ଲୋଭୀ ଡାକ୍ତର | #satire #comedy #reality #odia_story #odia #podcast

 


ଲୋଭୀ ଡାକ୍ତର -

ସଂଧ୍ୟା ସାଢ଼େ ସାତଟା ହେବ, କିଏ ଜଣେ କଲିଂ ବେଲ୍ ମାରିବା ପରେ, ରୋଷେଇ ଘରୁ ବାହାରି ରତ୍ନା କବାଟ ଖୋଲିବାକୁ ଗଲେ୤ ଆପାର୍ଟମେଣ୍ଟର ଜଣେ ମହିଳା ବାହାରେ ଅପେକ୍ଷା କରିଥିଲେ୤ ରତ୍ନା ତାଙ୍କୁ ଚାହିଁବା ପରେ ସେ ପ୍ରଶ୍ନ କଲେ,

- ସାର୍ ଅଛନ୍ତି?

- ନା, ସାର୍ ଏବେ କ୍ଲିନିକରେ ଥିବେ, କିଛି କାମ ଥିଲା କି?

- ହଁ, ଏଇ ମୋ ବୋଉର....

- ଏଇ ପାଖରେ ହିଁ ତ ତାଙ୍କ କ୍ଲିନିକ୍, ଚାଲିଯାଆନ୍ତୁ ଦେଖେଇ ଦେଇ ଆସିବେ୤

ରତ୍ନା କହିଲେ୤

ସେହି ମହିଳା ଜଣକ କିଛି ସମୟ ନିରବ ରହିବା ପରେ ପଚାରିଲେ,

- ସାର୍ କେତେବେଳେ କ୍ଲିନିକରୁ ଆସନ୍ତି?

- ସାଢ଼େ ନଅରୁ ସାଢ଼େ ଦଶ ଭିତରେ ଫେରିବେ୤ ଯଦି ଆପଣଙ୍କୁ ଏମେର୍ଜେନ୍ସି ଅଛି, ମୁଁ ଫୋନ୍ କରିଦେଉଛି ଆପଣ ଚାଲି ଯାଆନ୍ତୁ ଦେଖେଇ ଦେଇ ଆସିବେ୤

ସେ କହିଲେ, ନା ଥାଉ, ସାର୍ ଫେରିବା ପରେ ମୁଁ ଆସିବି୤ ସେ କହିଲେ୤

ରତ୍ନା କହିବାକୁ ଚାହୁଁନଥିଲେ କିନ୍ତୁ କହିଲେ, ସାର୍ ଘରେ ରୋଗୀ ଦେଖିବାକୁ ମନା କରନ୍ତି ତ ତେଣୁ କହୁଥିଲି୤

ସେ ମହିଳା ଜଣକ ହସିଦେଇ କହିଲେ, ନା ମୋର ରୋଗୀ ଦେଖେଇବାର ନାହିଁ, ଏଇ ବୋଉର ଦେହଟା ହଠାତ୍ ବେଶୀ ଖରାପ ହୋଇଗଲା ତ, ତା ରିପୋର୍ଟ୍ ଗୁଡ଼ାକ ଟିକେ ସାରଙ୍କୁ ଦେଖେଇଥାନ୍ତି୤

ରତ୍ନା ଆଉ କିଛି କହିବା ଅବସ୍ଥାରେ ନଥିଲେ, ଜାଣିଛନ୍ତି ସାର୍ ବିଗିଡ଼ିବେ୤ ସେ କେବେ ବି ଘରେ ରୋଗୀ ପରାମର୍ଶ କରନ୍ତି ନାହିଁ୤ ଘରକୁ ଫେରିଲେ ସେ ପୁରା ରେଷ୍ଟ୍ କରିବାକୁ ଚାହାନ୍ତି୤ ମହିଳା ଜଣକ ଚାଲି ଯାଇଥିଲେ୤ ରତ୍ନା ନିଜ କାମରେ ବ୍ୟସ୍ତ ହୋଇଗଲେ୤

ରାତି ଦଶଟା ବେଳକୁ ସାର୍ ଫେରିଲେ୤ ଫ୍ରେସ୍ ହୋଇ ଟିଭି ସାମନାରେ ବସିଥିବା ବେଳେ ରତ୍ନା ଜଣାଇଦେଲେ ଯେ ସନ୍ଧ୍ୟାରେ ଆପାର୍ଟମେଣ୍ଟର ଜଣେ ମହିଳା ଆସିଥିଲେ ପରାମର୍ଶ କରିବାକୁ, ସାର୍ କହିଲେ,

- କ୍ଲିନିକକୁ ପଠାଇ ଦେଲନି?

ରତ୍ନା କହିଲେ,

- ମୁଁ ସେଇୟା କହିଲି, ହେଲେ ସେ ମନା କରିଦେଲେ୤ କହିଲେ କଣ ରିପୋର୍ଟ୍ ଦେଖେଇବେ, ତେଣୁ ଘରକୁ ଫେରିଲେ ସେ ଆସି ଦେଖେଇବେ ବୋଲି କହିଦେଇ ଯାଇଛନ୍ତି୤

ସାର ଟିକେ ବିରକ୍ତ ହୋଇଗଲେ କିନ୍ତୁ ପୁଣି କହିଲେ, ହଉ ଆସନ୍ତୁ ଦେଖିବା୤

କିଛି ସମୟ ପରେ ପୁଣିଥରେ କଲିଂ ବେଲ୍ ବାଜିବା ପରେ ରତ୍ନା କବାଟ ଖୋଲିଲେ୤ ସେହି ମହିଳା ଜଣକ ଆସିଥିଲେ୤ ବୈଠକରେ ବସିବା ପାଇଁ କହିଲେ୤ ସାର ପଚାରିଲେ, କୁହନ୍ତୁ କଣ ହେଇଛି?

ସେ କହିଲେ,

- ସାର୍, ମୋ ବୋଉର ହଠାଟ୍ ଗୋଡ ଦି’ଟା ଫୁଲିଗଲା୤ ଆଉ ରାତିରେ ଶୋଇବା ବେଳକୁ ଶ୍ବାସ ନେବାରେ ଅସୁବିଧା ହେଲା, ତେଣୁ ତାକୁ ଧରି ସାଙ୍ଗେ ସାଙ୍ଗେ ବିଶାଖାପାଟଣା ନେଇଗଲୁ୤ ସେଇଠି ତିନିଦିନ ରହିବା ପରେ ଏବେ ଧରିକି ଆସିଲୁ୤ ସବୁ ଟେଷ୍ଟ୍ କରିଦେଇଛୁ୤ କହି ସେ ବ୍ୟାଗରୁ ରିପୋର୍ଟ୍ ବାହାର କରୁଥିଲେ, ସାର୍ କହିଲେ,

- ତାହେଲେ ଆପଣ ଡାକ୍ତରୀ ପରାମର୍ଶ ନେଇ ସାରିଛନ୍ତି? ଭଲ କଥା୤ ରିପୋର୍ଟ୍ ସେଇଠି ଡାକ୍ତରଙ୍କୁ ଦେଖେଇ ନାହାନ୍ତି କି?

ସେ କହିଲେ, ସାର, ସେଇଠି ପ୍ରଥମ ଦିନ ଯୋଉ ଯାଇଥିଲୁ, ସେଇଦିନ ଡାକ୍ତରଙ୍କ ସହ ଦେଖା ହେଇଥିଲା, ସେହି ଦିନ ହିଁ ସବୁ ରିପୋର୍ଟ୍ କରିଦେଇଥିଲୁ୤ ତା’ପରେ ନର୍ସ୍ ଦିଦି ରିପୋର୍ଟ୍ ନେଇ ଡାକ୍ତରଙ୍କୁ ଦେଖେଇ ଆଣିଲେ୤ ଆମେ ଆଉ ଡାକ୍ତରଙ୍କୁ ଦେଖା କରି ପାରିଲୁ ନାହିଁ୤

ସାର୍ ପଚାରିଲେ, ମାନେ ଆପଣ ତିନିଦିନ ରହିଲେ, ଡାକ୍ତର କୌଣସି ଦିନ ବି ଆସି ନାହାନ୍ତି?

ସେ କହିଲେ, ନା ସାର୍୤ ପ୍ରଥମ ଦିନ ଯେତେବେଳେ ବୋଉଙ୍କୁ ନେଇ ଯାଇଥିଲୁ, ସେତେବେଳେ ତାଙ୍କୁ ଦେଖେଇଥିଲୁ, ସେ କାଗଜରେ ରିପୋର୍ଟ୍ ଲେଖିଦେଲେ ଆଉ ଆଡ୍‌ମିଟ୍ କରିବାକୁ କହିଦେଲେ୤ ତା’ପରେ ନର୍ସ୍ ଦିଦିମାନେ ହିଁ ଡାକ୍ତରଙ୍କ ସହ ଯୋଗାଯୋଗ କରୁଥିଲେ୤ ଆମେ ଦେଖାକରିବାକୁ ଉପାୟ ନଥିଲା୤ ସେ ଖାଲି ଔଷଧ ଲେଖିଦେଇଛନ୍ତି ଆଉ ମାସେ ପରେ ଆସିବା ପାଇଁ କହିଛନ୍ତି୤ କିନ୍ତୁ ଆମେ ଜାଣି ପାରିଲୁନି ଯେ ବୋଉକୁ ହେଇଛି କଣ? କାହିଁକି ତା ଗୋଡ଼ ଦିଇଟା ଏମିତି ଫୁଲିଗଲା୤ ତାକୁ ତ କେବେ ବି ଶ୍ବାସ ରୋଗ ନଥିଲା, ଏବେ କାହିଁକି ଏମିତି ହେଲା୤ ସେଥିପାଇଁ ଏଇ ରିପୋର୍ଟ୍ ଗୁଡ଼ାକ ଟିକେ ଯଦି ଆପଣ ଦେଖି ଆମକୁ କହି ପାରିବେ କଣ ହେଇଛି?

ସାର ଟିକେ ଚିନ୍ତା କରି କହିଲେ, ଦେଖନ୍ତୁ ଆପଣ ଜଣେ ଡାକ୍ତରଙ୍କ ପରାମର୍ଶ ନେଇ ସାରିଛନ୍ତି, ଆଉ ସେ ଆପଣଙ୍କର ସବୁ ପରୀକ୍ଷାନିରୀକ୍ଷା କରିବା ପରେ ଔଷଧ ବି ଦେଇ ସାରିଛନ୍ତି, ତେଣୁ ସେ କଣ ଭାବି ଦେଇଛନ୍ତି ନାହିଁ, ସେ ବିଷୟରେ ମୁଁ କିଛି କହି ପାରିବିନି୤ କହିବା ଉଚିତ୍ ବି ହେବନି୤ କାରଣ, ତାଙ୍କ ବିଭାଗ ଓ ମୋ ବିଭାଗ ଅଲଗା ହୋଇ ପାରେ୤ ଯଦି ଆପଣ ତିନିଦିନ ସେଇଠି ଥିଲେ, ଅନ୍ତତଃ ଆପଣ ନର୍ସଙ୍କୁ କହି ପାରିଥାନ୍ତେ ଯେ ଆମେ ଡାକ୍ତରଙ୍କ ସହ ଦେଖା କରିବୁ ଆଉ ମାଆଙ୍କ ବିଷୟରେ ପଚାରିବୁ୤

ସେ ହସିଦେଇ କହିଲେ, ସାର୍ ନର୍ସ ଦିଦିଙ୍କୁ କହିବା ପରେ ସେ କହିଲେ, ସାର୍ ଭାରି ବ୍ୟସ୍ତ ଦେଖା ହୋଇପାରିବନି୤ କି ଗହଳି ସାର୍୤ ଲୋକ ଉପରେ ଲୋକ ପଡୁଛନ୍ତି୤ ସେ ଯୋଉ ରୁମରେ ବସୁଛନ୍ତି ସେଇଠି ଲମ୍ବା ଧାଡ଼ି ଲାଗିଥିଲା୤ ତେଣୁ ଆମକୁ ଆଉ ଦେଖା କରିବାକୁ ମଉକା ମିଳିଲା ନାହିଁ୤

ସାର କିଛି ଭାବିବା ପରେ କହିଲେ, ହଉ ଦିଅନ୍ତୁ ରିପୋର୍ଟ୍ ସବୁ ଦେଖିବା୤

ରିପୋର୍ଟ୍ ସବୁ ଦେଖିବା ପରେ କହିଲେ, ଆପଣଙ୍କ ମାଆଙ୍କୁ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ହୋଇଛି୤ ଏହାକୁ କଞ୍ଜେଷ୍ଟିଭ୍ ହାର୍ଟ୍ ଫେଲର୍ ବୋଲି କୁହାଯାଏ୤ ବହୁତ ବର୍ଷ ଉଚ୍ଚ ରକ୍ତଚାପ ରହିଲେ ଧିରେ ଧିରେ ଶରୀରର ସବୁ ଅଙ୍ଗ ପ୍ରଭାବିତ ହୁଏ ଏବଂ ସେଥିପାଇଁ ଆପଣଙ୍କ ମାଆଙ୍କ ସହ ବି ସେଇୟା ହୋଇଛି୤

ସେ କହିଲେ, ସାର୍ ଏଥିରେ ବିପଦ କିଛି ନାହିଁ ତ?

- ବିପଦ ନାହିଁ ବୋଲି କେମିତି କହିବା? ଦେଖୁଛନ୍ତି ପରା ରାତିରେ ଶ୍ବାସ ନେଇ ପାରୁନାହାନ୍ତି୤ ଗୋଡ ବି ଫୁଲିଲାଣି୤ ଏବେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ୤ ଡାକ୍ତର ଯେଉଁଭଳି ପଥି କହିଛନ୍ତି ତାହାକୁ ମାନି ଚଳିବେ୤ ଔଷଧ ନିୟମିତ ଖାଇବେ୤ ନିୟମିତ ଡାକ୍ତରୀ ପରାମର୍ଶ କରିବେ ତା ହେଲେ ରୋଗୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ୤

ସେହି ମହିଳା ଜଣକ ବୁଝିଗଲେ ଆଉ ସାରଙ୍କ ହାତରୁ କାଗଜ ସବୁ ନେଇ ବ୍ୟାଗରେ ଥୋଇଦେଉ ଦେଉ କହିଲେ, ଏତିକି କଥା ଆମେ ପଚାରିବାକୁ ଚାହୁଁଥିଲୁ, ସେ ଜମା ଦେଖା ହିଁ ଦେଲେନି୤ ଏତିକି କହିଦେଇଥିଲେ ଆମ ମନକୁ ବି ଧୈର୍ଯ୍ୟ ମିଳିଥାନ୍ତା୤ ଆମେ ପୁରା ଡରିକି ଥିଲୁ୤

ସେ ବ୍ୟାଗରେ କାଗଜ ପତ୍ର ରଖିଦେଇ ଉଠିଲେ ଯିବାପାଇଁ ଆଉ ଯାଉ ଯାଉ କହିଲେ, ସାର୍ ଆପଣ ଘରେ ରୋଗୀ ଦେଖନ୍ତିନି ବୋଲି ମେଡମ୍ କହିଥିଲେ ଯେ ଖାଲି ରିପୋର୍ଟ୍ ଦି ତିନିଟା ଦେଖାଇବା ଥିଲା ବୋଲି ମୁଁ ଭାବିଲି ଆଉ କାହିଁକି କ୍ଲିନିକ୍ ଯିବି, ତେଣୁ ଆସିଗଲି୤ ହଉ ସାର୍ ମୁଁ ଯାଉଛି୤

ସେ ଏମିତି କହି ଯିବାପାଇଁ ବାହାରୁଥିବା ବେଳେ ସାର୍ କହିଲେ,

- ମୋର ପରାମର୍ଶ ଫି ଟା ଦେଲେନି?

ମହିଳା ଜଣକ ରହିଗଲେ ଆଉ ସାରଙ୍କୁ ଚାହିଁଲେ୤ ସାର୍ ନିର୍ବିକାର ଭାବରେ କହିଲେ, ଆପଣଙ୍କ ପରାମର୍ଶ ପାଇଁ ତିନିଶହ ଟଙ୍କା ଫିଜ୍ ଦେବେ୤

ସେ ଅବିଶ୍ବାସର ସହ ସାରଙ୍କୁ ଚାହିଁଥିଲେ୤ ଥତମତ ହେଇ କହିଲେ, ଫିଜ୍? ମୁଁ ତ ଟଙ୍କା ଧରି ଆସିନି୤

ସାର୍ କହିଲେ, ଠିକ୍ ଅଛି, ଆପଣ ଫିଜ୍ ଆଣି ମେଡମଙ୍କୁ ଦେଇଦେବେ୤

ମହିଳା ଜଣକ ତରତର ହୋଇ ବାହାରିଗଲେ୤

ମହିଳା ଜଣକ ଗଲାପରେ ସାର୍ କବାଟ ବନ୍ଦ କରିଦେଇ ବସି ଟିଭି ଦେଖୁଥିଲେ୤ ରତ୍ନା ଘର ଭିତରୁ ବାହାରକୁ ଆସି କହିଲେ, ସରି, ମୋ ପାଇଁ ତମର ସମୟ ନଷ୍ଟ ହେଇଗଲା୤ ଏଇ ସମୟରେ ପୁଣିଥରେ ବେଲ୍ ବାଜିଲା୤ ରତ୍ନା କବାଟ ଖୋଲିବା ବେଳକୁ ସେହି ମହିଳା ଜଣକ ଥିଲେ୤ ରତ୍ନା ବୁଝିପାରିଲେନି, ସେ ପୁଣି କାହିଁକି ଆସିଛନ୍ତି୤ କଣ ହେଲା ବୋଲି କହିବା ବେଳକୁ ସେ ହାତରେ ଧରିଥିବା ତିନିଶହ ଟଙ୍କା ରତ୍ନାଙ୍କ ହାତକୁ ବଢ଼େଇ ଦେଇ କହିଲେ, ସାରଙ୍କ ଫିଜ୍ ଦେଇଦେବେ୤ ଆଉ କେମିତି ଗୋଟେ ମୁହଁ କରି ଚାଲିଗଲେ୤

ରତ୍ନା କିଛି ବୁଝି ପାରିଲେନି୤ ଘର ଭିତରକୁ ଆସି କବାଟ ବନ୍ଦ କରିବା ପରେ ସାରଙ୍କୁ ଚାହିଁଲେ୤ ସାର୍ କହିଲେ, କଣ ହେଲା? ରତ୍ନା କହିଲେ, ସେ କଣ ତିନିଶ ଟଙ୍କା ଦେଇ ଫିଜ୍ ଦେଇ ଦେବ ବୋଲି କହି ଗଲେ?

ସାର୍ କହିଲେ, ହଁ ମୋର ପରାମର୍ଶ ପାଇଁ ଫିଜ୍୤

ରତ୍ନା କହିଲେ, ତମେ ପରା କ୍ଲିନିକରେ ଶହେ ଟଙ୍କା ନେଉଛ ବୋଲି କହୁଥିଲ?

ସାର୍ କହିଲେ, ସେଇଟା କ୍ଲିନିକରେ୤

ରତ୍ନା କିଛି ବୁଝି ପାରୁନଥିଲେ୤ ସାର୍ କହିଲେ, ଦେଖ, ସେଇ ଲୋକ ନିଜ ପରିଜନଙ୍କ ସ୍ବାସ୍ଥ୍ୟ ଖରାପ ହେଲେ ଅଜସ୍ର ଖର୍ଚ୍ଚ କରି ବିଶାଖାପାଟଣା, ମୁମ୍ବାଇ, ଚେନ୍ନାଇ ନେଇ ଯାଉଛନ୍ତି୤ ତା ହେଲେ ସେଇ ଲୋକ ରୋଗୀର ରିପୋର୍ଟ୍ ଦେଖାଇବା ପାଇଁ ଫିଜ୍ ଦେବନି କାହିଁକି?

ରତ୍ନା କହିଲେ, ହେଲା ଯେ, କିନ୍ତୁ ତମେ ତ ଶହେ ଟଙ୍କା ଫିଜ୍ ନିଅ୤ ଏବେ ତିନିଶ???

ସାର କହିଲେ, ସେମାନେ ହେଉଛନ୍ତି ସ୍ପେଶାଲ୍ କ୍ୟାଟେଗୋରୀର ଲୋକ୤ ସେମାନେ ବିଶାଖାପାଟଣା ଯାଇ ମିଛଟାରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠା କରୁନାହାନ୍ତି କାରଣ ତାଙ୍କୁ ସବୁ ଜିନିଷ ସହଜରେ ମିଳିବା ଦରକାର୤ ତେଣୁ ସନ୍ଧ୍ୟାରେ ଯେତେବେଳେ ତୁମେ ତାଙ୍କୁ କହିଲ ଯେ କ୍ଲିନିକକୁ ଯାଆନ୍ତୁ, ସେ ଗଲେ ନାହିଁ୤ ଯାଇଥିଲେ ହୁଏତ ଶହେ ଟଙ୍କାରେ କାମ ହୋଇ ଯାଇଥାନ୍ତା୤ କିନ୍ତୁ ସେ ଚାହିଁଲେ ଯେ ନିଜ ଘରେ ଆରାମରେ ସେଇ କାମ ହେଇଯାଉ୤ ତା ହେଲେ ସେଥିପାଇଁ ଅଧିକ ଦେୟ ଦେବାକୁ ପଡ଼ିବ୤ ଯଦି ସ୍ପେଶାଲ ସେବା ଦର୍କାର ତା ହେଲେ ସ୍ପେଶାଲ୍ ଫିଜ୍ ବି ଦେବାକୁ ପଡ଼ିବ୤

ରତ୍ନା କହିଲେ, ହେଲା ଯେ ସେ କେମିତି ଗୋଟେ ମୁହଁ କରି ଟଙ୍କାଟା ଦେଇକି ଗଲେ, ମୋତେ ଜମା ଭଲ ଲାଗିଲାନି୤ ସାର୍ ହସିଦେଇ କହିଲେ, ସେଇଥିପାଇଁ ତ ତିନିଶ କହିଲି୤ ଯଦି ଆଜି ଭଦ୍ରାମି କହି ମାଗଣାରେ ପରାମର୍ଶ ଦେଇ ଛାଡ଼ି ଦେଇଥାନ୍ତି, ସେମିତି ଅନେକ ରୋଗୀ ଏହି ଆପାର୍ଟମେଣ୍ଟରେ ଅଛନ୍ତି, ସବୁ ରିପୋର୍ଟ୍ ଦେଖେଇବା ପାଇଁ ଘରକୁ ଆସି ଘରଟାକୁ କ୍ଲିନିକ୍ କରିଦେଇଥାନ୍ତେ୤ ଏବେ ସେହି ମହିଳା ସମସ୍ତଙ୍କୁ କହିବେ, ଡାକ୍ତର ଲୋଭୀ୤ ଆଉ କେହି ଆସିବେ ନାହିଁ୤ ଯାହାକୁ ଅତି ଜରୂରୀ ଥିବ କେବଳ ସେ ହିଁ ଆସିବ୤ ନହେଲେ କ୍ଲିନିକ ଯିବ୤ ରତ୍ନା କିଛି କହିବେ ବୋଲି ଭାବୁଥିଲେ, କହିଲେ ଚାଲ ଚାଲ ଖାଇବା ଥଣ୍ଡା ହେଇଗଲାଣି୤ ଗରମ କରୁଛି ଖାଇବ ଚାଲ୤

Subscribe to Our channel : https://www.youtube.com/@drjyotiprasad

Comments