୀବନ ତତ୍ତ୍ବ ଉପରେ ବିଶ୍ବାସ କରୁଥିବା ବିଶେଷଜ୍ଞ ଜେମସ୍ ମ୍ୟାଟ୍ଲକ୍ଙ୍କ ମତରେ ଏହି
ପ୍ରକ୍ରିୟା ରିପ୍ଲେସମେଣ୍ଟ୍ ରିଇନ୍କାର୍ନେସନ ହୋଇପାରେ ଅର୍ଥାତ ଜଣଙ୍କ ଶରୀରରେ ଆଉ ଜଣଙ୍କ
ଆତ୍ମାକୁ ପ୍ରବେଶ କରାଇବା
ମିଲସ ଏବଂ ଧିମାନଙ୍କ
ଗବେଷଣାରେ ନିଷ୍କର୍ଶ ଏହାଥିଲା ଯେ ଯଦି କୌଣସି ଆତ୍ମା ଜଣେ ଜୀବିତ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ
କରେ ଏହା କେବଳ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ହୋଇଥାଏ ସାଧାରଣତଃ ଏଭଳି ଘଟଣା କିଛି ସେକଣ୍ଡ୍
ବା ମିନିଟରୁ କିଛି ଘଣ୍ଟା ବା ଦିନ ପର୍ଯ୍ୟନ୍ତ ହୋଇପାରେ ବିରଳ କ୍ଷେତ୍ରରେ ମାସମାସ ମଧ୍ୟ
ହୋଇପାରେ କିନ୍ତୁ ମଝିରେ ମଝିରେ ବ୍ୟକ୍ତିଜଣକ ନିଜର ନିଜତ୍ବକୁ ମନେ ପକାଇଥାଏ ହେଲେ
ସୁମିତ୍ରାଙ୍କ କ୍ଷେତ୍ରରେ ଦୀର୍ଘ ତେରବର୍ଷ କାଳ ଆତ୍ମା ବାସକରିବା ଏବଂ ସୁମିତ୍ରା ଆଦୌ ନିଜ
ଅତୀତକୁ ମନେ ନ ପକାଇବା ଏକ ବ୍ୟତିକ୍ରମ ଥିଲା
ସୁପର୍ ସାଇ ହାଇପୋଥେସିସ୍
କିଛି ବୁଦ୍ଧିଜୀବିଙ୍କ
ମତରେ ବେଳେ ବେଳେ ଲୋକମାନେ ଜାଣିଶୁଣି ଅନ୍ୟ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବର ନକଲ କରିଥାନ୍ତି ଏବଂ
ଏଥିପାଇଁ ସେମାନେ ପୂର୍ବ ବ୍ୟକ୍ତିତ୍ବର ସୂଚନା ସବୁକୁ ସଂଗ୍ରହ କରିଥାନ୍ତି ଏବଂ ଅନ୍ୟବ୍ୟକ୍ତି
ଭଳି ଅଭିନୟ ବି କରିଥାନ୍ତି ଏହି ସବୁ ସୂଚନା ସଂଗ୍ରହ କରିବା ଯଦିଓ ଅସମ୍ଭବ ମନେ ହୁଏ, କିନ୍ତୁ ବେଳେ ବେଳେ ମଧ୍ୟସ୍ଥିମାନଙ୍କ ଉପସ୍ଥିତି
ଏହାକୁ ସମ୍ଭବ କରି ପାରେ ବିଶ୍ବର ଅନେକ ଘଟଣା ଯେଉଁଠି ପୁନର୍ଜୀବନ ପାଇବା କିମ୍ବା ଆତ୍ମା
ପ୍ରବେଶ କରିବାର ଶୁଣାଯାଇଛି ସେ ସବୁ ସ୍ଥାନରେ ଏହି ସୁପର୍ ସାଇ ହାଇପୋଥେସିସ୍ ସତ୍ୟ ବୋଲି
ପ୍ରମାଣିତ ବି ହୋଇଛି ଗବେଷକ ଷ୍ଟିଫେନ୍ ବ୍ରୋଡ଼େ ଶିବା-ସୁମିତ୍ରା ମାମଲାରେ ମଧ୍ୟ ଅନୁରୂପ କିଛି
ରହସ୍ୟ ଥାଇପାରେ ବୋଲି ମତ ଦେଇଥିଲେ ଯେତେବେଳେ ବି ସୁମିତ୍ରାଙ୍କୁ କୌଣସି ବ୍ୟକ୍ତିଙ୍କୁ
ଚିହ୍ନିବା ପାଇଁ କୁହାଯାଉଥିଲା ସେଇ ସମୟରେ ପାଖରେ ଥିବା ଅନ୍ୟ କେହି ତାଙ୍କୁ ସହାୟତା କରି
ପାରନ୍ତି ଏହା ଟେଲିପାଥି ବା ବ୍ୟକ୍ତିଙ୍କୁ ନ ଛୁଇଁ ମଧ୍ୟ ଦେଇ ହୁଏ
ଏହି ମାମଲାରେ ଏହିଭଳି
ହେବାର କିଛି କାରଣ ରହିଛି କି ? ଏହି
ପ୍ରଶ୍ନର ଉତ୍ତରରେ ବ୍ରୋଡ଼େ ମତ ଦେଇଥିଲେ ଯେ, ସୁମିତ୍ରା ଜାଣିଶୁଣି
ଶିବାର ପରିଚୟକୁ ଆପଣେଇଥିବ କାରଣ ସେ ନିଜ ଜାତି ଏବଂ ପରିବାର ଠାରୁ ଉର୍ଦ୍ଧ୍ବକୁ ଯିବାକୁ
ଚାହୁଁଥିବ ପିଲାଦିନରୁ ଗରୀବ ରହିଥିବା ସୁମିତ୍ରା ନିଜ ପରିବାର ଠାରୁ ମୁକ୍ତି ଚାହୁଁଥିବ
ଏହିଭଳି ଚିନ୍ତା କରିବାର କାରଣ ସେ କହିଥିଲେ ଯେ ଯଦି ସତରେ ସୁମିତ୍ରା ଶିବାରେ ପରିଣତ ହୋଇ
ସାରିଥିଲେ ତା ହେଲେ ସେ କାହିଁକି ନିଜ ପରିବାରରେ ନ ରହି ପୁଣିଥରେ ସୁମିତ୍ରାର ପରିବାରକୁ ଫେରି
ଆସିଥିଲେ ସେ ନିଜର ଦୁଇପୁଅ ରିଙ୍କୁ ଓ ଟିଙ୍କୁକୁ କାହିଁଇ ଆପଣେଇ ନଥିଲେ କିନ୍ତୁ
ସୁମିତ୍ରାଙ୍କ ଚିଠି ଲେଖିବା ଓ ଶୁଦ୍ଧ କଥାବାର୍ତ୍ତା କରିବା ବିଷୟରେ ପ୍ରଶ୍ନ କରିବା ପରେ ସେ
କହିଥିଲେ ଯେ କିଛି ମାନସିକ ରୋଗ ଯେମିତି ଡିସୋସିଏଟିଭ୍ ଡିଜର୍ଡରରେ ବ୍ୟକ୍ତିମାନଙ୍କ ଏହିସବୁ
କ୍ରିୟାର ଅଧିକ ଉନ୍ନତି ଦେଖା ଦେଇଥାଏ
କିନ୍ତୁ ବ୍ରୋଡ଼େଙ୍କ
ତଥ୍ୟକୁ ନିରାଧାର ବୋଲି ଦର୍ଶାଇ ମିଲ୍ସ ଏବଂ ଧିମାନ୍ ନିଜ ଗବେଷଣାରେ ଜଣାଇଥିଲେ ଯେ ସୁମିତ୍ରା
ଆଗରୁ ମଧ୍ୟ ଅନ୍ୟ ଆତ୍ମା ମାନଙ୍କ ଦ୍ବାରା କିଛି ସମୟ ପାଇଁ ଆକ୍ରାନ୍ତ ହେବା ପରେ ଶିବାଙ୍କ
ଆତ୍ମାଦ୍ବାରା ଆକ୍ରାନ୍ତ ହୋଇଥିଲା ଏବଂ ଏହାପରେ ସେ ଶିବା ଭାବରେ ନିଜ ଜୀବନରେ ଶେଷ ସମୟ
ବିତେଇଥିଲେ ଏଥିରୁ ଏହା ପ୍ରମାଣିତ ହୁଏ ଯେ, ଶାରୀରିକ ମୃତ୍ୟୁପରେ ମଧ୍ୟ ଆତ୍ମାର ଅସ୍ଥିତ୍ବ ରହିପାରେ
ଏହା ସବୁ ସତ୍ତ୍ବେ ବ୍ରୋଡ଼େ ମନ୍ତବ୍ୟ ଦେଇଥିଲେ ଯେ ସୁମିତ୍ରା ଶିବାଙ୍କ ପରିଚୟକୁ ଆପଣେଇବାର ଦୁଇବର୍ଷ ପରେ କିଛି ମୁହୂର୍ତ୍ତପାଇଁ ପୁଣିଥରେ ସୁମିତ୍ରା ହୋଇଯାଇଥିଲେ ଏହା କଣ ସମ୍ଭବ କି ସୁମିତ୍ରା ପୁଣିଥରେ ଫେରି ନିଜ ଶରୀରକୁ ପାଇବାକୁ ଚେଷ୍ଟା କରିଥିଲେ? କିମ୍ବା ମୃତ୍ୟୁପରେ ମଧ୍ୟ ତାଙ୍କର ଆତ୍ମା ସେଇ ଶରୀରରେ ରହିଥିଲା କି? ଏଇ ରହସ୍ୟର ସତ୍ୟତା ଆମେ କେବେ ବି ଜାଣିପାରିବା ନାହିଁ
Subscribe to Our channel : https://www.youtube.com/@drjyotiprasad
Comments
Post a Comment